ଡେସ୍କ: ଦେଶରେ ବିଚାର ଅପେକ୍ଷାରେ ୫ କୋଟି ୮ ଲକ୍ଷ ୮୫ ହଜାର ୮୫୬ଟି ମାମଲା ରହିଛି। ଦିନକୁ ଦିନ ମାମଲା ସଂଖ୍ୟା ବୃଦ୍ଧି ହେଉଥିଲେ ମଧ୍ୟ ବିଚାରାଧୀନ ମାମଲା ସଂଖ୍ୟା କିଭଳି ହ୍ରାସ ପାଇବ, ସେ ନେଇ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ଦାୟୀ କରିନାହାନ୍ତି କେନ୍ଦ୍ର ଆଇନ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ। ଗତକାଲି ଲୋକସଭାରେ ସାଂସଦ ଜୁଏଲ ଓରାମ ଓ ଅନ୍ୟମାନଙ୍କ ଦ୍ୱାରା ପଚରାଯାଇଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘୱାଲ କହିଛନ୍ତି, ନ୍ୟାୟାଳୟରେ ମାମଲା ଗୁଡିକ ବର୍ଷ ବର୍ଷ ଧରି ବିଚାର ଅପେକ୍ଷାରେ ପଡି ରହିବା ପାଇଁ ଅନେକ ଗୁଡିଏ କାରଣ ଦାୟୀ।
ସାଂସଦ ଜୁଏଲ ଓରାମ ଲୋକସଭାରେ ପଚାରିଥିଲେ ଯେ ନ୍ୟାୟ ଅପେକ୍ଷାରେ ଥିବା ଲୋକଙ୍କ ଦୁର୍ଦଶା ସମ୍ପର୍କରେ ସରକାର ଅବଗତ ଅଛନ୍ତି କି ନାହିଁ ଏବଂ ସରକାର ଅଧିକ ସଂଖ୍ୟାରେ ନ୍ୟାୟାଳୟ ସ୍ଥାପନ ଓ ବିଚାରପତି ନିଯୁକ୍ତି ପାଇଁ କିଭଳି ଯୋଜନା କରିଛନ୍ତି। କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଚଳିତ ବର୍ଷ ଡିସେମ୍ବର ୧ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟରେ ୮୦ ହଜାର ୪୦, ହାଇକୋର୍ଟ ଗୁଡିକରେ ୬୧ ଲକ୍ଷ ୭୫ ହଜାର ୫୭୯ ଏବଂ ଜିଲ୍ଲା ଓ ଅଧିନସ୍ତ ନ୍ୟାୟାଳୟ ଗୁଡିକରେ ୪ କୋଟି ୪୬ ଲକ୍ଷ ୩୦ ହଜାର ୨୩୭ଟି ମାମଲା ବିଚାର ଅପେକ୍ଷାରେ ପଡି ରହିଛି। ଶ୍ରୀ ମେଘୱାଲ କହିଛନ୍ତି, ବିଭିନ୍ନ ପ୍ରକାର ମାମଲା ବିଚାର ପାଇଁ ସମୟସୀମା ଧାର୍ଯ୍ୟ ନ ହେବା ଓ ନିରୀକ୍ଷଣ ବ୍ୟବସ୍ଥା ନ ରହିବା ଦ୍ୱାରା ମାମଲା ଗୁଡିକର ବିଚାର ପାଇଁ ଅଧିକ ସମୟ ଲାଗୁଛି।
ସେ କହିଛନ୍ତି, ୨୦୧୯ରେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ୩୧ରୁ ୩୪କୁ ବୃଦ୍ଧି ପାଇଥିବା ବେଳେ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୯୦୬ରୁ ୧୧୧୪କୁ ବୃଦ୍ଧି କରାଯାଇଛି। ଗତବର୍ଷ କେବଳ ହାଇକୋର୍ଟ ଗୁଡିକରେ ୧୬୫ ଜଣ ବିଚାରପତି ନିଯୁକ୍ତ ହୋଇଥିବା ବେଳେ ଚଳିତ ଡିସେମ୍ବର ୧୧ ସୁଦ୍ଧା ଆଉ ୧୧୦ ଜଣ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଛି।



