ଫାଇନାଲ ମ୍ୟାଚରେ ‘ଭଗବଦ୍‌ ଗୀତା’ କଥା ମନେ ପକାଉଥିଲେ ମନୁ

ସମାଜ ଡିଜିଟାଲ ଡେସ୍କ: ଭାରତର ଷ୍ଟାର ଶୁଟର ମନୁ ଭାକର ରବିବାର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଏହା ସହିତ ସେ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଖାତା ଖୋଲିଛନ୍ତି। ଏହି ସଫଳତା ହାସଲ ପରେ ମନୁ ନିଜ ଅନୁଭୂତି ବଖାଣିଛନ୍ତି।

ଫାଇନାଲ ମ୍ୟାଚ ସମୟରେ ମନୁଙ୍କୁ ଶ୍ରୀମଦଭଗବଦ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଉପଦେଶ ବହୁତ ସହଯୋଗ କରିଥିଲା। ମନୁ କହିଛନ୍ତି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ, କେବଳ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କର। ଫଳକୁ ଆଶା କରନାହିଁ। ଏହି କଥା ଫାଇନାଲ ମ୍ୟାଚ ସମୟରେ ସେ ସ୍ମରଣ  କରୁଥିଲେ। ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ତାଙ୍କ ନିୟନ୍ତ୍ରଣରେ ନ ଥିଲା।

ଏହି ସମୟରେ ସେ ଗତ ଟୋକିଓ ଅଲିମ୍ପିକ୍ସରେ ତାଙ୍କ ବିଫଳ ପ୍ରଦର୍ଶନ ଉପରେ ବି ମତ ରଖିଥିଲେ। ସେ କହିଥିଲେ, ଟୋକିଓ ଅଲିମ୍ପିକ୍ସ ତାଙ୍କ ପାଇଁ ନୈରାଶ୍ୟଜନକ ରହିଥିଲା। କିନ୍ତୁ ଯାହା ବିତିଗଲା, ତାହା ବିତିଗଲା। ବର୍ତ୍ତମାନ ସେ ଯେଉଁ ପଦକ ପାଇଛନ୍ତି ତାହା ସମଗ୍ର ଦେଶବାସୀଙ୍କ ପାଇଁ। ଭାରତ ପାଇଁ ପଦକ ଜିତିବାରେ ସେ କେବଳ ଗୋଟିଏ ମାଧ୍ୟମ।

ମନୁ ଏହି ସଫଳତା ପାଇଁ ତାଙ୍କ ପ୍ରଶିକ୍ଷକ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ କଠିନ ପରିଶ୍ରମ କରିଥିଲୁ। ଆମକୁ ବାକି ସବୁ ଭାଗ୍ୟ ଉପରେ ଛାଡ଼ି ଦେବା ଉଚିତ। ଆମେ ଯେତିକି ସମ୍ଭବ ତାହା କରିବା।

Comments are closed.