www.samajalive.in
Saturday, December 6, 2025
15.1 C
Bhubaneswar

ନାବାଳିକାକୁ ସାବାଳିକା କହି ଝରିଗାଁ ପୁଲିସ ବିବାହ କରାଇବା ଅଭିଯୋଗ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକଲେ ମା’ଘର ଅଧ୍ୟକ୍ଷା

ନବରଙ୍ଗପୁର: ଝରିଗାଁ ଥାନା ଅନ୍ତର୍ଗତ ଚଚ୍ଚା ପଞ୍ଚାୟତର ପରଲିଆଗୁଡା ଗ୍ରାମର ଜନୈକ ନାବାଳିକାକୁ ଇଚ୍ଛାପୁର ଗ୍ରାମର ଜଣେ ବିବାହିତ ଯୁବକ ଗୁରୁବାରୁ ମାଝୀ ଗତ ସେପ୍ଟେମ୍ବର ମାସ ୭ ତାରିଖରେ ରାତିରେ ଘରୁ ଟାଣି ନେଇଥିଲା। ନାବାଳିକାର ପିତା ଅସୁସ୍ଥତା କାରଣରୁ ଅଲଗା ବଖରାରେ ଶୋଇଥିଲେ। ତାଙ୍କ ମା’ ପୁଅ ପାଖକୁ କାଦମାଲି ଗାଁକୁ ଯାଇଥିଲେ। ଦୁଇଜଣ ଯୁବକ ଗୁରୁବାରୁମାଝୀ ଓ ପୂର୍ଣ୍ଣ ମାଝୀ ଏକ ବାଇକରେ ଚଚ୍ଚା ଜଙ୍ଗଲଗ୍ରାମ ଯୋଗୀଝରଣକୁ ନେଇଥିଲେ। ସେଠାରୁ ବାଇକରେ ନେବା ପରେ ଯୁବକ ପୂର୍ଣ୍ଣ ମାଝୀ ନାବାଳିକା ଓ ଗୁରୁାବାରୁକୁ ଛାଡି ଚାଲି ଆସିଥିଲା। ଏହି ଗ୍ରାମରେ ନାବାଳିକା ଏକମାସ କାଳ ରହିଥିଲେ। ଏପେଟ ତାଙ୍କ ମା’ ସେପ୍ଟେମ୍ବର ୮ ତାରିଖରେ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଥାନାର ତଦନ୍ତ ଅଧିକାରୀ ମିଶ୍ରବାବୁ ଏହି ମାମଲା ବୁଝିଥିଲେ। ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପୁଲିସ କୈାଣସି ସୁରାକ ପାଇ ନ ଥିଲା। ଗତକାଲି ୮ ତାରିଖ ଦିନ ପରିବାର ଲୋକ କୈାଣସି ସୂତ୍ରରୁ ଖବର ପାଇ ନାବାଳିକାକୁୁ ଠାବ କରି ଉଦ୍ଧାର କରିବା ସହ ପୁଲିସକୁ ଜିମା ଦେଇଥିଲେ। ତେବେ ପୁଲିସ ଏହି କେସ୍‍ ବୁଝିବାକୁ ମନା କରିଥିବା ଅଭିଯୋଗ ହୋଇଛି। ନାବାଳିକାର ବୟସ ୧୭ ହୋଇଥିବାବେଳେ ଏକ ଜାଲ ସାର୍ଟିଫିକେଟ କରାଯାଇ ପୁଲିସ ଝିଅର ବୟସ ୨୦ ବୋଲି ଦର୍ଶାଉଥିବା କୁହାଯାଇଛି। ପ୍ରକୃତ ସ୍କୁଲ ସାର୍ଟିଫିକେଟରେ ୧୭ ବର୍ଷ ରହିଥିବା ଜଣାପଡିଛି। ତେବେ ପୁଲିସର ଅନ୍ୟ ଏକ ସାର୍ଟିଫିକେଟକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ନାବାଳିକାର ପରିବାରକୁ ନ ଜଣାଇ ୧୬୪ ଧାରା ଅନୁସାରେ ପୁଲିସ ନିଜେ ଗତ କିଛି ଦିନ ପୂର୍ବରୁ ଉମରକୋଟ ନେଇ ବିବାହ କରାଇ ପୁଣି ସେହି ଜଙ୍ଗଲଗ୍ରାମରେ ନେଇ ଛାଡି ଦେଇଥିବା ନାବାଳିକା ପ୍ରକାଶ କରିଛି। ତେବେ ପୁଲିସ ନିଜେ ନାବାଳିକାକୁ ଠାବ କରି ବିବାହ କରାଇ ପୁଣି ଜଙ୍ଗଲଗ୍ରାମରେ ଛାଡିବା ଘଟଣା ରାଜ୍ୟରେ ପ୍ରଥମ ବୋଲି ନବରଙ୍ଗପୁର ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏପରିକି ଝରିଗାଁ ଥାନା ପୁଲିସ ନାବାଳିକାକୁ ସାବାଳିକା କହି ଏସ୍‍ପିଙ୍କୁ ଜଣାଇଥିବା ଅଭିଯୋଗ କରାଯାଇଛି। ତେବେ ଏହି ଘଟଣା ଅଧିକ ରହସ୍ୟମୟ ହୋଇଥିବା ବେଳେ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ସହ ନାବାଳିକାକୁ ନ୍ୟାୟ ପ୍ରଦାନ କରି ଥାନାର ତଦନ୍ତ ପୁଲିସ ଅଧିକାରୀ ମିଶ୍ରବାବୁ ସମେତ ଜାଲ ପ୍ରମାଣପତ୍ର ପ୍ରଦାନକାରୀଙ୍କୁ ନିଲମ୍ବିତ କରିବାକୁ ମା’ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories