ରାଷ୍ଟ୍ରପତିଙ୍କୁ ଭେଟିବ ଗୃହ କମିଟି

0

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କାକୁ ବୃଦ୍ଧି କରିବା ଦାବି ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗ୍ୃହ କମିଟି ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକପତ୍ର ପତ୍ର ପ୍ରଦାନ କରିବ। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଖୁବଶୀଘ୍ର ପତ୍ରାଳାପ କରାଯିବ। ଶୁକ୍ରବାର ଗୃହ କମିଟି ବୈଠକରେ ଏନେଇ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଥିବା ବିଧାୟକ ସଞ୍ଜୟକୁମାର ଦାସବର୍ମା ସୂଚନା ଦେଇଛନ୍ତି। ବୈଠକରେ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିକୁ ସେ ସମାଲୋଚନା କରିବା ସହ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି। ବାଚସ୍ପତି ପ୍ରଦୀପକୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡ଼ିଶାର ଚାଷୀକୁଳକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ସଦସ୍ୟମାନେ ମତ ଦେଇଥିଲେ।
ଶ୍ରୀ ଦାସବର୍ମା କହିଛନ୍ତି, ପୂର୍ବରୁ ବିଧାନସଭାରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ସଂକ୍ରାନ୍ତ ଦାବି ପତ୍ର ପ୍ରଦାନ ପାଇଁ ସମୟ ମାଗିଥିବା ବେଳେ ପ୍ରଧାନମନ୍ତ୍ରୀ ସମୟ ଦେଇନଥିବାରୁ ଏଥର କମିଟି ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବ। ରାଜ୍ୟର ଦାବିକୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ଖରିଫ ଧାନସଂଗ୍ରହ ଋତୁ ଆସିବା ପୂର୍ବରୁ କେନ୍ଦ୍ର ସରକାରଙ୍କ ସିଏସିପି ଧାନ ଉତ୍ପାଦନ ପାଇଁ ହେଉଥିବା ଖର୍ଚ୍ଚ ସମ୍ପର୍କରେ ତଥ୍ୟ ଚାହିଁଥିଲେ। ରାଜ୍ୟ ସରକାରଙ୍କ କୃଷି ବିଭାଗ ଉତ୍ପାଦନ ଖର୍ଚ୍ଚ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହା ଉପରେ କୌଣସି ପଦକ୍ଷେପ ନନେଇ ସମୁଦ୍ରକୁ ଶଙ୍ଖେ ସଦୃଶ ମାତ୍ର ୨୦୦ଟଙ୍କା ବୃଦ୍ଧି କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ।
ସୂଚନାଯୋଗ୍ୟ ଯେ ରାଜ୍ୟରେ ପ୍ରତି କ୍ବିଣ୍ଟାଲ ଧାନରେ ଚା​‌ଷୀର ସମୁଦାୟ ୨୩୪୪ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାର କ୍ବିଣ୍ଟାଲ ପିଛା ୨୦୦ଟଙ୍କା ବୃଦ୍ଧି କରିବା ଫଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟର ଦାବି ଉପରେ ବିଚାର କରିବାକୁ କମିଟି ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବ।
ଗୃହ କମିଟିର ୧୯ ଜଣ ସଦସ୍ୟଙ୍କ ମଧ୍ୟରୁ ୧୩ ଜଣ ଉପସ୍ଥିତ ଥିଲେ। ବିଜେଡିର ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପ୍ରତାପ ଜେନା, ସୂର୍ଯ୍ୟ ନାରାୟଣ ପାତ୍ର ଓ ଦାମୋଦର ରାଉତ ଅନୁପସ୍ଥିତ ଥିବା ବେଳେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ ଏବଂ ବିଭୂତିଭୂଷଣ ହରିଚନ୍ଦନ ଆସିନଥିଲେ। ବିଧାନସଭାରେ ସବୁ ଦଳର ସଦସ୍ୟଙ୍କ ଦସ୍ତଖତରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିବା ବେଳେ ବିଜେପି ସଦସ୍ୟ ଉପସ୍ଥିତ ଥିଲେ ଲୋକଙ୍କ ନିକଟକୁ ଭଲ ବାର୍ତ୍ତା ଯାଇଥାଆନ୍ତା ବୋଲି ଶ୍ରୀ ଦାସବର୍ମା କହିଛନ୍ତି। କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମଧ୍ୟ ବିଜେପି ସଦସ୍ୟଙ୍କ ଅନୁପସ୍ଥିତିକୁ ନାପସନ୍ଦ କରିଛନ୍ତି।

Leave A Reply