ନବରଙ୍ଗପୁର: ନବରଙ୍ଗପୁର ବ୍ଲକର ଅଗ୍ନିପୁର ଗ୍ରାମ ପଞ୍ଚାୟତ ଟିର୍ଲି ଆମ୍ବଗୁଡାଗ୍ରାମ ନିକଟରେ କୌଶଳ ବିକାଶ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ସଂସାରରେ ବଞ୍ଚିବ। ପାଇଁ ଶିକ୍ଷା ସହିତ କୌଶଳ ବିକାଶର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ତାଲିମ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ରହିବା ଓ ଖାଇବା ସୁବିଧା ଯୋଗାଇ ଦିଆଯିବ ବୋଲି କହିଥିଲେ।
ଜିଲା କର୍ମ ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ର ବ୍ୟକ୍ତି ଜୀବନରେ କୌଶଳ ବିକାଶର ଆବଶ୍ୟକତା ତଥା ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଡିଓ ସୁକାନ୍ତ କୁମାର ପଟନାୟକ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଜ୍ଞାନ ଅର୍ଜନ ସହିତ ଦକ୍ଷତା ବିକାଶ ଜରୁରୀ ବୋଲି କହିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ତହସିଲଦାର ରବୀନ୍ଦ୍ର କୁମାର ରାଉତ ଯୋଗ ଦେଇ କୌଶଳ ତାଲିମ ପାଉଥିବା ଛାତ୍ରୀ ଛାତ୍ରଙ୍କ ଉଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ଏହି କାର୍ୟ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ ତଥା ନବରଙ୍ଗପୁର ମହାବିଦ୍ୟାଳୟର ଅଧକ୍ଷ ଭାସ୍କରନାଥ ବିଶ୍ୱାଳ ଓ ଆଦର୍ଶ ମହାବିଦ୍ୟାଳୟର ଅଧ୍ୟକ୍ଷ କୌଶଳ ବିକାଶର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସମାଜରେ ଏହାର ଆବଶ୍ୟକତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ। ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।



