www.samajalive.in
Friday, December 12, 2025
14.1 C
Bhubaneswar

ପୁଣି ମୋମୋ ନେଲା ଜୀବନ

କଟକ : ‘ମୋମୋ ଚ୍ୟାଲେଞ୍ଜ’ ନାମକ ଆଉ ଏକ ଅନଲାଇନ ଗେମ୍‍ ଏବେ ହ୍ୱାଟସ୍‍ଆପ ସମେତ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ବ୍ୟାପିବାରେ ଲାଗିଥିବା ବେଳେ ଏହି ଗେମ୍‍ ପାଇଁ ରାଜ୍ୟରେ ଆଉ ଜଣେ ଯୁବକ ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। କଟକ ଜିଲା ମାହାଙ୍ଗା ବ୍ଲକ ଉମର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଉମାକାନ୍ତ ବେହେରା (୨୫)। କିଛି ବର୍ଷ ହେବ ସେ ଚେନ୍ନାଇରେ କାମ କରୁଥିଲେ ଓ ଦୁଇ ମାସ ହେବ ନିଜ ଗ୍ରାମକୁ ଆସିଥିଲେ। ମାତ୍ର ବହୁ ସମୟ ଧରି ନିଜ ମୋବାଇଲରେ ଗେମ୍‍ ଖେଳୁଥିବାର ତାଙ୍କ ପରିବାର ଲୋକେ କହିଛନ୍ତି। ଆଜି ସକାଳେ ତାଙ୍କ ଝୁଲନ୍ତା ମୃତ ଦେହ ଗ୍ରାମର ଏକ କ୍ଲବ୍‍ ଘରୁ ଉଦ୍ଧାର କରାଯାଇଛି। ଉମାକାନ୍ତଙ୍କ ମୋବାଇଲରେ ମୋମୋ ଗେମ୍‍ ଥିବାର ସୂଚନା ମିଳିଛି। ଏହି ଗେମ୍‍କୁ ଖେଳି ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ରାଜ୍ୟର ଜଣେ ଇଞ୍ଜିନିୟରିଂ ଛାତ୍ର ‘ମୋମୋ ଚ୍ୟାଲେଞ୍ଜ’ ଗେମ୍‍ର ଶିକାର ହୋଇ ଶନିବାର ଆତ୍ମହତ୍ୟା କରିଥିଲେ।

ଅନ୍ୟ ପକ୍ଷରେ ଏହି ବିଜ୍ଜନକ ଖେଳ ନଖେଳିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପୁଲିସ୍‍ ପକ୍ଷରୁ ନିର୍ଦେଶନାମା ଜାରି କରାଯିବା ସହିତ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କୁ ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି। ଓଡ଼ିଶାର ଜଣେ ଇଞ୍ଜିନିୟରିଂ ଛାତ୍ର ‘ମୋମୋ ଚ୍ୟାଲେଞ୍ଜ’ ଗେମ୍‍ର ଶିକାର ହୋଇ ଆତ୍ମହତ୍ୟା କରିବା ପରେ ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଥିଲା

- Advertisement -

ଏହି ଗେମ୍‍ କ’ଣ ଓ କିପରି ବ୍ୟାପି ଥାଏ?

