www.samajalive.in
Saturday, December 6, 2025
17.1 C
Bhubaneswar

ମେଘାଳୟ ଖଣିରୁ ଶ୍ରମିକଙ୍କୁ ଉଦ୍ଧାର କରିବେ ଓଡ଼ିଶା ଆଗ୍ନିକ

ଭୁବନେଶ୍ୱର: ମେଘାଳୟର ଖଣି ଭିତରେ ୧୫ ଦିନ ଧରି ଫସି ରହିଥିବା ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ଅଗ୍ନିଶମ ବାହିନୀର ୨୧ ଜଣିଆ ଟିମ୍‍ ଯାତ୍ରାରମ୍ଭ କରିଛନ୍ତି। ଉଚ୍ଚକ୍ଷମତା ସମ୍ପନ୍ନ ପାଣି ପମ୍ପସେଟ୍‍ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ସହିତ ଯାଇଥିବା ଓଡ଼ିଶା ଆଗ୍ନିକ ଟିମ୍‍ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍‍କୁ ସହାୟତା କରିବେ।
ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍‍ ଜିଲାର କସାନ ଗ୍ରାମରେ ବେଆଇନ୍‍ ଖଣିରେ ଗତ ୧୫ ଦିନ ଧରି ଶ୍ରମିକମାନେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ଉଦ୍ୟମ ବିଫଳ ହେଉଥିବା ବେଳେ ଫସି ରହିଥିବା ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ତେଣୁ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏହାପରେ ମୁଖ୍ୟ ଆଗ୍ନିକ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଦକ୍ଷ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‍ ମେଘାଳୟ ପଠାଯାଇଥିବା ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦେଶକ ବି କେ ଶର୍ମା ସୂଚନା ଦେଇଛନ୍ତି। ଓଡ଼ିଶା ଟିମ୍‍ ପାଖରେ ୨୦ଟି ୱାଟର ପମ୍ପ ରହିଛି। ଏହି ପମ୍ପ ପ୍ରତି ମିନିଟ୍‍ରେ ୧୬୦୦ ଲିଟର ପାଣି ପମ୍ପ କରିପାରିବ।
ବିଭିନ୍ନ ସମୟରେ ଅନ୍ୟ ରାଜ୍ୟରେ ଓଡ଼ିଶା ଆଗ୍ନିକ ଟିମ୍‍ ସହାୟତା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି। ୨୦୧୪ରେ ହୁଦ୍‍ହୁଦ୍‍ ବେଳେ ଆନ୍ଧ୍ରପ୍ରଦେଶରେ ଏବଂ ଗତ ଅଗଷ୍ଟ ମାସରେ କେରଳରେ ସୃଷ୍ଟ ପ୍ରଳୟଙ୍କରୀ ବନ୍ୟା ବେଳେ ୨୪୦ ସଦସ୍ୟ ବିଶିଷ୍ଟ ଓଡ଼ିଶାର ଆଗ୍ନିକ ଟିମ୍‍ ଜନସାଧାରଣ ଓ ଗୃହପାଳିତ ପଶୁଙ୍କୁ ଉଦ୍ଧାର କରି ପ୍ରଶଂସା ସାଉଁଟିଥିଲା।
ମେଘାଳୟରେ ୬୪ କୋଟି ଟନ୍‍ କୋଇଲା ସଂରକ୍ଷିତ ଥିବା ଆକଳନ କରାଯାଉଛି। ସେଠାରେ ଦୀର୍ଘ ୧୫୦ ବର୍ଷ ଧରି ପାରମ୍ପରିକ ପଦ୍ଧତିରେ ଶ୍ରମିକମାନଙ୍କ ଦ୍ୱାରା ଖନନ କାର୍ଯ୍ୟ ଜାରି ରହିଛି। ଗତ ୩୦ ବର୍ଷ ଧରି ସେଠାରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି। ସ୍ଥାନୀୟ ଅଞ୍ଚଳ ଓ ନେପାଳରୁ ନାବାଳକ ଶ୍ରମିକଙ୍କୁ କମ୍‍ ପାରିଶ୍ରମିକରେ କୋଇଲା ଖନନ କାର୍ଯ୍ୟରେ ମାଫିଆମାନେ ନିୟୋଜିତ କରୁଛନ୍ତି।
ବେଆଇନ୍‍ ଭାବେ ଖନନ କରାଯାଉଥିବାରୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ୨୦୧୪ ଫେବୃଆରୀରେ ଗାରୋ ହିଲସ୍‍ ଖଣି ଏବଂ ୨୦୧୩ ଡିସେମ୍ବରରେ ଜୈନ୍ତିଆ ହିଲ୍‍ସ ଖଣି ଭୁଶୁଡ଼ି ଯାଇଥିଲା। ୨୦୧୨ ଜୁଲାଇରେ ପୁଣି ଥରେ ଗୋରୋ ହିଲ୍ସରେ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଯଥାକ୍ରମେ ୪, ୫ ଓ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories