ଭୁବନେଶ୍ଵର: ସାମାଜିକ ବିବର୍ତ୍ତନ ସହ କଳାର ବିବର୍ତ୍ତନ ଘଟି ଆସିଛି। ମଣିଷ ନାନା ଯୁଗ ଦେଇ ଗତି କରିଛି ଓ ଏବେ ବି କରୁଛି। ସେଗୁଡିକ ହେଲା ୧-ପ୍ରତୀକାତ୍ମକ ଯୁଗ, ୨-ରୀତିମୂଳକ ଯୁଗ, ୩- ପରମ୍ପରାଗତ ଯୁଗ, ୪- ବ୍ୟକ୍ତିକୈନ୍ଦ୍ରିକ ଯୁଗ, ୫- ଯୁକ୍ତି ସମ୍ମତ ଯୁଗ, ୬-ଆଶୟଗତ ବା ଅନ୍ତର୍ମୁଖୀ ଯୁଗ। ଏହି ଛଅ ଯୁଗରେ କଳାକାର ଥିଲେ। ସେମାନେ ବାଦ୍ୟ ଦ୍ୱାରା, ନାଚ ଦ୍ୱାରା, କଥା ଦ୍ୱାରା କଳାଜଗତକୁ ବଞ୍ଚାଇ ରଖିଥିଲେ। କଳା ଯୁଗାଶ୍ରୟୀ ବୋଲି କୁହାଯାଇପାରେ। ଅନ୍ୟ ଭାଷାରେ କହିବାକୁ ଗଲେ କଳା ଏକ ସୂକ୍ଷ୍ମ ଓ ନୈସର୍ଗିକ ବିଭବ। ଏଥିରେ ପ୍ରକୃତି ମଧ୍ୟ ସ୍ତବ୍ଧ ହୋଇଯାଏ। ମଣିଷର ମନ ଓ ହୃଦୟକୁ ଏହା ସ୍ପର୍ଶ କରିଥାଏ। ସଂସାରରେ ଯେତେ ଗୁଡିଏ ବିଭବ ଅଛି ସେଥିମଧ୍ୟରୁ କଳା ଏକ ଉଚ୍ଚତର ବିଭବ। ଆଜିର ଯୁଗରେ ଯାତ୍ରା, ଥିଏଟର, ଗୀତିନାଟ୍ୟ, ମେଲୋଡି, ଭଜନସଂଧ୍ୟା, ସିନେମା, ସୁଆଙ୍ଗ, ପାଲା, ଦାଶକାଠିଆ, ଦଣ୍ଡ ନୃତ୍ୟ, ଆଦିବାସୀଙ୍କ ବାଦ୍ୟ, ପଲ୍ଲୀ ନୃତ୍ୟ, ବିଭିନ୍ନ ପ୍ରକାର ସଙ୍ଗୀତ, ନୃତ୍ୟ, ଆଦି ବିଭିନ୍ନ ପ୍ରକାର ମନମୁଗ୍ଧକର କାର୍ଯ୍ୟକ୍ରମ କଳାଜଗତର ଅନ୍ତର୍ଭୁକ୍ତ। ସମ୍ପ୍ରତି ଓଡ଼ିଶାରେ ଥିବା କଳାକାରମାନେ ଓ ବିଶେଷକରି ଯାତ୍ରା ଜଗତର କଳାକାରଙ୍କ ମଧ୍ୟରେ ଯେଉଁ କ୍ଷୋଭ ପ୍ରକାଶ ପାଉଛି ତାହା ସାମାଜିକ ସ୍ତରରେ ବିଚାରଯୋଗ୍ୟ। ସିନେମା ହେଉ କିମ୍ବା ଥିଏଟର ହେଉ କିମ୍ବା ଅପେରା ହେଉ ଏହା ଏକ ସ୍ୱତନ୍ତ୍ର ଜଗତ। ଏଥିରେ କଳାକାରମାନେ ଅଗଣିତ ଦର୍ଶକଙ୍କୁ ଆନନ୍ଦ ଦିଅନ୍ତି ଏବଂ ମଣିଷଙ୍କ ମଧ୍ୟରେ ଏକ ଚେତନା ସୃଷ୍ଟି କରିଥାଆନ୍ତି। ଏଥିପାଇଁ କଳାକାରମାନେ ସୃଜନଶୀଳତା