www.samajalive.in
Monday, December 15, 2025
26.1 C
Bhubaneswar

୫ ମାସ ହେଲା ମିଳିନି ରେସନ ଓ ଜାଳଖର୍ଚ୍ଚ

ଭୁବନେଶ୍ୱର : ବିଦ୍ୟାଳୟରେ ପିଲାମାନଙ୍କ ଉପସ୍ଥାନ ବଢାଇବା ସହ ସେମାନଙ୍କ ପୁଷ୍ଟିସାଧନ ପାଇଁ ଚାଲିଛି ଦେଶବ୍ୟାପୀ ମଧ୍ୟାହ୍ଣଭୋଜନ ଯୋଜନା। ମାତ୍ର ଓଡ଼ିଶାରେ କିଭଳି ଢଙ୍ଗରେ ଏହା ଚାଲିଛି ତାହା ଶୁଣିଲେ ଯେକେହି ମୁଣ୍ଡରେ ହାତ ହେବେ। ସରକାରଙ୍କ ପକ୍ଷରୁ ପ୍ରତିମାସରେ ମଧ୍ୟାହ୍ଣଭୋଜନ ପାଇଁ ବିଦ୍ୟାଳୟଗୁଡିକୁ ଆବଶ୍ୟକ ଚାଉଳ ଯୋଗାଇ ଦିଆଯାଉଛି; କିନ୍ତୁ ଡାଲି, ପରିବା, ସୋୟାବିନ୍‌ ବଡି, ତେଲ, ମସଲା ଓ ଅଣ୍ଡା ଆଦି ଆବଶ୍ୟକ ରୋଷେଇ ସାମଗ୍ରୀ ସହ କାଠ ବାବଦ ଅର୍ଥ ଗତ ୫ ମାସ ହେଲା ଦିଆଯାଇନି। ଏଣେ ବିଦ୍ୟାଳୟରେ ଆଜି କ’ଣ ରୋଷେଇ ହୋଇଛି, ପିଲାଙ୍କୁ ଠିକ୍‌ ସମୟରେ ମଧ୍ୟାହ୍ନଭୋଜନ ଦିଆଯାଉଛି କି ନାହିଁ, ତାହାର ତଦାରଖ କରିବାକୁ ମନ୍ତ୍ରୀଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଧ୍ୟାନରେ ଯାଇ ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡୁଛନ୍ତି। ହେଲେ ବିନା ଅର୍ଥରେ କିଭଳି ଏହି କାର୍ଯ୍ୟକ୍ରମ ଚାଲିଛି ତାହା କେହି ବୁଝିବାକୁ କାହାର ସମୟ ନାହିଁ।
ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପ୍ରାୟ ୪୯ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦୈନିକ ମଧ୍ୟାହ୍ନଭୋଜନ ବାବଦକୁ ପ୍ରାୟ ୬ଟଙ୍କା ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ୮ଟଙ୍କା ମୁଣ୍ଡପିଛା ହିସାବରେ ଦିଆଯାଉଛି। ଯାହାଦ୍ବାରା ଦିନକୁ ହାରାହାରି ୩.୪୩ କୋଟି ଟଙ୍କା କେବଳ ମଧ୍ୟାହ୍ନଭୋଜନ ରନ୍ଧନ ଖର୍ଚ୍ଚ ବାବଦକୁ ଆବଶ୍ୟକ। ଅଭିଯୋଗ ଅନୁଯାୟୀ ୫ ମାସ ହେଲାଣି ରାଜ୍ୟ ସରକାରଙ୍କ ପକ୍ଷରୁ ରନ୍ଧନ ବାବଦ ଖର୍ଚ୍ଚ ଯୋଗାଇ ଦିଆଯାଇନାହିଁ। ଏହାକୁ ହିସାବକୁ ନେଲେ ପ୍ରାୟ ୫୧୫କୋଟି ଟଙ୍କାର ବୋଝ ଶିକ୍ଷକ, ଏସଏଚଜି ଓ ଏସଏମସି କର୍ତ୍ତୃପକ୍ଷ ବହନ କଲେଣି। ଯେଉଁସବୁ ଦୋକାନରୁ ଏହି ଗୋଷ୍ଠୀ ବାକି ଆଣି କାମ ଚଳାଉଥିଲେ ଦୋକାନୀ ଏତେ ବାକି ସମ୍ଭାଳି ନପାରି ଆଉ ଜିନିଷ ଦେଉନି।
ଅନ୍ୟପକ୍ଷରେ ଠିକାଦାର ପ୍ୟାକେଟରେ କମ୍ ଚାଉଳ ଦେଉଛି। ତେଣୁ ଏସବୁ ଝମେଲା ଆଉ ସହି ହେଉନାହିଁ ବୋଲି ଶିକ୍ଷକ ଓ ଏସଏମସି କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଭାତ ସାଙ୍ଗକୁ ତରକାରୀ ଦରକାର ବୋଲି ସରକାର ବୁଝିପାରୁନାହାନ୍ତି। ଛାତ୍ରଛାତ୍ରୀମାନେ କ’ଣ ଖାଲି ଭାତ ଖାଇଲେ ପୁଷ୍ଟିସାଧନ ହେବ କି ବୋଲି କିଛି ଏସଏଚଜି, ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ପ୍ରଶ୍ନ କରୁଛନ୍ତି। କିଛିଦିନ ତଳେ କୋରାପୁଟ ଓ ବଲାଙ୍ଗୀରରେ ଠିକାଦାର ଚାଉଳ ପ୍ୟାକେଟରେ କମ୍ ଯୋଗାଣ ସାଙ୍ଗକୁ ନିମ୍ନମାନର ଚାଉଳ ଓ ସୋୟାବିନି ବଡ଼ି ଯୋଗାଣ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା। ହେଲେ ସରକାର ଏଥିରୁ କିଛି ଚେତିଲା ଭଳି ଲାଗୁନାହିଁ।
ଅନ୍ୟପକ୍ଷରେ ମଧ୍ୟାହ୍ନଭୋଜନ ବାବଦ ୬୦ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାର ଦୀର୍ଘମାସ ଧରି ଦେଉନାହାନ୍ତି। ରାଜ୍ୟ ସରକାର ନିଜସ୍ବ ହାତରୁ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ଏହାକୁ ସଠିକ୍‌ ପାଳନ କରୁନାହାନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ନିମ୍ନମାନର ଖାଦ୍ୟ ଖାଉଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ପଚରାଯିବାରେ ସେ କହିଛନ୍ତି ଯେ, ପ୍ରାୟ ୬ମାସ ଧରି କେନ୍ଦ୍ର ସରକାର ମଧ୍ୟାହ୍ନଭୋଜନ ବାବଦ ଅର୍ଥ ଦେଇନାହାନ୍ତି। ରାଜ୍ୟ ସରକାର ନିଜସ୍ବ ଯୋଜନାରୁ ଏହାକୁ ଏବେ ତୁଲାଉଛନ୍ତି। ଏସଂକ୍ରାନ୍ତୀୟ ଏକ ଫାଇଲକୁ ଦୁଇଦିନ ତଳେ ସେ ଅନୁମୋଦନ କରିଛନ୍ତି। ପ୍ରାୟ ୪ମାସ ଲାଗି ୨୧୩ କୋଟି ଟଙ୍କା ସରକାର ଅନୁମୋଦନ କରିଛନ୍ତି। ଆଜି ବିଭିନ୍ନ ଜିଲାକୁ ଏ ବାବଦ ଟଙ୍କା ପ୍ରଦାନ କରିବାକୁ କୁହାଯାଇଛି। ଆସନ୍ତା ସପ୍ତାହ ସୁଦ୍ଧା ସବୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଟଙ୍କା ପହଞ୍ଚିଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories