କାୟା ମେଲାଉଛି ଡେଙ୍ଗୁ,୨୦୧୬ ଘଟଣାର ପୁନରାବୃତ୍ତି ଆଶଙ୍କାରେ ଜିଲାବାସୀ
ଗ୍ୟାରେଜରେ ଖତ ଖାଉଛି ମଶା ଧୂଆଁ ଯାନ
କେନ୍ଦୁଝରଗଡ : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବେଶ୍ ବଢ଼ିବାରେ ଲାଗିଥିବା ବେଳେ ଏଥିରୁ କେନ୍ଦୁଝର ଜିଲା ମଧ୍ୟ ବାଦ୍ପଡିନି । ବର୍ତ୍ତମାନ ସୁଦ୍ଧା ଜିଲାରେ ୨୦ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧିନ ଥିବାବେଳେ ବର୍ଷା ଋତୁରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ଆଶଙ୍କାରେ ଜିଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୨୦୧୬ରେ କେନ୍ଦୁଝର ଜିଲାରେ ମୋଟ ୧୩୧୩ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ୫ଜଣ ମହିଳାଙ୍କ ମୃତ୍ୟୁ ସେହି ସମୟରେ ଜିଲାରେ ଆତଙ୍କ ଖେଳାଇଥିଲା। ୨୦୧୬ର ଡେଙ୍ଗୁ ଭୟାବହତା ଏଯାଏଁ ଜିଲାବାସୀଙ୍କ ମନରୁ ଲିଭିନଥିବା ବେଳେ ସେତେବେଳର ଲୋକପ୍ରିୟ ଜିଲାପାଳ ଡା.ଏନ୍.ତିରୁମାଲା ନାୟକଙ୍କ ପ୍ରତିଷେଧକମୂଳକ ପଦକ୍ଷେପ ଯୋଗୁଁ ଡେଙ୍ଗୁ ଓ ଜାପାନୀଜ୍ ଏନ୍ସେଫାଲାଇଟସ୍ ଭଳି ମାରାତ୍ମକ ରୋଗକୁ ଜିଲାରୁ ଦୂରେଇ ଦିଆଯାଇ ପାରିଥିଲା। ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ଜିଲାରେ ଚିହ୍ନଟ ହୋଇଥିବା ୨୦ଜଣ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଯୋଡାରେ ଏହାର ସଂଖ୍ୟା ଅଧିକ ଥିବା ବେଳେ ଭୁବନେଶ୍ୱରରେ କେନ୍ଦୁଝର ସହରର ଅଧ୍ୟୟନରତ ୨ଜଣ ଛାତ୍ର ଡେଙ୍ଗୁ ଚିହ୍ନଟ ହେବାପରେ ଏବେ ଏହି ଦୁଇଛାତ୍ର ମଧ୍ୟ କେନ୍ଦୁଝରରେ ରହି ଚିକିତ୍ସିତ ହେଉଥିବା ଜଣାପଡିିଛି । ଧିରେ ଧିରେ ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ କିଭଳି ରୋକାଯାଇ ପାରିବ ସେ ନେଇ ପ୍ରଶାସନିକସ୍ତରରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବା ଜିଲାବାସୀଙ୍କ ମନରେ ଶଙ୍କା ଖେଳାଇଦେଇଛି । ଡେଙ୍ଗୁ ରୋଗର ମୁଖ୍ୟ କାରଣ ମଶାବଂଶକୁ ନିପାତ କରିବା ଭଳି ଆଖିଦୃଶିଆ ପଦକ୍ଷେପ ମଧ୍ୟ ଗ୍ରହଣ କରଯାଉନାହିଁ। ବର୍ଷା ଋତୁରେ କେନ୍ଦୁଝର ସହରର ପ୍ରତି ଗଳିକନ୍ଦିରେ ଥିବା ଡ୍ରେନ ମୁକୁଳା ହୋଇ ପଡିଥିବା ବେଳେ ଆଦୌ ସଫା ନହେବା ଏବଂ ଡ୍ରେନରେ ଲାର୍ଭିସାଇଡ ମଶାତେଲ ନିୟମିତ ସିଞ୍ଚନ କରାନଯିବା ଦ୍ୱାରା ସହରରେ ମଶାବଂଶ ବୃଦ୍ଧି ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି । ପୌର ପ୍ରଶାସନ ପକ୍ଷରୁ କେବଳ ଭିଆଇପି ବାସ କରୁଥିବା ଅଞ୍ଚଳରେ ନିୟମିତ ଡ୍ରେନ ସଫା କରିବା ସହ ଲାର୍ଭିସାଇଡ ତେଲ ସିଞ୍ଚନ ଏବଂ ଅନାବନା ବୁଦା ଗଛ କାଟି ସଫା କରାଯାଉଥିବା ବେଳେ ପୌରପାଳିକାର ୨୧ଟି ୱାର୍ଡ ମଧ୍ୟରୁ ୧୫ରୁ ଅଧିକ ୱାର୍ଡରେ ଆଦୌ ଡ୍ରେନ ସଫା ନକରିବା, ଅନାବନା ବୁଦାଗଛ କଟାନଯିବା ଏବଂ ଡ୍ରେନରେ ଲାର୍ଭିସାଇଡ ତେଲ ସିଞ୍ଚନ କରାନଯିବା ନେଇ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି। ଲାର୍ଭିସାଇଡ ତେଲ ସିଞ୍ଚନ, ଡ୍ରେନ ସଫା କରିବା ଓ ଅନାବନା ବୁଦା କାଟି ସଫା କରିବା ନିମନ୍ତେ ଏକ ଘରୋଇ ସଂସ୍ଥା କାର୍ଯ୍ୟାଦେଶ ହାସଲ କରିଥିଲେ ହେଁ ଆବଶ୍ୟକ ତଦାରଖ ଅଭାବରୁ ସହରର ଅଧକାଂଶ ୱାର୍ଡରେ ଏହି ସମସ୍ତ କାର୍ଯ୍ୟ ସଠିକ୍ ଭାବେ ହୋଇପାରୁନଥିବା କଂଗ୍ରେସ ନେତା ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ମଶା ନିପାତ ପାଇଁ ପୌର ପ୍ରଶାସନ ପକ୍ଷରୁ ମଶାଧୂଆଁ ଯାନ ଦ୍ୱାରା ସହରର ଗଳିକନ୍ଦିରେ ସିଞ୍ଚନ କରାଯିବା କଥା। ମାତ୍ର, ପୌରପାଳିକାର ୭ଟି ହସ୍ତ ସିଞ୍ଚନ ମଶା ମେସିନ ଏବଂ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ପରିଚାଳିତ ମା’ଜଗତଜନନୀ ସେବା ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ୨ଟି ମଶାଧୂଆଁ ଯାନ ଥିଲେ ହେଁ ଆବଶ୍ୟକ ତଦାରଖ ଅଭାବରୁ ସମସ୍ତ ମଶାଧୂଆଁ ମେସିନ ଅକାମୀ ହୋଇପଡିରହିବା ପୌର ପ୍ରଶାସନର ପାରିବାପଣିଆକୁ ପଦାରେ ପକାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ସହରରୁ ମଶାବଂଶ ବୃଦ୍ଧିକୁ ରୋକିବା ନିମନ୍ତେ ପୌର ପ୍ରଶାସନ ପକ୍ଷରୁ ନୂତନ ଭାବେ ୨ଟି ମଶାଧୂଆଁ ମେସିନ ଅର୍ଡର କରାଯାଇଥିବା ବେଳେ ଖୁବ୍ ଶିଘ୍ର ପହଞ୍ଚିବା ପରେ ସିଞ୍ଚନ କରାଯିବ ବୋଲି ପୌରପାଳିକାର ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ବେହେରାଙ୍କୁ ପଚାରିବାରୁ ସେ ଏହା କହିଛନ୍ତି।
Comments are closed.