ଡେସ୍କ: ଚାରି ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଲୋଚନା କରିଛନ୍ତି। ଏହି ଆଲୋଚନା ପରେ ଅନେକ ରାଜିନାମା ସ୍ୱାକ୍ଷରିତ ହୋଇଥିବା ଜଣାପଡିଛି। ଶ୍ରୀ ସୋଲି ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।
ଗତକାଲି ଶ୍ରୀ ସୋଲି ନୂଆଦିଲ୍ଲୀରେ ପହଂଚିବା ପରେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବଲିଆଁ ତାଙ୍କୁ ସ୍ୱାଗତ କରିଥିଲେ। ମାଳଦୀପ ରାଷ୍ଟ୍ରପତିଙ୍କ ସହ ସେଠାକାର ଏକ ଉଚ୍ଚସ୍ତରୀୟ ଅଧିକାରୀ ଓ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଆସିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଗତ ସନ୍ଧ୍ୟାରେ ମାଳଦୀପ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ଏକ ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ଭାରତର ‘ପଡ଼ୋଶୀ ଦେଶ ପ୍ରଥମେ’ ନୀତି ଓ ମାଳଦୀପର ‘ଭାରତ ପ୍ରଥମ ନୀତି’ ପରସ୍ପରର ପରିପୂରକ। ଏହି ନୀତି ଯୋଗୁଁ ଉଭୟ ପକ୍ଷ ମଧ୍ୟରେ ଭାଗିଦାରୀ ସମ୍ପର୍କରେ ଉନ୍ନତି ଘଟିଥିବା ସେ କହିଛନ୍ତି।



