ମିଶନ ଶକ୍ତି ଘରକୁ ଭାଙ୍ଗିଲା ବ୍ଲକ ପ୍ରଶାସନ

କଳାପଥର: ବାଙ୍କୀ ବ୍ଲକର ମିଶନ ଶକ୍ତି ଘରକୁ ବ୍ଲକ ପ୍ରଶାସନ ଭାଙ୍ଗି ପୁଣି ତିଆରି କରୁଛି । କିଛି ମାସ ତଳେ ଏହି ଘରକୁ ସ୍ଥାନୀୟ ପୂର୍ତ୍ତ ବିଭାଗ ୪୦ ଲକ୍ଷ ଟଙ୍କାରେ ଟେଣ୍ଡର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲା । ତେବେ ନିର୍ମାଣାଧୀନ ଗୃହଟି ଏମିତି କ’ଣ ହୋଇଥିଲା ଯେ, ତାକୁ ପୁନଶ୍ଚ ଭାଙ୍ଗିବାକୁ ପଡ଼ିଲା, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି।

ଜଣାଯାଇଛି ଯେ , ବାଙ୍କୀ ବ୍ଲକର ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ସରକାରୀ ଭାବରେ ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ଜନୈକ ଠିକାଦାର ଏହାର ନିର୍ମାଣ ଦାୟିତ୍ବ ନେଇଥିଲେ । କାର୍ଯ୍ୟ ଶେଷ ହେବା ପରେ ପୂର୍ତ୍ତ ବିଭାଗ ଉକ୍ତ ଘରକୁ କିଛି ମାସ ତଳେ ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲା। ମାତ୍ର ଦେଖିବାକୁ ମିଳୁଛି ଯେ, ଉକ୍ତ ନିର୍ମାଣାଧୀନ ଘରକୁ ବାଙ୍କୀ ବ୍ଲକ ପ୍ରଶାସନ ଭାଙ୍ଗିରୁଜି ଆଉଥରେ ନିର୍ମାଣ ଆରମ୍ଭ କରିଛି । ଉକ୍ତ ଘରେ ସରକାରୀ ଭାବରେ କୌଣସି କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହୋଇନାହିଁ । ଅଥଚ ବ୍ଲକ ହେଡ଼ କ୍ୱାର୍ଟର୍ସ ଦାୟିତ୍ୱରେ ଥିବା ଯନ୍ତ୍ରୀ ଉକ୍ତ ଘରକୁ ଭାଙ୍ଗି ଆଉଥରେ ନିର୍ମାଣ ଆରମ୍ଭ କରିଛନ୍ତି । ଯେଉଁଥିରେ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯିବାକୁ ଆକଳନ ହୋଇଛି । ଯନ୍ତ୍ରୀ ଏହି କାର୍ଯ୍ୟ ସମ୍ପାଦନ କରିବାକୁ ତାଙ୍କ ନାମରେ ଠିକାଦାରୀ ଅନୁମତି ରହିଥିବା ବେଳେ ଏହାର କାର୍ଯ୍ୟ ଶାସକ ଦଳର କର୍ମୀ ତୁଲାଉଛନ୍ତି ।

କେବଳ ଏତିକି ନୁହେଁ ବାଙ୍କୀ ବ୍ଲକ କାର୍ଯ୍ୟାଳୟ ଅଞ୍ଚଳରେ ଦୁଇ ଦୁଇଟି ପ୍ରକଳ୍ପ ନିର୍ମାଣ କରାଯାଉଛି । ଗୋଟିଏ ୪୦ ଲକ୍ଷ ଟଙ୍କାର ହୋଇଥିବା ବେଳେ ପୁରୁଣା ବ୍ଲକ ଅଫିସ ରାତାରାତି ଭାଙ୍ଗି ସେଠାରେ ଯେଉଁ ଗୃହ ନିର୍ମାଣ କରାଯାଉଛି ସେଥିରେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଆକଳନ ହୋଇଛି । ଏହିଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ବେଆଇନ୍ ହୋଇଥିବାରୁ କର୍ତ୍ତୃପକ୍ଷ ପ୍ରକଳ୍ପକୁ ୬ ଗୋଟି ଭାଗରେ ବିଭକ୍ତ କରି ଯନ୍ତ୍ରୀଙ୍କ ନାମରେ କରାଇଛନ୍ତି । ବିନା ଟେଣ୍ଡରରେ ଏସବୁ ବେଆଇନ୍ କାର୍ଯ୍ୟ କରାଯାଇ ପରେ ଦଳୀୟ କର୍ମୀଙ୍କୁ ଟେକି ଦିଆଯାଉଛି । ଯେଉଁଥିରେ ୨୦ ଭାଗ କମିଶନ ଆଦାୟ କରାଯାଉଥିବା କୁହାଯାଉଛି । ଅତ୍ୟନ୍ତ ନିମ୍ନମାନର ଇଟା, କମ୍ ପରିମାଣର ସିମେଣ୍ଟ , କଂକ୍ରିଟ ବ୍ୟବହାର କରାଯାଇ କାମ ହେଉଥିବା ଦେଖିବାକୁ ମିଳୁଛି। କୋଠା ତିଆରି ହୋଇଛି ସତ , କିନ୍ତୁ ଏହାର ପ୍ଲିନ୍ଥ ଖୋଳାଯାଇ ନାହିଁ । କେବଳ ବିମ୍ ତିଆରି ହୋଇ ମାଟି ଉପରେ କାନ୍ଥ ଗଢା ହୋଇଛି, ଯାହାର ତଦନ୍ତ କଲେ ସତ୍ୟତା ଜଣାପଡ଼ିବ । ତେବେ ଶାସକ ଦଳର କର୍ମୀ ଏହି କାର୍ଯ୍ୟ କରୁଥିବାରୁ ସାଧାରଣ ଲୋକମାନେ ଭୟରେ ଆପତ୍ତି କରୁ ନାହାଁନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି।

ଏ ସଂପର୍କରେ ବ୍ଲକ ଯନ୍ତ୍ରୀ ହେମନ୍ତ କୁମାର ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଲେ, ସେ ବିଷୟରେ କିଛି ଜାଣି ନାହାଁନ୍ତି। ବିଡ଼ିଓ ମନସ୍ଵିନୀ ଦାସଙ୍କୁ ଏ ସମ୍ପର୍କରେ ମତାମତ ସଂଗ୍ରହ ଲାଗି ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ ଉଠାଇ ନ ଥିଲେ ।

Comments are closed.