୧୯୭୧ ଯୁଦ୍ଧରେ ନିଖୋଜ ହୋଇଯାଇଥିଲେ ଲାନ୍ସ ନାଏକ ମଙ୍ଗଲ ସିଂହ, ଏବେ ମିଳିଲା ଜୀବନ୍ତ ଥିବାର ଖବର

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା। ଏହା ଭାରତ ପାଇଁ ଆଜି ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୁହୂର୍ତ୍ତ ଏବଂ ବଡ଼ ଗର୍ବର ବିଷୟ ରହିଆସିଛି। ଅନେକ ଯବାନଙ୍କ ବଳିଦାନରେ ଦେଶ ଗୌରବାନ୍ବିତ ହୋଇଛି। ତେବେ ଏହି ଯୁଦ୍ଧ ସମୟରେ ଭାରତୀୟ ସେନାର ଲାନ୍ସ ନାଏକ ମଙ୍ଗଲ ସିଂହ ନିଖୋଜ ହୋଇଯାଇଥିଲେ। ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ମଙ୍ଗଲଙ୍କ ଅପେକ୍ଷାରେ ଅନେକ ଦଶନ୍ଧି ବିତିଯାଇଛି ପତ୍ନୀ ସତ୍ୟା ଦେବୀଙ୍କର। ଆଉ ଶେଷରେ ତାଙ୍କୁ ମିଳିଛି ଖୁସି ଖବର। ତାଙ୍କ ସ୍ବାମୀ ଜୀବିତ ଥିବା ସୂଚନା ମିଳିଛି। ଦୀର୍ଘ ୪୯ ବର୍ଷ ପରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସତ୍ୟାଙ୍କୁ ଚିଠି ଲେଖି ଏ ବିଷୟରେ ଅବଗତ କରାଯାଇଛି।

ମଙ୍ଗଲ ୧୯୬୨ରେ ଭାରତୀୟ ସେନାରେ ଯୋଗଦେଇଥିଲେ। ୧୯୭୧ରେ ତାଙ୍କୁ ରାଞ୍ଚିରୁ କଲକାତା ବଦଳି କରାଯାଇଥିଲା। ସେତେବେଳେ ତାଙ୍କୁ ୨୭ ବର୍ଷ ହୋଇଥିଲା। ବାଂଲାଦେଶ ସୀମାରେ ତାଙ୍କର ଡ୍ୟୁଟି ପଡ଼ିଥିଲା। କିଛି ଦିନ ପରେ ସେନା ପକ୍ଷରୁ ଟେଲିଗ୍ରାମ ଆସିଥିଲା ଯେ ଯୁଦ୍ଧ ସମୟରେ ବାଂଲାଦେଶରେ ସୈନିକମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯିବାରୁ ମଙ୍ଗଲ ସିଂହଙ୍କ ସମେତ ସବୁ ସୈନିକ ପ୍ରାଣ ହରାଇଛନ୍ତି।

ଏହା ପରେ ସତ୍ୟା ଭାଙ୍ଗି ପଡ଼ିଥିଲେ। ତଥାପି ହାର ମାନି ନ ଥିଲେ। ମୃତଦେହ ମିଳି ନ ଥିବାରୁ ସ୍ବାମୀଙ୍କ ବାଟକୁ ଚାହିଁ ରହିଥିଲେ। ସତ୍ୟା ସରକାରଙ୍କୁ ବାରମ୍ବାର ଚିଠି ଲେଖି ମଙ୍ଗଲଙ୍କୁ ଖୋଜିବାକୁ ନିବେଦନ କରିଥିଲେ। ଶେଷରେ ତାଙ୍କ ପ୍ରୟାସ ସଫଳ ହୋଇଛି। ୪୯ ବର୍ଷ ପରେ ଗତ ସପ୍ତାହରେ ରାଷ୍ଟ୍ରପତି ଏବଂ ବିଦେଶ ମନ୍ତ୍ରଣାଳୟ କାର୍ଯ୍ୟାଳୟ ପକ୍ଷରୁ ସତ୍ୟାଙ୍କ ନିକଟକୁ ଚିଠି ଲେଖାଯାଇ ମଙ୍ଗଲ ଜୀବିତ ଥିବା ସୂଚନା ଦିଆଯାଇଛି।

ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମଙ୍ଗଲ ସିଂହ ପାକିସ୍ତାନର କୋଟ୍‌ ଲଖପତ ଜେଲରେ ବନ୍ଦୀ ଅଛନ୍ତି। ତାଙ୍କୁ ମୁକ୍ତ କରିବା ଲାଗି ପାକିସ୍ତାନ ସରକାରଙ୍କ ସହିତ ଆଲୋଚନା ତ୍ଵରାନ୍ବିତ କରାଯିବ। ଏହି ଚିଠି ମିଳିବା ପରେ ୪୯ ବର୍ଷ ଧରି ସ୍ବାମୀ ଏବଂ ବାପାଙ୍କୁ ଦେଖିବା ଲାଗି ସତ୍ୟା ଓ ତାଙ୍କ ଦୁଇ ପୁଅଙ୍କ ଆଶା ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଯୁଦ୍ଧ ସମୟରେ ମଙ୍ଗଲଙ୍କୁ ପାକିସ୍ତାନୀ ସେନା ଗିରଫ କରିନେଇଥିଲେ। ସେବେଠାରୁ ତାଙ୍କୁ ଜେଲ୍‌ରେ ବନ୍ଦୀ କରି ରଖାଯାଇଛି।

ଚିଠି ମିଳିବା ପରେ ସତ୍ୟା କହିଛନ୍ତି, ପାକିସ୍ତାନ ଜେଲ୍‌ରୁ ତାଙ୍କ ସ୍ବାମୀ ମୁକୁଳିବେ ଏବଂ ତାଙ୍କୁ ସେ ଦେଖିପାରିବେ ବୋଲି ତାଙ୍କର ଆଶା ରହିଛି। ମଙ୍ଗଲଙ୍କ ଅନୁପସ୍ଥିତିରେ ୨ ପିଲାଙ୍କୁ ପାଳିବାରେ ସେ ଅନେକ ସଂଘର୍ଷ କରିଛନ୍ତି। କିନ୍ତୁ କେବେ ହାରି ନାହାନ୍ତି ବୋଲି ସତ୍ୟା କହିଛନ୍ତି। ମଙ୍ଗଲ ସିଂହଙ୍କ ପୁଅ ତଥା ଅବସରପ୍ରାପ୍ତ ସୈନିକ ଦଲଜୀତ ସିଂହ କହିଛନ୍ତି, ୧୯୭୧ରେ ସେ ୩ ବର୍ଷର ହୋଇଥିଲେ। ସେବେଠାରୁ ସେ ତାଙ୍କ ବାପାଙ୍କ ଅପେକ୍ଷାରେ ରହିଛନ୍ତି।

Comments are closed.