ସର୍ବନିମ୍ନ ପେନ୍ସନ ୧୦ ହଜାର

ଭୁବନେଶ୍ଵର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍ସନ୍ ଯୋଜନା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଯେଉଁ କର୍ମଚାରୀ ଏନପିଏସ ବ୍ୟବସ୍ଥାରେ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ଏନପିଏସ ଅଧୀନରେ ଥିବା କର୍ମଚାରୀ ୟୁପିଏସକୁ ବାଛିବା କିମ୍ବା ଏନପିଏସ ସହିତ ସମ୍ପୃକ୍ତ ରହିବା ପାଇଁ ନିଷ୍ପତ୍ତି ନେଇପାରିବେ।
କ୍ୟାବିନେଟ ବୈଠକ ନିଷ୍ପତ୍ତି ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୪ ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକୀକୃତ ପେନସନ ଯୋଜନାକୁ ମଞ୍ଜୁରି ପ୍ରଦାନ କରାଯାଇଥିଲା। ସୁନିଶ୍ଚିତ ପେନସନ, ପାରିବାରିକ ପେନସନ, ମୁଦ୍ରାସ୍ଫୀତି ଆଦି ବିଭିନ୍ନ କାରଣକୁ ଦୃଷ୍ଟିରେ ରଖି ଅନୁରୂପ ପେନସନ ନିର୍ଦ୍ଧାରଣ ପାଇଁ ବିଭିନ୍ନ ସେବା ସଂଗଠନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ତ୍ତମାନ ପ୍ରଚଳିତ ଜାତୀୟ ପେନସନ ବ୍ୟବସ୍ଥାରେ ଆହୁରି ସୁଧାର ଆଣି, ଏହି ଏକୀକୃତ ପେନସନ ଯୋଜନା କାର୍ଯ୍ୟକାରୀ କରିଛନ୍ତି।
ଏହା ୨୦୨୫ ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରଖାଯାଇଛି। ଏକୀକୃତ ପେନସନ ଯୋଜନା (ୟୁପିଏସ୍)ରେ ପେନସନକୁ ସୁନିଶ୍ଚିତ କରାଯାଇଛି। ୨୫ ବର୍ଷର ସର୍ବନିମ୍ନ ଯୋଗ୍ୟତା ଅର୍ଜନକାରୀ ସେବା ଅବଧି ପାଇଁ, ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ମୂଳ ଦରମା ବା ବେସିକ୍ ପେ’ର ୫୦ ପ୍ରତିଶତ ହାରରେ ପେନସନ ମିଳିବ । ସର୍ବନିମ୍ନ ୧୦ ବର୍ଷର ଚାକିରି ଅବଧିଠାରୁ ଆରମ୍ଭ କରି ୨୫ ବର୍ଷ ପର୍ଯ୍ୟନ୍ତ ଚାକିରି ଅବଧି କ୍ଷେତ୍ରରେ ପେନସନ ଆନୁପାତିକ ଭାବେ ମିଳିବ। ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ ମିଳିବ। ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ମାସିକ ୧୦,୦୦୦ ଟଙ୍କା ପେନସନ ମିଳିବ ।
ସୁନିଶ୍ଚିତ ପେନସନ, ସୁନିଶ୍ଚିତ ପାରିବାରିକ ପେନସନ ଓ ସୁନିଶ୍ଚିତ ସର୍ବନିମ୍ନ ପେନସନ ଉପରେ ସେବା କର୍ମଚାରୀଙ୍କ କ୍ଷେତ୍ରରେ ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଆଧାରରେ ମହଙ୍ଗା ସହାୟତା (Dearness Relief) ମିଳିବ ।
ପ୍ରତ୍ୟେକ ସମ୍ପୂର୍ଣ୍ଣ ୬ ମାସ ସେବା ପାଇଁ ଅବସର ତାରିଖରେ ମିଳୁଥିବା ମାସିକ ପାରିଶ୍ରମିକର ଏକ ଦଶମାଂଶ ଏକକାଳୀନ ରାଶି ଭାବେ ମିଳିବ। ଏହି ରାଶି କାରଣରୁ ସୁନିଶ୍ଚିତ ପେନସନ ପରିମାଣ କମିବ ନାହିଁ।
ଏନପିଏସ ଅଧୀନରେ ଥିବା କର୍ମଚାରୀମାନେ ୟୁପିଏସ୍କୁ ବାଛିବା କିମ୍ବା ଏନପିଏସ ସହିତ ସମ୍ପୃକ୍ତ ରହିବା ପାଇଁ ନିଷ୍ପତ୍ତି ନେଇପାରିବେ। ୟୁପିଏସ୍ରେ ଅବସର ନେବା ପରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ନିଶ୍ଚିତ ପରିବାର ପେନସନ ସୁବିଧା ଉପଲବ୍ଧ ହେବ, ଯାହା ଏନପିଏସ ବ୍ୟବସ୍ଥାରେ ନଥିଲା।
Comments are closed.