ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳ

0

୫୭ କେନ୍ଦ୍ରରେ ୨୦ରୁ ଖାତା ଦେଖା
ପ୍ରଶ୍ନପତ୍ର ପ୍ରଘଟ କେବଳ ଗୁଜବ: ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ୫୭ଟି କେନ୍ଦ୍ରରେ ଏହି ଖାତା ଦେଖା ହେବ ଏବଂ ଏପ୍ରିଲ ୨ ତାରିଖ ସୁଦ୍ଧା ଖାତା ଦେଖା ଶେଷ ହେବ। ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି।
ଗୁରୁବାର ସଚିବାଳୟରେ ମନ୍ତ୍ରୀ ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ଚଳିତ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ନେଇ ଯେଉଁ ଗୁଜବ ହେଉଥିଲା ତା’ର ତଦନ୍ତ ଲାଗି ସାଇବର ଥାନାରେ ମାମଲା ରୁଜୁ ହୋଇ କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଯଦି କୌଣସି ତ୍ରୁଟି ଜଣାପଡେ ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ନେଇ ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ହେଉଛି ତାହା କେବଳ ଗୁଜବ ମାତ୍ର। ଆଧୂନିକ ଯୁଗରେ ଟେକ୍ନୋଲୋଜିର ବହୁଳ ବ୍ୟବହାର ଯୋଗୁଁ ପରୀକ୍ଷା ଚାଲିବାର ବହୁ ସମୟ ପରେ କେହି ବି ଏହାର ଫଟୋ ଛାଡି ଦେଇଥିବ। ତା’ମାନେ ନୁହେଁ ଯେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି ଏବଂ ବିଭାଗର ତ୍ରୁଟି। ପ୍ରଘଟ ଅର୍ଥାତ ପରୀକ୍ଷା ପୂର୍ବରୁ ଯଦି ପ୍ରଶ୍ନପତ୍ର ବାହାରେ ବୁଲିଲା ତାକୁ ପ୍ରଘଟ ବୋଲି ଧରାଯିବ। ଏଣିକି ମୋବାଇଲ ପରୀକ୍ଷା କେନ୍ଦ୍ରକୁ ଯିବ ନାହିଁ ବୋଲି କଡାକଡି ଭାବେ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
ଚଳିତବର୍ଷ ୫୯ହଜାର ୩୬୩ଜଣ ମାଟ୍ରିକ ବୋର୍ଡ ପରୀକ୍ଷା ଦେଇଥିବାବେଳେ ୩୬୯୦ଜଣ ମଧ୍ୟମା, ୧୩ହଜାର ୯୭୮ଜଣ ଏସ୍‌ଓଏସ୍‌ସି ଜଣ ପରୀକ୍ଷାର୍ଥୀ ଅଛନ୍ତି। ସେମାନଙ୍କ ପାଇଁ ୨୯୬୫ଟି କେନ୍ଦ୍ରରେ ପରୀକ୍ଷା କରାଯାଇଥିଲା। ପରୀକ୍ଷା ଖାତାକୁ ଠିକଣା ଭାବେ ପରିଚାଳନା କରିବାପାଇଁ ପ୍ରାୟ ୨ହଜାର ଶିକ୍ଷକଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।

Leave A Reply