ସହିତ ବହୁ ତ୍ୟାଗ ସ୍ୱୀକର କରିଥାଆନ୍ତି। ଏବେ କଳା ଜଗତ ବିବର୍ତ୍ତନର ଷଷ୍ଠ ପାହାଚରେ ଉପନୀତ। କଳା ପ୍ରକୃତିଗତ ବା ଜନ୍ମଗତ ଏବଂ ବୃତ୍ତିଗତ ଏବଂ ଜନ୍ମଗତ। କଳା ପ୍ରତି ଯାହାର ଆବେଗ, ଶ୍ରଦ୍ଧା ଥାଏ ସେ କଳାକାର ହୋଇ ପାରେ।
ଆଉ ଏକ ଲକ୍ଷଣ ଅଛି ତାହା ହେଲା କଳା-ଭକ୍ତି। ଭକ୍ତି ସହିତ ଜ୍ଞାନର ସମ୍ପର୍କ ରହିଛି। କଳା ସହିତ ଆବେଗ ଓ ନିଷ୍ଠାପରତାର ସମ୍ପର୍କ ରହିଛି। ଆହୁରି ମଧ୍ୟ ବାସନାର ସମ୍ପର୍କ, କର୍ମର ସମ୍ବନ୍ଧ ସାମାଜିକ ରୀତିନୀତି, ଓ ମେଳା ପର୍ବପର୍ବାଣିର ଘନିଷ୍ଠ ସମ୍ପର୍କ ରହିଛି। ଅନେକ ଶାସ୍ତ୍ର ପୁରାଣ ଓ ମନୀଷୀମାନେ କଳାକୁ ଉଚ୍ଚ ସ୍ଥାନ ଦେଇଛନ୍ତି। ଗବେଷକ ଓ ଭାଷ୍ୟକାରମାନେ ଏହାକୁ ଆବେଗିକ ଭାରତୀୟ ସଂସ୍କୃତି ପର୍ଯ୍ୟାୟଭୁକ୍ତ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ କଳାକାରଙ୍କ ଆବେଗ ସମାଜରେ ଭକ୍ତି, ଭାବନା, ପବିତ୍ରତା, ସହନଶୀଳତା ଓ ପ୍ରେମର ବାତାବରଣ ସୃଷ୍ଟି କରିଥାଏ। ଭାରତୀୟ ମନୋବିଜ୍ଞାନର ଅନୁଶୀଳନରୁ ଏହି ତଥ୍ୟ ଉପଲବ୍ଧ ହୋଇଥାଏ। କଳା ଏକ ଅନୁଭୂତି ନୁହେଁ ଏହା ହୃଦୟ ଓ ଆତ୍ମାର କଥା। ଦେବସଭାରେ ମଧ୍ୟ ନର୍ତ୍ତକୀଙ୍କ ଭୂମିକା ନିର୍ଣ୍ଣୟ କରାଯାଇଛି। ନାଟ୍ୟ କଳାରେ ଥାଏ ଆବାହନ, ଆରାଧନା, ଆତ୍ମ ନିବେଦନ। ଯେମିତି ପ୍ରେମର ସ୍ୱରୂପ ହେଉଛି ଏକ ଅନ୍ତରାନୁଭୂତି କିମ୍ବା ପ୍ରେମିକଙ୍କ ନିକଟତର ହୋଇ ମିଳିତ ହେବାର ଅନୁସନ୍ଧିତ୍ସା। ସେହିପରି ଜଣେ କଳାକାର ହେଉଛି ଆବେଗର ମୂର୍ତ୍ତିମନ୍ତ ପ୍ରତୀକ। ଆସନ୍ତୁ ଆମେ ଦେଖିବା ଯାତ୍ରା କଳାକାରଙ୍କ ଜୀବଦ୍ଦଶାର ଘଟଣା।
