ମାରିଉପୋଲ୍‌ରେ ଦୟନୀୟ ସ୍ଥିତି, କ୍ଷୁଧାରେ ୧ଲକ୍ଷ ଲୋକ

କିଭ୍‌/ଜାତିସଂଘ: ୟୁକ୍ରେନ ଓ ରୁଷ୍‌ ମଧ୍ୟରେ ଲାଗିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ରାଜଧାନୀ କିଭ୍‌, ମାରିଉପୋଲ ସମେତ ୟୁକ୍ରେନର ଅନେକ ସହରରେ ରୁଷ୍‌ର ଆକ୍ରମଣ ଜାରି ରହିଥିବାବେଳେ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ମାରିଉପୋଲ ସହର ପରିସ୍ଥିତ ଅତ୍ୟନ୍ତ ଦୟନୀୟ ହୋଇଛି। ଏଠାରେ ୧ଲକ୍ଷ ଲୋକ କ୍ଷୁଧାରେ ରହିଛନ୍ତି ବୋଲି ଏକ ମାନବାଧିକାର ସଂଗଠନ କହିଛି। ଏଠାକାର ଲୋକଙ୍କ ସ୍ଥିତି ଦୟନୀୟ ହେବାରେ ଲାଗିଛି। ରୁଷ୍‌ର ନିୟମିତ ବୋମାମାଡ ଯୋଗୁଁ ଲୋକେ ସହରରୁ ବାହାରକୁ ଯାଇ ପାରୁ ନଥିବାବେଳେ ସେମାନଙ୍କ ନିକଟରେ ଖାଦ୍ୟ, ପାଣି ଓ ଔଷଧ ଆଦି ପହଞ୍ଚିପାରୁ ନାହିଁ। ଜାତିସଂଘର ଏକ ଉଦ୍ଧାରକାରୀ ଏଜେନ୍ସିର କହିବା ଅନୁଯାୟୀ ମାରିଉପୋଲ୍‌ରେ ୨୦ହଜାର ଲୋକଙ୍କ ମୃତ୍ୟୁ ହେଲାଣି। ୟୁକ୍ରେନ ଉପରେ ରୁଷ୍ ବିଜୟ ହାସଲ କରିପାରୁ ନଥିବାବେଳେ ଏହା ଏକପ୍ରକାର ହାତଶ ହୋଇପଡିଲାଣି। କାରଣ ୟୁକ୍ରେନ ଏହାର ପ୍ରତିରୋଧ ଜୋର କରିବାରେ ଲାଗିଛି।

ରୁଷ୍‌ ସେନାକୁ ଅଟକାଇବା ଲାଗି ୟୁକ୍ରେନ ତାର ସମସ୍ତ ପ୍ରୟାସ ଜାରି ରଖିଛି। ବୁଧବାର ରୁଷ୍‌ର ଯୁଦ୍ଧବିମାନଗୁଡିକୁ ୟୁକ୍ରେନ ବାୟୁସେନା ଘଉଡାଇରେ ସଫଳ ହୋଇଛି। ଅନ୍ୟପଟେ ୟୁକ୍ରେନରେ ଦେଖାଯାଇଥିବା ମାନବିକ ସଙ୍କଟକୁ ରୁଷ୍‌ ବିରୋଧରେ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ରେ ୩ଟି ପ୍ରସ୍ତାବ ଆଗତ ହୋଇଛି। ବୁଧବାର ହୋଇଥିବା ୟୁଏନଜିଏର ଜରୁରୀକାଳୀନ ଅଧିବେଶନରେ ଏହି ପ୍ରସ୍ତାବ ଆଗତ ହୋଇଛି। ଜାତିସଂଘରେ ଆଗତ ପ୍ରସ୍ତାବକୁ ରୁଷ୍‌ ବିରୋଧ କରିଛି। ଜାତିସଂଘସ୍ଥିତ ରୁଷ୍‌ର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି ପ୍ରସ୍ତାବ ରୁଷ୍‌ରେ ଆଉ ଏକ ରାଜନୈତିକ ଷଡଯନ୍ତ୍ର। ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରଦୂତ ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ସମସ୍ତ ୧୯୩ ରାଷ୍ଟ୍ରକୁ ନିବେଦନ କରିଛନ୍ତି।

Comments are closed.