ଯେଉଁମାନେ ହ୍ୱାଟସ୍‍ଆପ୍‍ରେ ସକ୍ରିୟ ଅଛନ୍ତି ସେମାନଙ୍କ କଣ୍ଟାକ୍ଟ ଲିଷ୍ଟରେ ସଂଯୋଗ କରିବା ପାଇଁ ଏକ ଅଜଣା ନମ୍ବର ଆସିଥାଏ। ସମ୍ପୃକ୍ତ ହ୍ୱାଟସ୍‍ଆପ୍‍ ବ୍ୟବହାରକାରୀ ଏହି ଅଜଣା ନମ୍ବରକୁ ନିଜ ଫୋନର କଣ୍ଟାକ୍ଟ ଲିଷ୍ଟରେ ଯୋଡ଼ିବା ପରେ ଉକ୍ତ ନମ୍ବରରୁ ‘ମୋମୋ ଚ୍ୟାଲେଞ୍ଚ’ ନାମରେ ଏକ ବାର୍ତ୍ତା ଆସିଥାଏ। ପ୍ରତ୍ୟୁତ୍ତର ଦେଲେ ମୋମୋ ଚ୍ୟାଲେଞ୍ଜ ଗେମ୍‍ରେ ଭାଗନେବାକୁ ନିର୍ଦେଶ ଆସିଥାଏ। ଏହି ନମ୍ବରକୁ ସଂଯୋଗ କଲେ ବଡ଼ବଡ଼ ଆଖି ଥିବା ଏକ ବାଳିକାର ଚିତ୍ର ଆସିଥାଏ। ଏହି ଚିତ୍ରକୁ ଜାପାନୀ ‘ମୋମୋ ଡଲ’ ବୋଲି କୁହାଯାଏ। ଅଜଣା ନମ୍ବରକୁ ସଂଯୋଗ କରି ଏହି ଖେଳ ଖେଳିବାଦ୍ୱାରା ଗେମ୍‍ ଆଡମିନ୍‍ ତରଫରୁ ବିଭିନ୍ନ ସ୍ତରରେ ନିର୍ଦେଶନାମା ଆସିଥାଏ। ଅନଲାଇନ୍‍ରେ ଆସୁଥିବା ନିର୍ଦେଶନାମା ଅନୁଯାୟୀ ହ୍ୱାଟସ୍‍ଆପ୍‍ ବ୍ୟବହାରକାରୀ ଏହି ଖେଳ ଖେଳିଲେ ସମ୍ପୂର୍ଣ୍ଣ ଭାବେ ଏହାର ଶିକାର ହୋଇଥା’ନ୍ତି।

‘ମୋମୋ ଚାଲେଞ୍ଜ’ର ଶିକାର ବୋଲି କେମିତି ଜାଣିବେ ?

ଅନଲାଇନ୍‍ରେ ‘ମୋମୋ ଚ୍ୟାଲେଞ୍ଜ’ ଖେଳିବା ଦ୍ୱାରା ଖେଳାଳିଙ୍କ ଉପରେ ଏହା ମାନସିକ ଚାପ ପକାଇଥାଏ। ସେମାନେ ବିଭିନ୍ନ ଉପାୟରେ ନିଜ ଶରୀରକୁ ଆଘାତ ଦେଇଥା’ନ୍ତି କିମ୍ବା ଆତ୍ମହତ୍ୟା ଉଦ୍ୟମ କରିଥା’ନ୍ତି। ବିଶେଷକରି ଛୋଟ ପିଲା ଓ ଛାତ୍ରଛାତ୍ରୀଙ୍କୁ ଏହି ଗେମ୍‍ ଟାର୍ଗେଟ କରିଥାଏ। ଏହି ଗେମ୍‍କୁ ଖେଳୁଥିବା ପିଲାମାନେ ହଠାତ୍‍ ପରିବାର ଓ ବନ୍ଧୁମାନଙ୍କଠାରୁ ଦୁରତ୍ୱ ରକ୍ଷା କରିଥାନ୍ତି। ସେମାନେ ଏକାକୀ ରହିବାକୁ ପସନ୍ଦ କରିବା ସହ ବିଷଣ୍ଣ ଅବସ୍ଥାରେ ରହିଥାନ୍ତି। କୌଣସି କାର୍ଯ୍ୟରେ ମନ ନ ଦେବା ସହ ଚିଡିଚିଡା ପ୍ରବୃତ୍ତିର ବ୍ୟବହାର ପ୍ରଦର୍ଶନ କରିଥାନ୍ତି। ଏପରିକି ବିଭିନ୍ନ ସମୟରେ ନିଜ ଶରୀରକୁ ଆଘାତ ଦେଇ ହିଂସାତ୍ମକ କାର୍ଯ୍ୟକୁ ଆପଣେଇନେଇଥାନ୍ତି। ଏହି ଗେମ୍‍ ଖେଳିବା ଦ୍ୱାରା ହଠାତ୍‍ ଖେଳାଳିଙ୍କ କଣ୍ଟାକ୍ଟ ଲିଷ୍ଟରେ ଏକାଧିକ ଅଜଣା ଫୋନ ନମ୍ବର ଓ ଇମେଲ ଆଡ୍ରେସ୍‍ ଯୋଡ଼ି ହୋଇଥାଏ। ପୂର୍ବରୁ ବ୍ଲୁ-ହ୍ୱେଲ ଗେମ୍‍ ଖେଳି ବହୁ ଛାତ୍ରଛାତ୍ରୀ ମାନସିକ ସ୍ତରରେ ଦୁର୍ବଳ ହେବା ସହ ଆତ୍ମହତ୍ୟା କରିଥିଲେ। ଏବେ ପୁନଃ ‘ମୋମୋ ଚ୍ୟାଲେଞ୍ଜ’ ଆତଙ୍କ ସୃଷ୍ଟି କରିଛି।

କିପରି ଏହାକୁ ଏଡ଼ାଇବେ ?

‘ମୋମୋ ଚ୍ୟାଲେଞ୍ଜ’ ଗେମ୍‍ ନ ଖେଳିବା ପାଇଁ କିମ୍ବା ଏହାକୁ ପ୍ରୋତ୍ସାହିତ ନ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଦ୍ୟାର୍ଥୀ, ଯୁବଗୋଷ୍ଠୀ, ଅଭିଭାବକ, ଶିକ୍ଷକ ଓ ଗଣମାଧ୍ୟକୁ ସତର୍କ ସୂଚନା ଜାରି କରିଛି। ହ୍ୱାଟସ୍‍ଆପ ମାଧ୍ୟମରେ ଫୋନର କଣ୍ଟାକ୍ଟ ଲିଷ୍ଟରେ ଅଜଣା ନମ୍ବର ଯୋଡିବାକୁ କୌଣସି ବାର୍ତ୍ତା ଆସିଲେ ତାହାକୁ ତୁରନ୍ତ ଡିଲିଟ୍‍ କରିବାକୁ କୁହାଯାଇଛି। ଯଦି କୌଣସି ପିଲା ଅଧିକାଂଶ ସମୟ ମୋବାଇଲ ଫୋନ୍‍ କିମ୍ବା କମ୍ପ୍ୟୁଟରରେ ଗେମ୍‍ ଖେଳୁଛନ୍ତି, ସେମାନଙ୍କ ମଧ୍ୟରେ ଏପରି ଆଚରଣ ଦେଖା ଦେଇଥାଏ। ତେଣୁ ପିତାମାତା ସେମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଛି। ମୋବାଇଲ ଓ କମ୍ପ୍ୟୁଟରକୁ ନିୟମିତ ଯାଞ୍ଚ କରି ପିଲାମାନଙ୍କୁ ମାନସିକ ବିକାଶ ସଂକ୍ରାନ୍ତ ଗେମ୍‍ ଖେଳିବାକୁ ପରାମର୍ଶ ଦେବା ଉଚିତ୍‍। ପିଲାମାନେ ଅଧିକାଂଶ ସମୟ ସ୍କୁଲ ଓ ଘରେ ବିତାଇଥାନ୍ତି। ତେଣୁ ପିତାମାତା ଓ ଶିକ୍ଷକ ସେମାନଙ୍କ ପିଲାମାନଙ୍କ ଅଚରଣ ଓ ଗତିବିଧି ଉପରେ ନଜର ରଖିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ନିଜ ପିଲା କେଉଁମାନଙ୍କ ସହ ଅଧିକ ମିଶୁଛି, କଥା ମାନୁଛି କି ନାହିଁ ତାହା ପିତାମାତା ଜାଣିବାକୁ ଉଦ୍ୟମ କରିବା ଉଚିତ୍‍ ବୋଲି କୁହାଯାଇଛି। କୌଣସି ଅଘଟଣକୁ ‘ମୋମୋ ଚ୍ୟାଲେଞ୍ଜ’ ସହ ନ ଯୋଡି ଅନୁସନ୍ଧାନମୂଳକ ଖବର ପ୍ରକାଶ କରିବାକୁ ଗଣମାଧ୍ୟମଗୁଡ଼ିକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories