ମୋହନ, ମୁକେଶ ନିଲମ୍ବିତ
ବାଚସ୍ପତିଙ୍କ ପୋଡିୟମକୁ ବିଜେପି ବିଧାୟକଙ୍କ ଡାଲିମାଡ଼
ଉଭୟଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ କ୍ଷୁବ୍ଧ : ବାଚସ୍ପତି
ଭୁବନେଶ୍ବର : ବିଧାନସଭା ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର। ହେଲେ ଗୁରୁବାର ଅପରାହ୍ଣରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ବିରୋଧୀ ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ଗୃହ ପରିଚାଳନାକୁ ନେଇ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମକୁ ଡାଲି ପୁଡ଼ିଆ ଫିଙ୍ଗିଥିଲେ। ଏଭଳି ଅଶୋଭନୀୟ ଆଚରଣ ପାଇଁ ବିରୋଧୀଦଳ ମୁଖ୍ୟସଚେତକ ମୋହନ ମାଝି ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ଚଳିତ ଅଧିବେଶନରେ ଅବିଶିଷ୍ଟ ଦିନଗୁଡ଼ିକ ଲାଗି ନିଲମ୍ବିତ କରାଯାଇଛି। ଉଭୟ ସଦସ୍ୟ ଚଳିତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ କହିଥିଲେ।
ଆଜି ପ୍ରଥମାର୍ଦ୍ଧର ଶୂନ୍ୟକାଳରୁ ବିରୋଧୀଦଳ ନେତାଙ୍କୁ ଶାସକ ଦଳ ସଦସ୍ୟଙ୍କ ମାନସିକ ବିକୃତି ଆକ୍ଷେପକୁ ନେଇ ବିଜେପି ସଭ୍ୟମାନେ ପ୍ରତିବାଦ କରିଥିଲେ। ଉକ୍ତ ଶବ୍ଦକୁ ଗୃହର ବିବରଣୀରୁ ବାଦ୍ ଦେବା ଲାଗି ବିଜେପି ଜିଦ୍ ଧରିଥିଲା। ଗୃହ ଓ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ସମୟରେ ବିଜେପି ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହ ମଧ୍ୟଭାଗରେ ହୋହଲ୍ଲା ସହ ନାରାବାଜି କରିଥିଲେ। ଏହି ସମୟରେ ପଲିଥିନ୍ରେ ଆଣିଥିବା ଡାଲି ଦେଖାଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଶ୍ରୀ ମାଝି ଓ ଶ୍ରୀ ମହାଲିଙ୍ଗ ଫିଙ୍ଗି ଥିଲେ। ଏଭଳି ଆଚରଣକୁ ନେଇ ଉଭୟ ସଦସ୍ୟଙ୍କ ବିରୋଧରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏକ ପ୍ରସ୍ତାବ ଆଣି ଗୃହରୁ ନିଲମ୍ବିତ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ଶ୍ରୀମତୀ ମଲ୍ଲିକ ବାଚନିକ ଭୋଟ୍ରେ ଏହି ପ୍ରସ୍ତାବଟିକୁ ଗୃହୀତ କରାଇଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଖର୍ଚ୍ଚଦାବି ଆଲୋଚନା ଚାଲିଥିବା ସମୟରେ ଗୃହକାର୍ଯ୍ୟ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ।
ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାଚସ୍ପତି ପ୍ରମିଳା ମଲ୍ଲିକ ଗଣମାଧ୍ୟମରେ କହିଛନ୍ତି, ଉଭୟଙ୍କ ଆଚରଣ ଓ ଉଚ୍ଚାରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି। ସମ୍ବିଧାନର ବିଧି ଅନୁସାରେ ଗୃହର ମତ ନେଇ ନିଲମ୍ବନ କରାଯାଇଛି। ନିଲମ୍ବନକୁ ନେଇ ଗୃହ ବାହାରେ ଶ୍ରୀ ମାଝି କହିଥିଲେ, ବିନା ଦୋଷରେ ମୋତେ ନିଲମ୍ବନ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କିମ୍ବା ଉପହାର ମଧ୍ୟ ଦେଇନି। ଭିଜୁଆଲ୍ ନଦେଖି ବାଚସ୍ପତି ଏପରି ନିଷ୍ପତ୍ତି କେମିତି ନେଲେ; ତାହା ଆଶ୍ଚର୍ଯ୍ୟଜନକ। ବାଚସ୍ପତି ଡାଲି ଖାଇବାକୁ ଭଲ ପାଆନ୍ତି। ଆମ ବିଧାୟକମାନଙ୍କ ତରଫରୁ ଉପହାର ଦେବା ପାଇଁ ଡାଲି ଅଣାଯାଇଥିଲା। ଏ ଘଟଣାରେ ମୁଁ ସମ୍ପୂର୍ଣ୍ଣ ନିର୍ଦୋଷ। ଅସତ୍ୟ କଥାକୁ ଆଧାର କରି ବାଚସ୍ପତି ଯେଉଁ ନିଷ୍ପତ୍ତି ନେଲେ, ତାହା ନିନ୍ଦନୀୟ। ଏହାର ଘୋର ପ୍ରତିବାଦ କରିବୁ। ସେହିପରି ନିଲମ୍ବିତ ସଦସ୍ୟ ଶ୍ରୀ ମହାଲିଙ୍ଗ ଗଣମାଧ୍ୟମରେ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ରଖିବାକୁ ସୁଯୋଗ ଦିଆଯାଉନି। ଆମେ ଏହାର ପ୍ରତିବାଦ କରିଥିଲୁ। ସେ ଡାଲିକୁ ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ। ବାଚସ୍ପତି ନିର୍ଦଳୀୟ ନିଷ୍ପତ୍ତି ନେବା କଥା। ସେ ସେମିତି କରୁନାହାନ୍ତି। ସେ ନିରପେକ୍ଷ ହେଉ ନ ଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସେମାନେ ମାନସିକ ଭାରସାମ୍ୟ ହରାଇଛନ୍ତି(ମେଣ୍ଟାଲ ଡିଜ୍ଅର୍ଡର)କହିଲେ। ଏହାକୁ ଗୃହ ବିବରଣୀରୁ ବାଦ୍ ଦେବାକୁ କହିଲୁ, ବାଚସ୍ପତି ଗ୍ରହଣ କଲେନି। ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ। ଏ ନିଲମ୍ବନକୁ ଆମେ ଭ୍ରୂକ୍ଷେପ କରୁନୁ। ଆମ ପ୍ରତିବାଦ ଜାରି ରହିବ ବୋଲି ଶ୍ରୀ ମିଶ୍ର କହିଥିଲେ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହି କଡ଼ା ନିନ୍ଦା କରିଛନ୍ତି। ସେ କହିଥିଲେ ଯେ, ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ମହିଳା ବାଚସ୍ପତିଙ୍କ ପ୍ରତି ଏହି ଆଚରଣ ନିନ୍ଦନୀୟ। ଗୃହର ମତକୁ ନେଇ ମୁଖ୍ୟ ସଚେତକ ପ୍ରସ୍ତାବ ଆଗତ କରିଥିଲେ, ଯେଉଁ ଦୁଇ ଜଣ ସଦସ୍ୟ ଏଭଳି କାର୍ଯ୍ୟ କରିଥିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସଙ୍କଳ୍ପ ପାରିତ ହେଲା। ସେମାନେ ବିଭିନ୍ନ ଫୋରମରେ ଭାଗ ନେଇ କହିପାରିଥାନ୍ତେ। ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନାରେ କହିପାରିଥାନ୍ତେ। ଆଚରଣ ଉଚ୍ଚାରଣରେ ବିଧାନସଭା ପରମ୍ପରା ଗରିମା କ୍ଷୁଣ୍ଣ ହେଲା। ବିଧାନସଭା ଇତିହାସରେ ଏହା କଳଙ୍କର ଦାଗ ବୋଲି ସେ କହିଥିଲେ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏଭଳି ଆଚରଣକୁ ଦୃଢ଼ ନିନ୍ଦା କରିଥିବାବେଳେ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଏଥିପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଯଥାର୍ଥ ବୋଲି କହିଥିଲେ।
Comments are closed.