www.samajalive.in
Saturday, December 6, 2025
16.1 C
Bhubaneswar

କେନ୍ଦ୍ର ଭଳି ଓଡ଼ିଶାରେ ମଜଭୁତ ସରକାର ଦରକାର: ମୋଦୀ

ସୁନ୍ଦରଗଡ଼ : କେନ୍ଦ୍ର ଭଳି ଓଡ଼ିଶାରେ ଏକ ମଜଭୁତ ସରକାର ଦରକାର । ଯାହା କେବଳ ବିଜେପି ହିଁ ଦେଇପାରିବ । ଭ୍ରଷ୍ଟ ସରକାର ଅପେକ୍ଷା ସଚ୍ଚୋଟ ସରକାର ଓ ବଂଶବାଦରୁ ଦୂରରେ ରହୁଥିବା ସରକାର ହିଁ ଓଡ଼ିଶାର ପ୍ରକୃତ ବିକାଶ କରି ପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୃଢ଼ତାର ସହ ଆହ୍ବାନ ଦେଇଛନ୍ତି । ଶନିବାର ସୁନ୍ଦରଗଡ଼ ରୁପିଡ଼ିହି ଠାରେ ବିଜେପିର ବିଜୟ ସଂକଳ୍ପ ଯାତ୍ରାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି କହିଲେ ଯେ, ବିଗତ ଦିନରେ ଓଡ଼ିଶାବାସୀ କଂଗ୍ରେସ ଓ ବିଜେଡ଼ି ସରକାରକୁ ଦେଖି ଆସିଛନ୍ତି । ସାରା ବିଶ୍ବରେ ଆମ ଦେଶର ସ୍ଥିତି ଓ ଏହାର ଦବ୍‌ଦବା ପାଇଁ ମୋ ସରକାର ଯେତିକି ଯତ୍ନବାନ ଓ ନିଷ୍ଠାର ସହ କାର୍ଯ୍ୟ କରିଛି ତାହା ସମଗ୍ର ଦେଶବାସୀ ଜାଣିଛନ୍ତି । ଆଗକୁ ଦେଶର ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟା ଦେଶ ପାଇଁ ଆହ୍ବାନ ସୃଷ୍ଟି କରୁଥିବା ବେଳେ ଏହାର କଡ଼ା ମୁକାବିଲା ଦୃଢ଼ ସରକାର ହିଁ କରିପାରିବ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାବାସୀଙ୍କୁ କିଭଳି ସରକାର ଦରକାର ତାହା ସେମାନେ ନିଜେ ଫଇସଲା ନିଅନ୍ତୁ ବୋଲି କହିବା ସହ ସବୁ ବର୍ଗର ବିକାଶ କରୁଥିବା ସରକାର ଆଗକୁ ମଧ୍ୟ ବିକାଶର ଧାରାକୁ ଅଧିକ ତ୍ବରାନ୍ନିତ କରିବ ବୋଲି କହି ସୁନ୍ଦରଗଡ଼ ଜିଲାର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଲେ ଯେ, ଆଜି ଭଳି ଏକ ପବିତ୍ର ଦିନ(ନବରାତ୍ରି ଆରମ୍ଭ ଓ ଦଳର ପ୍ରତିଷ୍ଠା ଦିବସ) ଅବସରରେ ମୁଁ ସୁନ୍ଦରଗଡ଼ରେ ଥିବାରୁ ନିଜକୁ ଧନ୍ୟ ମନେ କରୁଛି । ସୁନ୍ଦରଗଡ଼ିଆ ଭାଇଭଉଣୀ ଓ ଆରାଧ୍ୟ ଦେବତା ମା ଶିଖରବାସିନୀ ଓ ମା ସମଲେଇଙ୍କ ଆଶୀର୍ବାଦ ଭିକ୍ଷା କରୁଛି । ମୋ ସରକାର ଦେଶରେ ଆତଙ୍କୀ କାର୍ଯ୍ୟକଳାପ ଚଳାଇ ଅଶାନ୍ତି ସୃଷ୍ଟି କରୁଥିବା ତତ୍ତ୍ବମାନଙ୍କ ବିରୁଦ୍ଧରେ ଘରେ ପଶି ଆକ୍ରମଣ କରୁଥିବା ବେଳେ କଂଗ୍ରେସ ସରକାର ସେମାନଙ୍କୁ ପ୍ରୋତ୍ସାହନ ଓ ସୁରକ୍ଷାକୁ ସମର୍ଥନ ଦେଉଛି ବୋଲି ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ଦେଶ ପାଇଁ ଶୁଭଙ୍କର ନୁହେଁ ବୋଲି କହିବା ସହ ସମସ୍ତଙ୍କ ସହ ସମସ୍ତଙ୍କୁ ନେଇ ବିକାଶ ଧାରାରେ ସାମିଲ ଥିବା ବିଜେପି ସରକାର ଭଳି ଓଡ଼ିଶାରେ ଏକ ମଜଭୁତ ସରକାର ଜରୁରୀ ବୋଲି କହିଥିଲେ । ରାଜ୍ୟ ସରକାର ସବୁ ବେଳେ କେନ୍ଦ୍ରର ଦୋଷ ଦେଇ ଖସି ଯାଇ ପାରିବେ ନାହିଁ ବୋଲି କହି କେନ୍ଦ୍ରର ବହୁ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି କହିବା ସହ ପରୋକ୍ଷରେ ଏହା ଓଡ଼ିଶାବାସୀଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରୁଛି ବୋଲି କହିଥିଲେ । ଯଦି ରାଜ୍ୟ ସରକାର ଓଡ଼ିଶାର ପ୍ରକୃତ ବିକାଶ ଚାହୁଥିଲେ ତେବେ ଆୟୁଷ୍ମାନ ଯୋଜନା, କୋଲ କରିଡ଼ର ଓ ଅନ୍ୟାନ୍ୟ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିଥାନ୍ତେ ବୋଲି କହିଥିଲେ । ନିର୍ଦ୍ଧାରିତ ସମୟରୁ ଅଳ୍ପ କିଛି ବିଳମ୍ବରେ ମଞ୍ଚକୁ ମୋଦୀ ଜୀ ଆସିବା ମାତ୍ରେ ‘ମୋଦୀ ମୋଦୀ’ ସ୍ଲୋଗାନ ସମଗ୍ର ଅଞ୍ଚଳରେ ଗୁଞ୍ଜରିତ ହୋଇଥିଲା । ଲୋକସଭା ପ୍ରାର୍ଥୀ ଜୁଏଲ ଓରାମ ସ୍ବାଗତ ଭାଷଣ ଦେଇଥିବା ବେଳେ ସୁନ୍ଦରଗଡ଼ ସାଂଗଠନିକ ଜିଲା ପକ୍ଷରୁ ପୂର୍ବତନ ବିଧାୟିକା ସୁଷମା ପଟେଲ, ସାଂଗଠନିକ ଜିଲା ସଭାପତି ବଟକିଶୋର ମିଶ୍ର, ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀନୀ କୁସୁମ ଟେଟେ ପ୍ରମୁଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିରାଟ ପୁଷ୍ପମାଲ୍ୟ ପିନ୍ଧାଇ ସ୍ବାଗତ କରିଥିଲେ । ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବିଜେପି ରାଜ୍ୟ ସାଧାରଣ ସଂପାଦକ ରଞ୍ଜନ ପଟେଲ, ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପ୍ରାର୍ଥୀ ଜୁଏଲ ଓ କୁସୁମଙ୍କ ସମେତ ବ୍ରଜରାଜନଗର ଦଳୀୟ ପ୍ରାର୍ଥୀ ରାଧାରାଣୀ ପଣ୍ଡା, ରାଜଗାଙ୍ଗପୁର ପ୍ରାର୍ଥୀ ନରସିଂହ ମିଞ୍ଜ, ବୀରମିତ୍ରପୁର ପ୍ରାର୍ଥୀ ଶଙ୍କର ଓରାମ, ରାଉରକେଲାର ନିହାର ରାଏ, ବଣେଇର ଅନିଲ ବାର୍ଲା, ତଳସରାର ଭବାନୀ ଭୋଇ, ଝାରସୁଗୁଡ଼ା ପ୍ରାର୍ଥୀ ଦିନେଶ ଜୈନ, କୁଚିଣ୍ଡାର ରବି ନାୟକ ଓ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲା ସଭାପତି ବଟକିଶୋର ମିଶ୍ର ପମୁଖ ମଞ୍ଚାସିନ ଥିଲେ । ଶେଷରେ ଜୁଏଲ ଓରାମ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories