ବାଲିଗୁଡ଼ା/କୋଟଗଡ: ପୁଣି ମାଓବାଦୀ ହୋଇଛନ୍ତି ରକ୍ତମୁଖା। ଘରୁ ଡାକି ନେଇ ଗାଁ ସାଥିଙ୍କୁ ଗଳା କାଟି କରିଛନ୍ତି ହତ୍ୟା। କୋଟଗଡ ଥାନା ଅନ୍ତର୍ଗତ ଦୁର୍ଗାପାଙ୍ଗା ପଞ୍ଚାୟତର ବାଡ଼ିପାଙ୍ଗା ଗ୍ରାମର ଗାଁ ସାଥିଙ୍କୁ ଘରୁ ଡାକି ନେଇ ଗଳା କାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମୃତ ଗାଁ ସାଥି ହେଲେ ବାଡ଼ିପାଙ୍ଗା ଗାଁର ମେଲଟା ରଇତ ମାଝୀ।
ସୂଚନା ମୁତାବକ, ମେଲଟାଙ୍କୁ ଗତ ଶନିବାର ରାତିରେ ଘରୁ ଉଠାଇ ନେଇଥିଲେ। ସୋମବାର ସକାଳୁ ଗ୍ରାମବାସୀ ଗାଁ ସାଥିଙ୍କ ମୃତଦେହ ଦେଖିବା ପରେ କୋଟଗଡ଼ ଥାନାକୁ ଖବର ଦେଇଛନ୍ତି। ତେବେ ଖବର ଲେଖାହେବା ସୁଦ୍ଧା କୋଟଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଥିବା ଜଣାପଡ଼ିଛି। ଗାଁ ସାଥିଙ୍କୁ କିପରି ଓ କଣ ପାଇଁ ହତ୍ୟା କରାଗଲା, ବର୍ତ୍ତମାନ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ। ବାଡ଼ିପାଙ୍ଗା ଗାଁ ନିକଟରେ ମୃତଦେହ ପଡ଼ିରହିଛି। ମୃତଦେହ ନିକଟରେ କିଛି ହାତ ଲେଖା ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ପଡ଼ିଥିବା ହାତଲେଖା ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ମେଟଲାର ସଂଘରେ ଥିବା ଏବଂ ଏଭଳି ଦଲାଲ କାମ କରୁଥିବା ବ୍ୟକ୍ତି ତୁରନ୍ତ ନିଜର ଭୁଲମାନି ପାର୍ଟି ପାଖରେ କ୍ଷମା ମାଗନ୍ତୁ, ନହେଲେ ଅଞ୍ଚଳ ଛାଡି ଚାଲିଯାଆନ୍ତୁ। ନଚେତ ଏହି ପରି ଦଣ୍ଡ ଦିଆଯିବ । ସିପିଆଇ (ମାଓବାଦୀ) ବାଘୁଆ ଡିଭିଜନାଲ କମିଟି। ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋୟଲଙ୍କୁ ଏହି ଘଟଣାକୁ ନେଇ ଯୋଗାଯୋଗ କାରିବାରୁ, ମୁଁ ବାହାରେ ଅଛି ମୁଁ କିଛି କହିପାରିବିନି ବୋଲି କହିଛନ୍ତି।



