ଭୁବନେଶ୍ୱର/ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ନର୍ସଙ୍କ ଟିକ୍ଟକ୍ ଭିଜୁଆଲ୍ ଭାଇରାଲ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୃଢ଼ ପଦକ୍ଷେପ ନେଇଛନ୍ତି। ଜରୁରୀ ମେଡିକାଲ ଗୃହ ଭିତରକୁ ନର୍ସମାନେ ମୋବାଇଲ ନେବେ ନାହିଁ। ସେମାନେ ଅପରେସନ ଗୃହ, ଆଇସିୟୁ, ଶିଶୁ ଯତ୍ନ ଗୃହ, ସ୍ୱତନ୍ତ୍ର ଶିଶୁ ଚିକିତ୍ସା ଗୃହ ଏବଂ ଜରୁରୀକାଳୀନ ସେବା ଗୃହ ମଧ୍ୟକୁ ମୋବାଇଲ ନ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀ ସେବାରେ ବାଧା ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ସେମାନେ ୱାର୍ଡ କିମ୍ବା ମେଡିକାଲ ଗୃହ ମଧ୍ୟକୁ ଯିବା ପୂର୍ବରୁ ମୋବାଇଲ ସ୍ଵିଚ ଅଫ କରି ଜମା କରିବେ।
ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୪ ଜଣ ନର୍ସଙ୍କ ଏକ ଟିକ୍ଟକ୍ ଭିଡିଓ ଭାଇରାଲ୍ ହୋଇଥିଲା। ଭିଡିଓରେ ସେମାନେ ବେଡ଼ରୁ ଛୋଟ ପିଲାଙ୍କୁ ଟେକି ନେଇ ଚଳଚ୍ଚିତ୍ର ସଂଳାପରେ ନାଚୁଥିବା ଦେଖାଯାଇଥିଲା। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେହି ୪ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ଯିବାକୁ କହିଥିଲେ। ଚିକିତ୍ସାଧିନ ପିଲାଙ୍କୁ ମଧ୍ୟ ସେମାନେ ବେଡ଼ରୁ ଟେକି ନେଇ ଭିଡ଼ିଓ ସୁଟିଂ କରିଥିଲେ।



