www.samajalive.in
Wednesday, December 10, 2025
16.1 C
Bhubaneswar

ସମ୍ପାଦକୀୟ: ମଣିପୁରରୁ ଆହ୍ୱାନ

୨୦୨୩ ମେ’ ମାସରୁ ଉତ୍ତର-ପୂର୍ବାଞ୍ଚଳର ସୁନ୍ଦର ରାଜ୍ୟ ମଣିପୁର ଜାତିଆଣ ହିଂସାରେ ଜର୍ଜରିତ। ଏହି ହିଂସାରେ ୨୬୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୬୦,୦୦୦ରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ କୁକି-ଜୋ ସମ୍ପ୍ରଦାୟ ଅଟନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଣିପୁର ଗସ୍ତ, ହିଂସା ପରଠାରୁ ରାଜ୍ୟକୁ ତାଙ୍କର ପ୍ରଥମ ଗସ୍ତ ଥିଲା | ଏହି ଅବସରରେ ସେ ରାଜ୍ୟ ପାଇଁ ୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ସେ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ ହେଁ, ମୈତେଇ ଓ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ରାଜନୈତିକ ସମନ୍ୱୟ ପାଇଁ କୌଣସି ସ୍ପଷ୍ଟ ମାର୍ଗଦର୍ଶିକା କିମ୍ବା ହିଂସାରେ ଜଡିତ ଅପରାଧୀଙ୍କୁ ଦଣ୍ଡିତ କରିବା ପାଇଁ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି।

ମଣିପୁରର ଇତିହାସ ଜଟିଳତା ଓ ଅସନ୍ତୋଷରେ ଭରପୂର । ୧୯୫୩ ମସିହାରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଗସ୍ତ ସମୟରେ ମଧ୍ୟ ନାଗା ଜନଜାତିର ଲୋକେ ଭାରତୀୟ ଶାସନକୁ ପ୍ରଶ୍ନ କରିଥିଲେ। ଭାରତର ପ୍ରମୁଖ ନେତାମାନଙ୍କର ଉତ୍ତର-ପୂର୍ବାଞ୍ଚଳ ପ୍ରତି ଏକ ପାରମ୍ପରିକ ଦୃଷ୍ଟିକୋଣ ରହିଛି। ମୋଦୀ ମଣିପୁରକୁ ‘ଭାରତମାତାଙ୍କ ମୁକୁଟରେ ଏକ ଅଳଙ୍କାର’ ବୋଲି ବର୍ଣ୍ଣନା କରିଛନ୍ତି, ଯାହା ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ପୂର୍ବ ବୟାନ ସହିତ ସମାନ; କିନ୍ତୁ ଏହି କାବ୍ୟିକ ଭାଷା ମଣିପୁରବାସୀଙ୍କ ଲାଗି କୌଣସି ପ୍ରତିଶ୍ରୁତି ବହନ କରିନଥିଲା କି ଆଜି ବି କରି ନାହିଁ।

- Advertisement -

ମଣିପୁରରେ ରାଜନୀତିର ଉଗ୍ରତା ଭାରତର ସ୍ୱାଧୀନତା ପୂର୍ବରୁ ଆରମ୍ଭ ହୋଇଥିଲା। ଧାନର ଅଭାବ, ମିଶନାରୀଙ୍କ ଆଗମନ ଓ ୧୯୪୮ରେ ନିଜର ସମ୍ବିଧାନ ଥିବା ସତ୍ତ୍ୱେ କେବଳ ‘ସି-ଶ୍ରେଣୀ’ ରାଜ୍ୟର ମାନ୍ୟତା ମିଳିବା ଭଳି ଘଟଣା ସବୁ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା। ଇରାବତ ସିଂହଙ୍କ ଭଳି ନେତା ମୈତେଇ, ନାଗା, କୁକି ଓ ଜୋ ସମ୍ପ୍ରଦାୟକୁ ଏକଜୁଟ କରି ଏକ ବହୁ-ଜାତିଆଣ ବିଦ୍ରୋହ ମାଧ୍ୟମରେ ହିଁ ସଫଳତା ମିଳିପାରିବ ବୋଲି ବିଶ୍ୱାସ କରିଥିଲେ।
୧୯୬୬ରୁ ଆରମ୍ଭ କରି ପିପୁଲ୍ସ ଲିବରେସନ୍ ଆର୍ମି ଭଳି ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀ ଭାରତୀୟ ସେନା ବିରୋଧରେ ମାରାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ୧୯୯୦ ଦଶକରୁ କୁକି-ନାଗା, ମୈତେଇ-ମୁସଲମାନ୍, କୁକି-କାର୍ବି ଭଳି ଅନେକ ଆନ୍ତଃ-ଜାତିଆଣ ସଂଘର୍ଷ ଦେଖାଦେଇଥିଲା। ୨୦୦୧ରେ (ଏନଏସସିଏନ-ଆଇଏମ) ସହିତ ଅସ୍ତ୍ରବିରତି ଚୁକ୍ତି ମଣିପୁରକୁ ବିସ୍ତାର ହେବା ପରେ ମୈତେଇମାନଙ୍କ ମଧ୍ୟରେ ରାଜ୍ୟ ବିଭାଜନର ଭୟ ସୃଷ୍ଟି ହୋଇଥିଲା।

