ଭୁବନେଶ୍ଵର: କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା, ଦ୍ରୁତ ଶିଳ୍ପାୟନ, ଯଥେଚ୍ଛାଚାର ଜଙ୍ଗଲ ଅବକ୍ଷୟ, ଅବିରତ ଖଣିଜ ସମ୍ପଦ ଉତ୍ତୋଳନ ଭଳି ଅନେକ କାରଣ ପାଇଁ ପରିବେଶ ବର୍ତ୍ତମାନ ଭାରସାମ୍ୟହୀନ ଅବସ୍ଥାରେ ପହଞ୍ଚିଛି। ଫଳରେ ପାଣିପାଗର ଠିକ ନିର୍ଦ୍ଧାରଣ କରାଯାଇ ପାରୁନାହିଁ। ଅସମୟରେ ବର୍ଷା, ସ୍ଥାନ ବିଶେଷରେ ଉତ୍ତାପ ବୃଦ୍ଧି ଏବଂ ହ୍ରାସ ହେତୁ ବନ୍ୟା, ବଜ୍ରପାତ, ଝଡ଼ ଭଳି ସମସ୍ୟା ସୃଷ୍ଟି ହୋଇ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ପରିସ୍ଥିତି ଚାପରେ ଧରିତ୍ରୀ ବର୍ତ୍ତମାନ ବିପର୍ଯ୍ୟସ୍ତ। ଧୀରେଧୀରେ ପରିବେଶ ମଧ୍ୟ ଉତ୍ତପ୍ତ ହେବାରେ ଲାଗିଛି। କଳକାରଖାନା, ଯାନବାହନରୁ ନିର୍ଗତ ଧୂଆଁରେ ଅଙ୍ଗାରକାମ୍ଳ ଗ୍ୟାସ ସୃଷ୍ଟି ହେଉଥିବା ଦୃଷ୍ଟିରୁ ତା’ର ଅବଶୋଷଣ ବୃକ୍ଷଲତା ଦ୍ବାରା ଯେତିକି ହେବାର କଥା ତାହା ଆଉ ହୋଇ ପାରୁନାହିଁ। ଫଳରେ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍ର ମାତ୍ରା ବୃଦ୍ଧି ପାଇ ପରିବେଶକୁ ଉତ୍ତପ୍ତ ଅବସ୍ଥାକୁ ଆଣୁଛି। ଏତଦ୍ବ୍ୟତୀତ ବିଭିନ୍ନ ଉତ୍ତାପ ବୃଦ୍ଧିକାରୀ ଗ୍ୟାସ ବାୟୁରେ ମିଶୁଥିବା ହେତୁ ପରିବେଶ ଆହୁରି ଅଧିକ ଉତ୍ତପ୍ତ ହୋଇପଡ଼ୁଛି।
ଏଥିରୁ ନିସ୍ତାର ପାଇବା ପାଇଁ ବୈଜ୍ଞାନିକଗଣ ଏବେ ଏକ ନୂତନ ଦିଗ ଉନ୍ମୋଚନ କରିଛନ୍ତି। ତାହା ହେଉଛି କୃତ୍ରିମ ଉପାୟରେ ମେଘ ସଞ୍ଚାଳନ ଏବଂ ବୃଷ୍ଟିପାତ। ସବିଶେଷ ତର୍ଜମାରୁ ଜଣାପଡ଼ିଛି ଯେ ଜଳ ହିଁ ଜୀବନ। ଅନିଶ୍ଚିତ ପାଣିପାଗ ତଥା ଏହାର ଘନଘନ ପରିବର୍ତ୍ତନ ହେତୁ ପରିବେଶୀୟ ଉତ୍ତାପର ବୃଦ୍ଧି ଏବଂ ହ୍ରାସ ଆକଳନ ଠିକ୍ ଭାବରେ ହୋଇପାରୁନାହିଁ। ଠିକଣା ସମୟରେ ବର୍ଷା ହେଉନାହିଁ। ଏହାଦ୍ବାରା ଜଳାଭାବ ଦେଖାଦେଉଛି। ବନ୍ଧ, କେନାଲ ସବୁ ଶୁଖିଯାଉଛି। ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀକୁଳ କ୍ଷତିଗ୍ରସ୍ତ ହେଉଛନ୍ତି। କାମଧନ୍ଦା ଅଭାବରୁ ସେମାନେ ହତାଶ ହୋଇ ପଡ଼ୁଛନ୍ତି। ଏହି ସମସ୍ତ କାରଣକୁ ଆଖି ଆଗରେ ରଖି ପାଣିପାଗ ବିଶେଷଜ୍ଞମାନେ ଏବେ ଏକ ନୂତନ ଦିଗ ଉପରେ ଅନୁଧ୍ୟାନ କରୁଛନ୍ତି। ତାହା ହେଉଛି ଆକାଶରେ କୃତ୍ରିମ ମେଘ ସୃଷ୍ଟି ଏବଂ ବୃଷ୍ଟିପାତ। ଉତ୍ତପ୍ତ ପରିବେଶ କାରଣରୁ ଜଳସଂକଟ ସମୟରେ ଏହି ମେଘରୁ କେମିତି ବୃଷ୍ଟିପାତ ସମ୍ଭବ କରାଯାଇପାରିବ ଏବଂ ଉତ୍ତାପ ହ୍ରାସ ହୋଇପାରିବ, ତାହା ହେଉଛି ଅନୁଧ୍ୟାନର ମୂଳଲକ୍ଷ୍ୟ।
ଏହି ଲକ୍ଷ୍ୟକୁ କାର୍ଯ୍ୟରେ ପରିଣତ କରିବାପାଇଁ ସର୍ବପ୍ରଥମେ ୧୯୭୦ ମସିହାରେ ମାଡ୍ରାସ୍ର ପୁଣ୍ଡି ସହରରେ ଅବସ୍ଥିତ ଜଳସେଚନ ଗବେଷଣା କେନ୍ଦ୍ରରେ ଏହାର ଶୁଭାରମ୍ଭ ହୋଇଥିଲା। ସେତେବେଳେ ସେଠାରେ ଅବସ୍ଥାପିତ ନିର୍ଦେଶକ ସିଲଭର ଆଇଓଡାଇଡ ନାମକ ଏକ ରାସାୟନିକ ପଦାର୍ଥକୁ ଉଡ଼ାଜାହାଜ ମାଧ୍ୟମରେ ଭସାବାଦଲ ଉପରେ ସିଞ୍ଚନ କରି ବୃଷ୍ଟିପାତ ସମ୍ଭବ କରିପାରିଥିଲେ। ମାତ୍ର ଏହା ସଫଳତା ଉତ୍ସାହଜନକ ନ ଥିଲା। ଗବେଷଣା ଭିତରେ ହିଁ ଏହା ସୀମାବଦ୍ଧ ହୋଇ ରହିଯାଇଥିଲା। ପ୍ରୋତ୍ସାହନର ଅଭାବରୁ ଏହି କାର୍ଯ୍ୟକ୍ରମ ବେଶି ଦୂର ଆଗେଇପାରି ନଥିଲା। ଯେଉଁମାେନ ଏହି ପଦକ୍ଷେପକୁ ହାସ୍ୟାସ୍ପଦ ଭାବରେ ଚିତ୍ରଣ କରୁଥିଲେ, ସେମାନେ ଏହା ଯେ ଏକ ବ୍ୟୟବହୁଳ ପ୍ରଚେଷ୍ଟା ଏବଂ ଏଥିରେ ଅନିଶ୍ଚିତତା ରହିଛି, ତାହା ପ୍ରଚାର କରି ଚାଲିଲେ।
ଏ ସମସ୍ତ କୁତ୍ସାରଟନା ସତ୍ତ୍ବେ ବୈଜ୍ଞାନିକମାନେ ନିରୁତ୍ସାହିତ ହୋଇ ନଥିଲେ। ଏ ଦିଗରେ ଅଧିକ ଗବେଷଣା ପାଇଁ ମନୋନିବେଶ କଲେ। ଏକ ନୂତନ ଚିନ୍ତନ ଏଠାରେ ପଦାର୍ପଣ କଲା। ତାହା ହେଉଛି ‘ମେଘ ସଞ୍ଚାଳନ’ ବା ଇଂଲିଶରେ ଯାହାକୁ ‘କ୍ଲାଉଡ୍ ସ୍କ୍ରିନିଂ’ ବୋଲି କୁହାଯାଇପାରେ। ଏହାର ମାର୍ମିକ ଅର୍ଥ ହେଲା- ପାଣିପାଗ ପରିବର୍ତ୍ତନ ପାଇଁ ଏକ ପ୍ରଚେଷ୍ଟା। ଏ ଦିଗରେ ଭାରତରେ କେତେକ ରାଜ୍ୟରେ ଗବେଷଣା ଆରମ୍ଭ ହୋଇଯାଇଥିଲା। ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ଏହି କାର୍ଯ୍ୟ ଆଗେଇ ଚାଲିଲା। ସୁଖର ବିଷୟ, ୨୦୦୯ ମସିହାରେ ଆମେରିକାର ଟେକ୍ସାସ, ଉତ୍ତର ଡାକୋଟା ଏବଂ ଅନ୍ୟାନ୍ୟ ଅଞ୍ଚଳରେ ମେଘ ସଞ୍ଚାଳନ ଗବେଷଣା ଦ୍ବାରା ଅନେକ ସୁଫଳ ମିଳିଥିଲା।
ଏଥିରୁ ସ୍ପଷ୍ଟ ସୂଚନା ମିଳିଥିଲା ଯେ, ଜଳ ଗ୍ରହଣ ଅବବାହିକା ଅଞ୍ଚଳଗୁଡ଼ିକରେ ମେଘ ସଞ୍ଚାଳନ ପାଇଁ ପଦକ୍ଷେପ ଗ୍ରହଣ କଲେ ଭଲ ବର୍ଷା ହୋଇପାରିବ ଏବଂ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇ ଜଳ ସଂରକ୍ଷଣ କରାଯାଇପାରିବ। ଜଳସଂକଟ ସମୟରେ ଅର୍ଥାତ୍ ବୃଷ୍ଟି ହେଉ ନଥିବା ବର୍ଷଗୁଡ଼ିକରେ ଜଳାଭାବ ଦୂରେଇ ଦିଆଯାଇପାରିବ। ଏ ଦିଗରେ କାର୍ଯ୍ୟକରି ଯେଉଁ ଦେଶଗୁଡ଼ିକ ଉପକୃତ ହୋଇଛନ୍ତି ସେସବୁ ଭିତରେ ଚୀନ, ଟାସ୍ମାନିଆ, ଅଷ୍ଟ୍ରେଲିଆ, ଫିଲିପାଇନ୍ସ ଏବଂ ପୂର୍ବ ଏସିଆର ମୌସୁମୀ ନିର୍ଭରଶୀଳ ଅଞ୍ଚଳଗୁଡ଼ିକର ନାମ ନିଆଯାଇପାରେ।
ବର୍ତ୍ତମାନ ଭାରତ କଥା ଦେଖାଯାଉ। ଆନ୍ଧ୍ରପ୍ରଦେଶସ୍ଥ ହାଇଦରାବାଦ ସହରରେ ଅବସ୍ଥିତ ଜବାହର ନେହେରୁ ବୈଷୟିକ ବିଶ୍ବବିଦ୍ୟାଳୟର ବାୟୁମଣ୍ଡଳୀୟ ବିଜ୍ଞାନ ଏବଂ ପାଣିପାଗ ପରିବର୍ତ୍ତନ ବୈଷୟିକ କେନ୍ଦ୍ର ଦ୍ବାରା ୨୦୦୪ ମସିହାରେ ବାରଗୋଟି ଜିଲାର ଛଅଶହ ମଣ୍ଡଳ(ପଞ୍ଚାୟତ)ରେ ମେଘ ସଞ୍ଚାଳନ ପଦ୍ଧତି ପ୍ରୟୋଗ କରାଯାଇଥିଲା। ଏହା ଦ୍ବାରା ଭଲ ବୃଷ୍ଟିପାତ ହେବା ସଙ୍ଗେସଙ୍ଗେ ମରୁଡ଼ି ସମୟରେ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳଗୁଡ଼ିକରେ ଫସଲ ରକ୍ଷା କରାଯାଇ ପାରିଥିଲା।
ଭାରତର ପାଣିପାଗ ତଥା ଉତ୍ତପ୍ତ ପରିବେଶ ଜନିତ ଅବସ୍ଥାକୁ ଲକ୍ଷ୍ୟରେ ରଖି ବିଭିନ୍ନ ସମୟରେ ପୁଣେଠାରେ ଅବସ୍ଥିତ ଭାରତୀୟ ଗ୍ରୀଷ୍ମ ମଣ୍ଡଳୀୟ ପାଣିପାଗ ପ୍ରତିଷ୍ଠାନଠାରେ ଏକ ଦଶନ୍ଧିରୁ ଅଧିକ କାଳ ଏହାରି ଉପରେ ଗବେଷଣା କରି ଜାଣିପାରିଛନ୍ତି ଯେ ସାଧାରଣ ବୃଷ୍ଟିପାତଠାରୁ ମେଘ ସଞ୍ଚାଳନର ବିନିଯୋଗରେ ଅଧିକ ୨୪ଶତାଂଶ ବୃଷ୍ଟିପାତ ଘନୀଭବନ ଦ୍ବାରା ସମ୍ଭବ ହୋଇପାରୁଛି। ହାଇଦରାବାଦ ବିଶ୍ବବିଦ୍ୟାଳୟର ଗବେଷଣା କେନ୍ଦ୍ରରେ ଉଡ଼ାଜାହାଜ ମାଧ୍ୟମରେ ମେଘ ସଞ୍ଚାଳନ ପ୍ରକ୍ରିୟା ସାଧିତ ନ କରି ଭୂପୃଷ୍ଠ ଉପରୁ ଛୋଟଛୋଟ ରକେଟ ସାହାଯ୍ୟରେ ସିଲଭର ଆଇଓଡାଇଡ୍ ନିକ୍ଷେପଣ ପଦ୍ଧତି ଅନୁସରଣ କରି ବୃଷ୍ଟିପାତ ସମ୍ଭବ କରାଇ ପାରିଥିଲେ। ମୁଖ୍ୟତଃ ଘନୀଭବନ ଏବଂ ଘନୀକରଣ ପ୍ରକ୍ରିୟା ଏହି ରାସାୟନିକ ପଦାର୍ଥ ଦ୍ବାରା ମେଘ ଭିତରେ କାର୍ଯ୍ୟକରି ବୃଷ୍ଟିପାତ କରିଥାଏ। କଠିନ ଜଳ ସଂକଟ ସମୟରେ ମେଘ ସଞ୍ଚାଳନ ପଦ୍ଧତି ଅନୁସରଣ ବେଶ୍ ଫଳପ୍ରଦ ହୋଇପାରିବ ବୋଲି ସବିଶେଷ ଅଧ୍ୟୟନରୁ ଜଣାପଡ଼ିଲାଣି। ସୁତରାଂ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସରକାର ଏ ଦିଗରେ ସ୍ବତନ୍ତ୍ର ଦୃଷ୍ଟିଦେବା ଦରକାର। ତତ୍ ସହିତ ଅଧିକ ଗବେଷଣା ପାଇଁ ଭାରତ ସରକାରଙ୍କ ପାଣିପାଗ ବିଭାଗ ସହ ଯୋଗାଯୋଗ ମାଧ୍ୟମରେ ଗବେଷକମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ଉପଯୁକ୍ତ ସମୟ ଉପନୀତ ହୋଇଛି ବୋଲି ବିବେଚନା କରି ଏ ଦିଗରେ ଅଧିକ କାର୍ଯ୍ୟ କରିବା ପାଇଁ ଆଗଭର ହେବା ଉଚିତ୍। ଏହାଦ୍ବାରା ବୃଷ୍ଟିପାତ ହେଉ ନଥିବା ସ୍ଥାନମାନଙ୍କରେ କୃତ୍ରିମ ବର୍ଷା କରାଯାଇ ପାରିବ ଏବଂ ଜଳାଭାବ କିଛି ମାତ୍ରାରେ ଦୂର କରାଯାଇ ପାରିବ।
ମଣିଷ ହାତରେ ମେଘ ସଞ୍ଚାଳନ
Popular Categories



