ମୋହନା: ସ୍ଥାନୀୟ ବ୍ଳକର ୩୯ଟି ପଞ୍ଚାୟତରେ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଗମାଞ୍ଚଳର ଲୋକେ ଜାଡ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମ୍ମଖୀନ ହେଉଛନ୍ତି। ପାରଦ ଦିନକୁ ଦିନ ଖସିବାରେ ଲାଗିଛି। ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ତା ସାଙ୍ଗକୁ ସକାଳ ୯ଟା ଯାଏଁ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ରବିବାର ମୋହନାର ତାପମାତ୍ରା ୧୨ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଥିବା ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ଜଣାପଡିଛି।
ଘନ କୁହୁଡିର ଚାଦର ତଳେ ସାରା ମୋହନା ବ୍ଲକ ଆଚ୍ଛାଦିତ ହୋଇ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି। ତା’ ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଉପାନ୍ତ ଅଞ୍ଚଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ରହୁଥିବା ଲୋକେ ଜାଡ ସହିନପାରି କେବଳ କାଠ ନିଆଁକୁ ଭରସା କରି ତାରି ପାଖରେ ବସି ରହୁଛନ୍ତି। ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ କମ୍ବଳ ଓ ଶୀତବସ୍ତ୍ର କିଣି ପାରୁନାହାନ୍ତି। ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ଚାହିଦା ବଢିବାରେ ଲାଗିଛି । ଫଳରେ ଅଡବା, ଚନ୍ଦ୍ରଗିରି, ଲୁହାଗୁଡି, ମୋହନା, ଚାନ୍ଦିପୁଟ ,ଅନ୍ତରବା, ଚୁଡଙ୍ଗପୁର, ବିରିକୋଟ, ପାଣିଗଣ୍ଡା ଆଦି ଗ୍ରାମ ଗୁଡିକରେ ଦୋକାନୀମାନେଶୀତବସ୍ତ୍ରର ପସରା ଖୋଲିଥିବା ଦେଖାଯାଉଛି। ଲୋକେ ଶୀତବସ୍ତ୍ର କିଣାକିଣି କରିବେର ଆଗ୍ରହ ଦେଖାଉଥିବା ଜଣାପଡ଼ିଛି। ଦେଖିବାକୁ ମିଳୁଛି।
ସେହିପରି ବ୍ଳକର ଦୁର୍ଗମ ଅଞ୍ଚଳ ଗରଡମା,ଶିମିଳି , ମୋହନାଗୁଡା , ରାଇପଙ୍କା, ମାନ୍ଦ୍ରାବାଜୁ, ମଳାସ ପଦର, କଟାମା,ଡେଙ୍ଗେସଖାଲ,ଗୁଲୁବା,ମାଣ୍ଡି ମେରା, ରାଜଖମା,ଢ଼େପାଗୁଡା, ବାଲିଗଣ୍ଡା , ଚୁଡଙ୍ଗପୁର, ଅନ୍ତରବା, ଶିଆଳିଲଟି, ବାମ ଦେଇ ପଦା,ପଣସଢିଅ , ଖାରିଗୁଡା ଆଦି ଅଞ୍ଚଳରେ ମଧ୍ୟ ତାପମାତ୍ରା ୧୦ ଡିଗ୍ରୀ ଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।