ନିକଟରେ କୁକି-ଜୋ ବିଦ୍ରୋହୀ ଗୋଷ୍ଠୀମାନଙ୍କ ସହିତ ‘ସସପେନସନ୍ ଅଫ୍ ଅପରେସନ୍ସ’ ଚୁକ୍ତିର ସମ୍ପ୍ରସାରଣ ଏବଂ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ଖୋଲିବା ଏକ ବଡ଼ ସକାରାତ୍ମକ ଖବର । ଏହା ଏକ ପ୍ରକାର ଆଶାର କିରଣ, ଯାହା ଏକ ଦୀର୍ଘସ୍ଥାୟୀ ସମାଧାନ ଦିଗରେ ଏକ ନୂତନ ମୋଡ଼ ଆଣିପାରେ । ଜାତୀୟ ରାଜପଥ ମଣିପୁରର ଜୀବନରେଖା ସଦୃଶ। ଏହା ରାଜ୍ୟର ଅର୍ଥନୀତିକୁ ପୁନଃ ସୁଦୃଢ଼ କରିବା ସହ ଜରୁରୀ ସାମଗ୍ରୀର ଅଭାବକୁ ଦୂର କରିବ । ଏହି ପଦକ୍ଷେପଗୁଡ଼ିକ ବିବାଦକୁ ପ୍ରଶମିତ କରିବା ଏବଂ ଜରୁରୀ ଆବଶ୍ୟକତା ପୂରଣ କରିବା ଦିଗରେ ବାସ୍ତବବାଦୀ ପଦକ୍ଷେପ ଅଟେ, ଯାହାକି ଦୀର୍ଘକାଳୀନ ଶାନ୍ତି ପ୍ରକ୍ରିୟା ପାଇଁ ଅପରିହାର୍ଯ୍ୟ।

ମଣିପୁରରେ ପରିଚୟ ରାଜନୀତିର ଏହି ବିଷାକ୍ତ ସ୍ଥିତିକୁ ସୁଧାରିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନ ଗଠନ କରିବା ଯେଉଁଥିରେ ସମସ୍ତ ଜାତିଗତ ପୃଷ୍ଠଭୂମିର ମଣିପୁରବାସୀ ଅର୍ଥପୂର୍ଣ୍ଣ ଭାବରେ ଅଂଶଗ୍ରହଣ କରିପାରିବେ, ତାହା ​‌େହଉଛି ଏକ ବିରାଟ ଆହ୍ୱାନ। ଏହି ପ୍ରକ୍ରିୟା ପାଇଁ କେବଳ ସରକାରୀ କର୍ମଚାରୀଙ୍କ ଦ୍ୱାରା ଯୋଜନା କାର୍ଯ୍ୟକାରୀ କରିବା ନୁହେଁ, ବରଂ ସମଗ୍ର ଭାରତର ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିରନ୍ତର ରାଜନୈତିକ ପ୍ରୟାସର ଆବଶ୍ୟକତା ରହିଛି। ମଣିପୁରକୁ ସ୍ବାଭାବିକତା ଆଡ଼କୁ ଫେରାଇବା ଦିଗରେ ପ୍ରଥମେ ଏକ ଲୋକପ୍ରିୟ ସରକାର ପ୍ରତିଷ୍ଠା ହେବା ଅପରିହାର୍ଯ୍ୟ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଯଦିଓ ଏକ ଆଶ୍ୱାସନା, ମାତ୍ର, ମଣିପୁରରେ ସ୍ଥାୟୀ ଶାନ୍ତି ଫେରାଇ ଆଣିବା ପାଇଁ ଏକ ସୁଚିନ୍ତିତ ରାଜନୈତିକ ସମାଧାନ ଅପରିହାର୍ଯ୍ୟ।

Hot this week

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

Related Articles

Popular Categories