ମାଓବାଦୀଙ୍କ କାର୍ଯ୍ୟକଳାପ ସନ୍ଦେହ

0

କେନ୍ଦୁଝର/ଶୁଆକାଟି : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଶୁଆକାଟି ଓଏମ୍‍ସି ଗନ୍ଧମାର୍ଦ୍ଦନ ଖଣି ପାର୍ଶ୍ବରୁ ଏକ ରକେଟ ବୋମା ଶନିବାର ଉଦ୍ଧାର କରାଯାଇଥିବାବେଳେ ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଶନିବାର ପ୍ରାୟ ୧୨ଟା ୩୦ମିନିଟରେ ଶୁଆକାଟୀ ମୁଖ୍ୟ ରାସ୍ତାରୁ ଗୋପାଳସାହି ଆଡକୁ ଯାଇଥିବା ରାସ୍ତାର ପ୍ରାୟ ୧ଶହ ଫୁଟ ଦୂରରେ ଏକ କାଠ ବାକ୍ସରେ କ’ଣ ରଖାଯାଇଥିବା ଲୋକେ ଦେଖିବାକୁ ପାଇଥିଲେ। ଏହାକୁ ଖୋଲିବା ବେଳକୁ ବାକ୍ସରେ ହ୍ୟାଣ୍ଡ ଗ୍ରେନେଡ୍‍ ଭଳି ଏକ ବୋମା ଥିବା ଜଣାପଡିଥିଲା। ଏସଂପର୍କରେ ସଂଗେ ସଂଗେ ପୁଲିସକୁ ଖବର ଦିଆଯାଇଥିଲା। ଖବରପାଇ ସଦର ଥାନା ଅଧିକାରୀ ସ୍ମୃତିରେଖା ପ୍ରଧାନ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଥିବାବେଳେ ଠାବ ହୋଇଥିବା ବୋମା ସମ୍ପର୍କରେ ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଉଚ୍ଚ ପଦସ୍ଥ ପୁଲିସ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୂଚନା ପାଇ ବୋମା ନିଷ୍କ୍ରିୟକାରୀ ଦଳ ଶୁଆକାଟି ଗୋପାଳ ସାହି ନିକଟରେ ଥିବା ଉକ୍ତ ବୋମାକୁ ତନଖି କରିଥିବା ଜଣାପଡିଛି। ଏହି ବୋମାଟି ଏକ ନୂତନ କାଠ ବାକ୍ସରେ ଥିବାବେଳେ ଏହାର ଲମ୍ବ ପ୍ରାୟ ୧ଫୁଟ ଏବଂ ମୋଟେଇ ୮ଇଞ୍ଚ, ଓଜନ ପ୍ରାୟ ୫କେଜି ହେବ ବୋଲି କୁହାଯାଉଛି। ତେବେ ବୋମାଟି ରଖାଯାଇଥିବା ସ୍ଥାନଠାରୁ ଅଳ୍ପ ଦୂରରେ ଜଙ୍ଗଲ ମଧ୍ୟକୁ ପାଦଚଲା ରାସ୍ତା ରହିଛି। ତେଣୁ ମାଓବାଦୀ କାର୍ଯ୍ୟକଳାପ ପାଇଁ ବୋମା ନିଆଯାଉଥିବାବେଳେ ଏହା ପଡିଯାଇଥାଇପାରେ କିମ୍ବା ମାଓବାଦୀମାନେ ଶୁଆକାଟି ଅଞ୍ଚଳରେ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଏଭଳି ଭିଆଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ପୁଲିସ ଏବାବଦରେ ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଏହା ବୋମା କି ନୁହେଁ ତାହାର ତନଖି ପରେ ଜଣାପଡିବ ବୋଲି କୁହାଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବୋମାକୁ ଅନ୍ୟତ୍ର ନିଆଯାଇନାହିଁ କିମ୍ବା ଏହା ନିଷ୍କ୍ରିୟ କରାଯାଇ ନଥିବା ସୂଚନା ମିଳିଛି। ଏହା ଏକ ବୋମା ନା ହ୍ୟାଣ୍ଡ ଗ୍ରେନେଡ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବାବେଳେ କାଠ ବାକ୍ସରୁ ବିସ୍ଫୋରକ ସାମଗ୍ରୀର ବାସ୍ନା ଆସୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରାୟ ୧୨ଟା ସମୟରେ ବାଂଶପାଳ-ଶୁଆକାଟି ମୁଖ୍ୟ ରାସ୍ତାରୁ ଶୁଆକାଟି ଗୋପାଳ ସାହିକୁ ଯାଇଥିବା ରାସ୍ତାରେ ଏକ ବଲେରୋ ଗାଡି ଆସିଥିଲା ଏବଂ ବାକ୍ସରେ କ’ଣ ରଖିଦେବା ପରେ ସେମାନେ ଫେରିଗଲେ ବୋଲି ସାହିର କେତେକ ଲୋକ ଆଲୋଚନା କରୁଥିବା ଶୁଣାଯାଉଛି। ତେବେ ପୁଲିସ ଏହାର ତଦନ୍ତ ଜାରି ରଖିଥିବାରୁ ଏହା ମାଓବାଦୀଙ୍କ କାର୍ଯ୍ୟକଳାପ ନା ଜାଣିଶୁଣି ଶୁଆକାଟିବାସୀଙ୍କୁ ଭୟଭୀତ କରିବା ଲକ୍ଷ୍ୟରେ ଏହା ଯୋଜନାବଦ୍ଧ ଷଡଯନ୍ତ୍ର ସେ ବାବଦରେ ଜଣାପଡିବ ବୋଲି ପୁଲିସ ପ୍ରକାଶ କରିଛି।

Leave A Reply