କୋରାପୁଟ : ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ପୁଲିସ ପକ୍ଷରୁ ଖାନତଲାସି ବେଳେ ଏକ ମାଓକ୍ୟାମ୍ପକୁ ଧ୍ୱଂସ କରାଯିବା ସହ ବିପୁଳ ପରିମାଣର ମାଓସାମଗ୍ରୀ ଜବତ କରାଯାଇଛି। ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିବ ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୋ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆରକ୍ଷି ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷତା କରି ଶ୍ରୀ ଭାମୋ ପ୍ରକାଶ କରିଛନ୍ତି ଯେ, ଆନ୍ଧ୍ର-ଓଡିଶା ସୀମାନ୍ତ ପଟାଙ୍ଗି ଥାନା ଅଞ୍ଚଳରେ ମାଓବାଦୀଙ୍କର ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା। ଯେଉଁଥିରେ କି ନନ୍ଦପୁର ଏରିଆ କମିଟି, କୋରାପୁଟ ଡିଭିଜନ ମାଓ କମିଟିର ୧୫ରୁ ୨୦ ମାଓବାଦୀ ଏଥିରେ ସମ୍ପୃକ୍ତ ଥିବା ଖବର ମିଳିଥିଲା। ଏ ନେଇ ଡିଭିଏଫ୍, ଏସ୍ଓଜି ଏବଂ ୧୯୫ ବିଏସ୍ଏଫ୍ ଯବାନଙ୍କ ପକ୍ଷରୁ ମିଳିତ ଭାବେ ପଟାଙ୍ଗି ଥାନାର କମଳାବନ୍ଧ, ବାଇଲାଗୁଡା, ଓଲାପାଡୁ, ମୁଟି ସିଡିଙ୍ଗା, ପାଣ୍ଡ୍ରିଚିନ୍ତାରୁ, ତୁମ୍ବିଗୁଡା, ପାନାବାଡି, କୋତୁବ, ଗଞ୍ଜେଇପାଡୁ ଆଦି ଗ୍ରାରେ ଚଢଉ କରାଯାଇଥିଲା। ଫଳରେ ଏଥିରେ ସମ୍ପୃକ୍ତ ଥିବା ସମସ୍ତ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ପାଖରୁ ଗୋଟିଏ ବାରବୋର ଗନ୍, ପିସ୍ତଲ, ହ୍ୟାଣ୍ଡଗ୍ରେନେଡ, ୪ଟି ଇଲେକ୍ଟ୍ରି ଡିଟୋନେଟର, ୧୩ ଗ୍ରେନେଡ, ୩୦ ମିଟର ତାର, ୪୦ ମିଟର କୋଡେକ୍ସ, ୩୦ଟି କ୍ୟାରିବ୍ୟାଗ, ୬ଟି ରାଇଫଲ ସ୍ପିଙ୍ଗ, ୩ଟି ପ୍ଲାଷ୍ଟିକ ଡ୍ରମ, ବିପୁଳ ପରିମାଣର ମାଓପୁସ୍ତକ, ଛୁରି ସହ ପ୍ରାୟ ୩୬ ପ୍ରକାରର ମାଓସାମଗ୍ରୀ ଜବତ ହୋଇଛି। ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି କୁମ୍ବିଂ ଅପରେସନକୁ ଜୋରଦାର କରାଯିବ ବୋଲି ଏସ୍ପି ଶ୍ରୀ ଭାମୋ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ମାଓବାଦୀଙ୍କ ପାଇଁ ବାଧା ସୃଷ୍ଟି ହେଉଥିବାରୁ ଗ୍ରାମାଞ୍ଚଳର ଜନତା ସଚେତନ ହେବାପରେ ମାଓବାଦୀ ଗ୍ରାମାଞ୍ଚଳରେ ସୁରକ୍ଷିତ ରହିବା ଅସମ୍ଭବ ହୋଇପଡିଛି। ପୁଲିସ ଗୁଇନ୍ଦା ବିଭାଗକୁ ଶକ୍ତିଶାଳୀ କରାଯିବା ପରେ ମାଓବାଦୀଙ୍କ ଗତିବିଧି ସମ୍ପର୍କରେ ପୁଲିସ ପାଖରେ ସୂଚନା ପହଞ୍ଚିପାରୁଛି। ଯାହାଫଳରେ ମାଓବଦୀ ଗ୍ରାମାଞ୍ଚଳରେ ଆଡ୍ଡା ଜମାଇବା ତାଙ୍କ ପାଇଁ ବିପଦ ସୃଷ୍ଟି ହେଉଛି ବୋଲି ଶ୍ରୀ ଭାମୋ ସୂଚନା ଦେଇଥିଲେ। ଏହି ଅବସରରେ ବିଏସ୍ଏଫ୍ କମାଣ୍ଡେଣ୍ଟ ଏକେ ଉପାଧ୍ୟାୟ ଉପସ୍ଥିତ ରହିଥିଲେ।



