ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗଳି ଗଳିରେ ଲୁଟ୍ପାଟ୍ ଓ ଛିନ୍ତାଇ ଘଟଣା ଅତି ସାଧାରଣ ଥିବା ବେଳେ ଏବେ ଝିଅ ବୋହୂଙ୍କ ପ୍ରତି ଅସଦାଚରଣ ଚରମସୀମାରେ ପହଞ୍ଚିଛି । ଝିଅ ବୋହୂ ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇ ଗଲାଣି । କିଛି ଦିନ ତଳେ ସାଇକେଲ ନେଇ ଟିଉସନ୍ ଯାଉଥିବା ଜଣେ ନାବାଳିକା ଛାତ୍ରୀ ଅସଦାଚରଣ ଶିକାର ହୋଇଥିଲେ । ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ସେହି ଘଟଣାର ପୁରା ଦୃଶ୍ୟ ଆଜି ସମ୍ନାକୁ ଆସିଛି । ଏହି ଘଟଣାକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ହାତ ବାନ୍ଧି ବସିଛି । ସିସିଟିଭି ଫୁଟେଜ୍ରେ ଅଭିଯୁକ୍ତର ଚେହେରା ଓ ଗାଡି ନମ୍ବର ସହଜରେ ଜଣାପଡୁଥିବା ବେଳେ ପୁଲିସ କିନ୍ତୁ ଅଭିଯୁକ୍ତକୁ ଗିରଫ କରିବାରେ ଫେଲ୍ ମାରିଛି । ତେଣୁ ଜାଣିଶୁଣି ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବା ପରିବାରଲୋକ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଶବର ସାହିର ଜଣେ ନାବାଳିକା ଛାତ୍ରୀ ଟିଉସନ୍ ଯାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଗାଡିରେ ଆସି ତାଙ୍କୁ ପ୍ରଥମେ ପିଛା କରିଥିଲେ ଏବଂ ପରେ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଅଟକାଇ ଅସଦାଚରଣ କରିଥିଲେ। ଏ ନେଇ ନାବାଳିକା ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ଥାନାରେ ଏତଲା ଦିଆଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ।



