ଉପବାସ ରାଜନୀତି: ସଂସଦ ଅଚଳ ପାଇଁ ଗୁରୁବାର ଉପବାସ ପାଳିବେ ମୋଦି
ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଜାତୀୟସ୍ତରରେ ରାଜନୀତି ସରଗରମ୍ ହେବାରେ ଲାଗିଛି। ଏହି କ୍ରମରେ ଦୁଇ ପ୍ରମୁଖ ରାଜନୈତିକ ଦଳ ଉପବାସ ପାଳନ କରିବା ଭଳି ନୂଆ ପ୍ରକାର ରାଜନୀତି ଆରମ୍ଭ କରିଛି। ସୋମବାର କଂଗ୍ରେସ ଦଳ ଦେଶବ୍ୟାପୀ ଉପବାସ ପାଳନ କରିଥିବାବେଳେ ଆସନ୍ତା ଗୁରୁବାର ବିଜେପି ଅନୁରୂପ ଉପବାସ ପାଳନ କରିବାକୁ ଯାଉଛି। ବିଜେପିର ଉପବାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ ଶାହା ସାମିଲ ହେବେ। ସଂସଦ ଅଚଳ ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ଦିନକିଆ ଅନାହାର ଅନଶନ ପାଳନ କରିବେ। ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ସମ୍ପୂର୍ଣ୍ଣ ରୂପେ ଅଚଳ ରହିଥିବାବେଳେ ଶାସକ ବିଜେପି ଏଥିପାଇଁ ବିରୋଧୀ ଦଳଗୁଡିକୁ ଦାୟୀ କରିଛି। ବିରୋଧୀ ଦଳଗୁଡିକର କାର୍ଯ୍ୟକୁ ବିରୋଧ କରି ପ୍ରଧାନମନ୍ତ୍ରୀଙ୍କ ସହିତ ଦଳର ସମସ୍ତ ସାଂସଦ ଗୁରୁବାର ନିଜ ନିଜ ନିର୍ବାଚନମଣ୍ଡଳୀରେ ଅନଶନ ପାଳନ କରିବେ। ବିଜେପିର ଅମିତ ଶାହା କର୍ଣ୍ଣାଟକର ହୁବଲିରେ ଅନୁରୂପ ଅନଶନ କରିବେ। ବିରୋଧୀ ଦଳଗୁଡିକର ହଟ୍ଟଗୋଳ ଯୋଗୁଁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ କୌଣସି କାର୍ଯ୍ୟ ହୋଇପାରି ନଥିଲା। କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳଗୁଡିକୁ ଉଦ୍ଦେଶ୍ୟମୂଳକ ଭାବେ ସଂସଦକୁ ଅଚଳ କରି ରଖିଥିଲେ ବୋଲି ବିଜେପି ଅଭିଯୋଗ କରିଛି। ସଂସଦ ଅଚଳ ରହିବାକୁ ନେଇ ବିଜେପି ଓ ଏନଡିଏର ସହଯୋଗୀ ଦଳଗୁଡିକର ସାଂସଦମାନେ ସେମାନଙ୍କର ୨୩ଦିନର ଦରମା ଓ ଅନ୍ୟାନ୍ୟ ଭତ୍ତା ଛାଡିବାକୁ ଘେଷଣା କରିଛନ୍ତି।
ପିଟିଆଇ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ଅନଶନ ପାଳନ କରିବା ସତ୍ତ୍ୱେ ନିଜର ସରକାରୀ କାର୍ଯ୍ୟ ସ୍ୱାଭାବିକ ଭାବେ କରିବେ। ସେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଲୋକଙ୍କୁ ସାକ୍ଷାତ କରିବା ସହିତ ସରକାରୀ ଫାଇଲ ଯାଞ୍ଚ ଓ ଦସ୍ତଖତ କରିବେ। ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ବିରୋଧ କରି ଅନଶନରେ ବସିଥିଲେ। ଏପରିକି ଦଳ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ ଜିଲା ମୁଖ୍ୟାଳୟରେ ଅନଶନ କରାଯାଇଥିଲା। ବିଜେପିକୁ ଦଳିତ ବିରୋଧୀ ବୋଲି ଆକ୍ଷେପ କରି କଂଗ୍ରେସ କହିଥିଲା ଯେ ଏହା ଦେଶରେ ହିଂସା ଓ ଅରାଜକତା ସୃଷ୍ଟି କରିବାକୁ ପଦକ୍ଷେପ ନେଉଛି।