ଅତୀତରେ କଳାର ପ୍ରକାଶ ଶୈଳୀ ଯାହା ହେଉନା କାହିଁକି ଏବେ ଆମେ ଦେଖିବାକୁ ପାଉ ଯାତ୍ରା ଜଗତରେ ସମ୍ପୂର୍ଣ୍ଣ କଳାର ରୂପରେଖ ଭିନ୍ନ ରୂପେ ରହିଛି। ନାଟ୍ୟ ଲେଖକ ବା ନାଟ୍ୟକାର ହେଉଛି ମୂଳ ଖୁଣ୍ଟ। ଏଥିରେ ରହିଛି ସଙ୍ଗୀତ, ପ୍ରଚ୍ଛଦପଟ ସଙ୍ଗୀତ, ବିଭିନ୍ନ ପ୍ରକାର ବାଦ୍ୟ, ନୃତ୍ୟ, ନୃତ୍ୟାଭିନୟ, ହାସ୍ୟ ରସ, ସୁନ୍ଦର ସଂଳାପ, ଅଭିନେତାଙ୍କ ସ୍ୱରାଭିନୟ, ବିଶେଷକରି ଅଭିନେତାଙ୍କ ଚାଲିଚଳଣି ଯାହା ସାମାଜିକ ଚାଲିଚଳଣିକୁ ପାଥେୟ କରି ଏବେ ଗଢ଼ିଉଠିଛି। ଏହା ପରେ ବିଷୟବସ୍ତୁ- ଏବେ ସମସ୍ତ ଅପେରା ଦଳ ସାମାଜିକ ତଥା ରାଜନୈତିକ ବିଷୟବସ୍ତୁକୁ ନେଇ ଚାଲିଛି। କେତେକ ଦଳରେ ତାହା ଆହୁରି ଊର୍ଦ୍ଧ୍ବକୁ ଉଠାଇବା ପାଇଁ ଉଦ୍ୟମ ହେଉଛି। ଥିଏଟରରେ ଏବେ ଊର୍ଦ୍ଧ୍ବଗାମୀ ଚିନ୍ତାଧାରାର ବିଷୟବସ୍ତୁ ଦେଖିବାକୁ ମିଳୁଛି। ନାଟ୍ୟକାରମାନେ ସମାଜର ବ୍ୟବସ୍ଥା ଓ ଦର୍ଶକଙ୍କ ମାନସିକ ରୁଚିକୁ ପରୀକ୍ଷାନିରୀକ୍ଷା କରି ଚାଲିଛନ୍ତି। ଅତୀତରେ ପ୍ରାକ୍ ସ୍ୱାଧୀନତା କାଳରେ କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଯେଉଁ ନାଟକ ରଚନା କରି ମଞ୍ଚସ୍ଥ କରୁଥିଲେ ତାହା ଏକ ପ୍ରକାର ଦେଶାତ୍ମକବୋଧ ନାଟକ ଓ ପୌରାଣିକ ନାଟକ ଥିଲା।
ଯାତ୍ରା ଜଗତର ଅନ୍ୟତମ ଉଦ୍ଗାତା ରଘୁନାଥ ପଣ୍ଡା ଯେପରି ନାଟକ ମଞ୍ଚସ୍ଥ କରୁଥିଲେ ତା’ର ରୂପରେଖ ବଦଳି ଯାଇଛି। ଅପେରା ପରିଚାଳକ ସେତେବେଳେ ନିଜେ ମାଲିକ ଥିଲେ ଏବଂ ନିଜେ ନାଟ୍ୟ ନିେର୍ଦଶନା ଦେଉଥିଲେ। ଅଭିନୟ ଶିଖିବାର ଯୁଗ ସେତେବେଳେ ଥିଲା। ଯେତିକି ପ୍ରାପ୍ୟ ପାଉଥିଲେ ତାହାକୁ ସେମାନେ ବିନା ଦ୍ୱିଧାରେ ଗ୍ରହଣ କରି ନେଉଥିଲେ। ଆହୁରି ମଧ୍ୟ ବହୁ ନାଟକ ମାଲିକ ବା ନାଟ୍ୟ ନିେର୍ଦଶକ ଗୋଟିଏ ଖୋଲା ମଞ୍ଚରେ ଅଭିନୟ କରିବା ପାଇଁ ବହୁ ଶ୍ରମ ତ୍ୟାଗ କରି ଶେଷରେ ନିଜେ ତଳିତଳାନ୍ତ ହୋଇ ଯାଇଛନ୍ତି। ସେମାନେ ଏବେ ବି ଅନାଲୋଚିତ ହୋଇ ରହିଯାଇଛନ୍ତି। ଅପେରା ମାଲିକମାନେ ରୋଜଗାର କରିବାରେ ଆଗେ ସେତେ ଦୃଢ ନିଶ୍ଚିତ ନଥିଲେ। କାରଣ ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଯାତ୍ରା କରି ନପାରି ୭ ଦିନ କିମ୍ବା ୧୦ ଦିନ ହାତରୁ ଖାଇ ପଡ଼ି ରହନ୍ତି। ଏବେ ସେଭଳି ଅବସ୍ଥା ଯାତ୍ରା ପାର୍ଟିମାନଙ୍କର ନାହିଁ। ପୂର୍ବେ କଳାକୁ ବଞ୍ଚାଇବା ପାଇଁ କଳା ଲାଗି କଳାକାରମାନେ ଅପେରା ପାର୍ଟିର ମାଲିକଙ୍କ ସହିତ ମିଶି ଦୁଃଖ ଦୈନ୍ୟ ମଧ୍ୟରେ ଅଭିନୟ କରୁଥିଲେ। ଏବେ ଅପେରା ପାର୍ଟି ସଂଖ୍ୟା ବଢ଼ିଲା, କଳାକାରଙ୍କ ସଂଖ୍ୟା ମଧ୍ୟ କମ ନୁହେଁ। ଆଧୁନିକ ସାଜସଜ୍ଜା ବହୁତ ବଢ଼ି ଯାଇଛି। ପ୍ରତିବର୍ଷ ନୂତନ ଧାରାରେ ସାଜସଜ୍ଜା ପାଇଁ ମାଲିକମାନେ ବହୁତ ଖର୍ଚ୍ଚ ବହନ କରିଥାଆନ୍ତି। ଏବେ ବେଶ୍ ପ୍ରତିଦ୍ୱନ୍ଦ୍ବିତା ମୂଳକ ହୋଇଛି। ପ୍ରତିଦ୍ୱନ୍ଦ୍ବିତାକୁ ମୁକାବିଲା କରିବା ପାଇଁ ମାଲିକମାନେ ବେଶ୍ ତତ୍ପର ଥାଆନ୍ତି। ମାଲିକମାନେ ଏବେ କଳାଗ୍ରାହୀ, କିନ୍ତୁ କଳାକାର ନୁହନ୍ତି। କଳାକୁ ନେଇ ବ୍ୟବସାୟ କରନ୍ତି। ଏବେ ଏହା ଏକ ଶିଳ୍ପ ପଦବାଚ୍ୟ ନହେଲେ ବି ଶିଳ୍ପରେ ପରିଣତ ହୋଇଛି। ଯାତ୍ରା ମାଲିକମାନେ ଭାବନ୍ତି କଳା ମାଧ୍ୟମରେ ରୋଜଗାର କରିବା। ଆଧୁନିକ ଯାତ୍ରା ପାର୍ଟିରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି। ବ୍ୟୟଭାର ବୃଦ୍ଧି ଘଟିଛି।
କଳାକାରମାନେ ମଧ୍ୟ ଭଲ ଦି ପଇସା ରୋଜଗାର କରନ୍ତି, କିନ୍ତୁ ତାହା ବୃତ୍ତିଗତ ନୁହେଁ। ଆଜି ଅଛି ତ କାଲି ନାହିଁ। ସେମାନଙ୍କୁ ବାସ୍ତବରେ ସମାଜର କଳା-ବିଭବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମଣିଷର ହୃଦୟକୁ ସେମାନେ ସହଜରେ କିଣି ନେଇ ଥାଆନ୍ତି। ନିଜର ଅନ୍ତର୍ନିହିତ ଶକ୍ତି ନଥିଲେ ସେମାନେ କଳା କ୍ଷେତ୍ରରେ ଆଗକୁ ଯାଇ ପାରିବେ ନାହିଁ; ବରଂ ସବୁଠି ଦର୍ଶକଙ୍କଠାରୁ ସମାଲୋଚିତ ହେବାକୁ ପଡ଼ିବ। ଏହି କେଇ ଦଶନ୍ଧିରେ ଜଣେ କଳାକାର ଅଭିନୟ ପ୍ରକ୍ରିୟାରେ ହର୍ଷ, ବିଷାଦ, ପ୍ରେମ, କାମ, କ୍ରୋଧ, ଆବେଗ, ଉଦ୍ବେଗ, , ଅସହାୟତା, ଆଦି ଭାବ ଚୟନ ଓ ପରିପ୍ରକାଶ କରିବା ପାଇଁ ସକ୍ଷମତା ହାସଲ କରି ଚାଲିଛନ୍ତି। ଏ ଗୁଡାକ ତାଙ୍କ ଅନ୍ତରକୁ ଉଚ୍ଛନ୍ନ କରିଥାଏ। ଏହାର ପରିପ୍ରକାଶ ଘଟିଲେ ସେମାନେ ତୃପ୍ତି ଲାଭ କରିଥାଆନ୍ତି। ଭାବ ପ୍ରକାଶ ପରିମାର୍ଜିତ ହୋଇ ଚାଲିଛି। ଏବେ କଳା ବା ଅଭିନୟ ସଂସ୍କୃତିର ଏକ ମୁଖ୍ୟ ଅଙ୍ଗ ହୋଇ ଯାଇଛି। ବର୍ତ୍ତମାନ କଳା ଓ ନାଟକ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଧରି ରଖିଛି। ଆମ ସଂସ୍କୃତିର କଳାପ୍ରବଣତା ଏକ ମର୍ଯ୍ୟାଦାପୂର୍ଣ୍ଣ ଅଙ୍ଗ ହୋଇଛି। ଭାଷା ସୃଷ୍ଟି ପରେ ଏହା ଏକ ବିଧିବଦ୍ଧ ଭାବେ କଳା ରୂପ ଗ୍ରହଣ କରିଛି ବୋଲି କୁହାଯାଏ।
ବିଶ୍ୱର ସବୁଠି ଯେପରି ଅଭିନୟ ଚାଲିଛି ତାହା ଦୃଶ୍ୟମାନ ହେଉଥିଲେ ହେଁ ତାହା ଚେତନୋଦ୍ଦୀପକ ନୁହେଁ। ଏପରି କି ଗ୍ରୀକ୍, ରୁଷ, ଜାପାନ, ଜର୍ମାନ ଆଦି ସଭ୍ୟତାରେ ମଧ୍ୟ ଅଭିନୟକୁ ପୁଞ୍ଜି କରି ନାଟକର ପରିକଳ୍ପନା କରାଯାଇଥିଲା। ଏପରି କି ଭାରତୀୟ ସଂସ୍କୃତିରେ ପରମେଶ୍ୱରଙ୍କ ସଂସାରରେ ସମସ୍ତ କ୍ରିୟା ତାଙ୍କର ଆଙ୍ଗିକ ଅଭିନୟ ବୋଲି ବିଶ୍ୱାସ କରାଯାଏ। ଆମ ସୃଷ୍ଟିରେ ଈଶ୍ୱରଙ୍କୁ ମଧ୍ୟ ଅଭିନୟ ଘଟଣାଚକ୍ର ବୋଲି ସମୀକ୍ଷା କରାଯାଇଛି। ଏହି ଅଭିନୟ କଳାଟି ସାରା ବିଶ୍ୱରେ କ୍ରମଶଃ ବହୁ ବ୍ୟାପକ ହୋଇଛି। ସବୁ ମଣିଷଙ୍କ କଥାବାର୍ତ୍ତାରେ, କାର୍ଯ୍ୟଧାରାରେ, ବେଶ ପୋଷାକରେ ମାନବୀୟ ସମ୍ପର୍କ ସ୍ଥାପନର ପ୍ରତିମୁହୂର୍ତ୍ତରେ ଅଭିନୟର ପଦଚିହ୍ନ ସୁସ୍ପଷ୍ଟ। କଥାରେ କୁହାଯାଏ ପୃଥିବୀଟା ଏକ ରଙ୍ଗମଞ୍ଚ ଆମେ ଜଣେ ଜଣେ ଅଭିନେତା। ଏହା ସେକ୍ସପିୟରଙ୍କ ଆପ୍ତବାକ୍ୟ। ଜୀବନ କ୍ଷେତ୍ରରେ ଯିଏ େଯତେ ସଫଳ ଅଭିନୟ କରୁିପାରୁଛି ସେ ସମାଜରେ ସେତେ ଶ୍ରେଷ୍ଠତ୍ୱ ଲାଭ କରୁଛି। ସମାଜରେ ଶୁଦ୍ଧ ସାମାଜିକ ମଣିଷର ଆଚରଣରେ ଅଭିନୟର ପ୍ରତିଶତାଂଶ ଯେତେ ନୁହେଁ, ଶଠତା ଛଳନା ପ୍ରବଞ୍ଚନାରେ ବିଶ୍ୱାସ ନଥିବା ଏକ ଅଭିନୟଟି ଏବେ ଖୁବ୍ ଆଦୃତ ହେଉଛି।
ଅଭିନୟର ଏହି ଅପପ୍ରୟୋଗରେ ସମସ୍ତେ ବିସ୍ମିତ କିନ୍ତୁ ଏହା ଜୀବନ ପାଇଁ ଅନିବାର୍ଯ୍ୟ। ପରିବେଶ ବଦଳି ଗଲେ ଓ ପରିବର୍ତ୍ତିତ ମୂଲ୍ୟବୋଧରେ ମଣିଷ ଯେତେବେଳେ ନିଜକୁ ଅନିଚ୍ଛା ପରେ ବି ସାମିଲ ହେବାକୁ ଚାହେଁ ସେଇଠି ଅଭିନୟର ଦୃଶ୍ୟବତ୍ତା ବିଶେଷ ଲକ୍ଷ୍ୟ କରାଯାଇଥାଏ। ନାଟକର ଅତୀତକୁ ଛାଡିଦେଲେ ଆଧୁନିକ ଯୁଗରେ ତାହା ବିଭିନ୍ନ ସ୍ତରରେ ବିଭିନ୍ନ ମାଧ୍ୟମରେ ବିଭିନ୍ନ ପ୍ରକ୍ରିୟା କ୍ରମେ ଦୃଶ୍ୟମାନ ହୁଏ। ଅଭିନୟ କେବଳ ଅନୁକରଣ ବା ଅନୁସରଣ କ୍ରିୟା ନହୋଇ ଏହା ଏକ କାଳ୍ପନିକ ଆବେଗର ହିତକର ପ୍ରକ୍ରିୟା। କିଛି ନାଟ୍ୟକାର ଏହାକୁ ବୌଦ୍ଧିକ କ୍ରିୟାରେ ରୂପାନ୍ତରିତ କରିଛନ୍ତି। ଏଥିରେ ସେମାନେ ସେତେ ସଫଳତା ହାସଲ ନକରି ନାଟକକୁ ମିଶ୍ର କ୍ରିୟାରେ ପରିଣତ କରିବାକୁ ବାଧ୍ୟ ହୋଇଛନ୍ତି। ବୌଦ୍ଧିକ ସ୍ତରରେ ଯେଉଁ ନାଟ୍ୟକାର ନାଟକକୁ ବେତାର, ଦୂରଦର୍ଶନ ମାଧ୍ୟମରେ କ୍ଷୁଦ୍ର ନାଟକ ରଚନା କରି ଏହାକୁ ରୂପାୟିତ କରିଛନ୍ତି ସେମାନଙ୍କ ମଧ୍ୟରୁ ନାଟ୍ୟକାର ସଚି ଦାସ, ରମେଶ ପାଣିଗ୍ରାହୀ, ଡ.ରତ୍ନାକର ଚଇନି, ବିଜୟ ମିଶ୍ର, ଭଗବାନ ନାୟକ ବର୍ମ୍ମା, କୁଞ୍ଜ ରାୟ, ପ୍ରଫେସର ବିଜୟ କୁମାର ଶତପଥୀ, ନାଟ୍ୟକାର ସୁବୋଧ ପଟ୍ଟନାୟକ ଏହିପରି ଅନେକଙ୍କ ନାମ ନିଆ ଯାଇପାରେ।
ସତରେ ମାନବ ଜୀବନ ସହିତ ସମ୍ପୃକ୍ତ ସମସ୍ତ ବିଷୟ ନାଟକର ଉପଯୋଗୀ ବୋଲି କୁହାଯାଏ। କ୍ରମଶଃ ନାଟକ ସମାଜ ଓ ଜୀବନର ଏକ ଆବଶ୍ୟକତା ରୂପେ ମାନ୍ୟତା ଲାଭ କରି ଚାଲିଛି। ଏପରି ସ୍ଥଳେ ଯାତ୍ରା ହେଉ କିମ୍ବା ଥିଏଟର ହେଉ କିମ୍ବା ଯେ କୌଣସି କଳାର କାର୍ଯ୍ୟକ୍ରମ ହେଉ ଏପରି କି ସାଂସ୍କୃତିକ ସଂଗଠନ ହେଉ ଏଥିପାଇଁ ସରକାରଙ୍କର କୌଣସି ଯୋଜନା ଏ ପର୍ଯ୍ୟନ୍ତ ସମ୍ବିଧାନ କିମ୍ବା ଶାସନର କାର୍ଯ୍ୟାବଳୀରେ ଉପଯୁକ୍ତ ସ୍ଥାନ ପାଇ ପାରିନାହିଁ। ଅନ୍ୟ ସମସ୍ତ ବିଭବଗୁଡିକ ପାଇଁ ସରକାର ବ୍ୟାପକ ଯୋଜନା କରି ଚାଲିଥିଲେ ହେଁ ଜଣେ କଳାକାର କିପରି ବଞ୍ଚିବ ବା କଳାଜଗତରେ ତିଷ୍ଠିବ ସେଥିପାଇଁ ସାଂବିଧାନିକ ବିଧି ବ୍ୟବସ୍ଥା ଗ୍ରହଣ କରାଯାଇ ପାରି ନାହିଁ। ସଭ୍ୟ ଜଗତରେ ଏହାର ଆବଶ୍ୟକତା ଥିବାରୁ ଏଥିପାଇଁ ସରକାର ବିଳମ୍ବରେ ହେଲେ ମଧ୍ୟ ଏବେ ଯଥାବିଧି ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ। ଏ ଗୁଡିକର ସୁପରିଚାଳନା ଓ କଳାକାରଙ୍କ ନିରାପତ୍ତା ରକ୍ଷା କରିବା ନିମନ୍ତେ ସରକାରୀ ସ୍ତରରେ ବିଧିବଦ୍ଧ ଭାବେ ଯୋଜନା ଓ କିଛି ବଜେଟ ରହିବା ଦରକାର।
କଳା ଜଗତ ଓ ଶାସନତନ୍ତ୍ର
Popular Categories



