ଜାମ୍ମୁ: ଜାମ୍ମୁରେ ଜଣେ କାଶ୍ମୀର ପଣ୍ଡିତ ସରପଞ୍ଚଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ପୁଣି ଥରେ ଦଳିତ ହିନ୍ଦୁମାନଙ୍କୁ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଜାମ୍ମୁ-କାଶ୍ମୀରରେ ଦଳିତ ହିନ୍ଦୁ ଏବଂ ଅସୁରକ୍ଷିତ ମୁସଲମାନଙ୍କୁ ଅସ୍ତ୍ରଶସ୍ତ୍ର ଦେବା ଲାଗି ପୂର୍ବତନ ଡିଜିପି ସୁରେଶ ପାଉଲ କହିଛନ୍ତି। ସେ କହିଛନ୍ତି, ଦଳିତ ହିନ୍ଦୁ ଏବଂ ଅସୁରକ୍ଷିତ ମୁସଲମାନଙ୍କୁ ଅସ୍ତ୍ର ଚାଳନା ପ୍ରଶିକ୍ଷଣ ଦିଆଯାଉ। ଏହା ସହିତ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରଦାନ କରାଯାଉ, ଯାହାଫଳରେ ସେମାନେ ଆତଙ୍କବାଦୀଙ୍କଠାରୁ ନିଜର ସୁରକ୍ଷା କରିପାରିବେ।
ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲକୁ ପୂର୍ବତନ ଡିଜିପି ପାଉଲ କହିଛନ୍ତି, ଦଳିତ ସମ୍ପ୍ରଦାୟ ଏବଂ କାଶ୍ମୀରୀ ହିନ୍ଦୁମାନଙ୍କ ସୁରକ୍ଷା ନେଇ ସେମାନଙ୍କ ମନରେ ସକାରାତ୍ମକ ଭାବନା ରହିବା ଦରକାର। ଏଥିପାଇଁ ସରକାର ସବୁ ପ୍ରକାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଉଚିତ। ତେଣୁ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ସହିତ ଆତଙ୍କବାଦୀଙ୍କଠାରୁ ନିଜକୁ ରକ୍ଷା କରିବା ଲାଗି ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ। ଏହା କୌଣସି କ୍ଷତିକାରକ ହେବ ନାହିଁ ବୋଲି ସେ କହିଛନ୍ତି। କାଶ୍ମୀରରେ ଗ୍ରାମ ପ୍ରତିରକ୍ଷା କମିଟି(ଭିଡିସି) ଗଠନ କରାଯାଇ ପାରିବ। ତେବେ ଏଥିପାଇଁ ସବିଶେଷ ଯୋଜନା କରିବା ଦରକାର। କାଶ୍ମୀର ଉପତ୍ୟକାରେ ଗ୍ରାମ ପ୍ରତିରକ୍ଷା କମିଟି ଗଠନ କରିବା କଷ୍ଟକର, କିନ୍ତୁ ଅସମ୍ଭବ ନୁହେଁ ବୋଲି ପାଉଲ କହିଛନ୍ତି।
ସୂଚନାଯୋଗ୍ୟ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାରେ କାଶ୍ମୀର ହିନ୍ଦୁ ସରପଞ୍ଚ ଅଜୟ ପଣ୍ଡିତ ଭାରତୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଅନେକ ବିସ୍ଥାପିତ କାଶ୍ମୀର ପଣ୍ଡିତ ସେମାନଙ୍କୁ ନିଜର ସୁରକ୍ଷା ପାଇଁ ସରକାର ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଦାବି କରିଛନ୍ତି।



