ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ଦେଉଥିବା ସମ୍ବିଧାନର ଧାରା ୩୭୦ ଏବଂ ୩୫(ଏ)କୁ ଉଚ୍ଛେଦ କରାଯିବା ପରେ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ପରେ ପରିସ୍ଥିତି ଭୟଙ୍କର ହେବ ବୋଲି ମୁଫ୍ତି ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଭାରତୀୟ ଗଣତନ୍ତ୍ରରେ ଆଜିର ଦିନ ଏକ ‘କଳା ଦିବସ’। ଧାରା ୩୭୦ ଏବଂ ୩୫(ଏ) ହଟାଇବା ଲାଗି ଭାରତ ସରକାରଙ୍କ ନିଷ୍ପତ୍ତି ବେଆଇନ ଏବଂ ଅସାମ୍ବିଧାନିକ। ଏଭଳି ଏକ କଷ୍ଟକର ସମୟରେ ମୁଁ ଲୋକଙ୍କୁ ଆଶ୍ଵାସନା ଦେବାକୁ ଚାହୁଁଛି ଯେ, ଆମେ ସବୁ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରିବା। ଆମର ଅଧିକାର ହାସଲ କରିବା ଲାଗି କେହି ଆମର ସଙ୍କଳ୍ପକୁ ଭାଙ୍ଗିପାରିବେ ନାହିଁ ବୋଲି ମୁଫ୍ତି ଟ୍ବିଟ୍ କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଜାମ୍ମୁ-କାଶ୍ମୀରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମେହବୁବା ଏବଂ ଓମାର ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି।



