ପରଲୋକରେ ଅମୃତ ସନ୍ଧାନୀ ମନୋଜ
![](https://samajalive.in/wp-content/uploads/2021/04/Manoj-Das-1-650x430.jpg)
କଟକ: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ଓ ଶ୍ରୀଅରବିନ୍ଦ ଦର୍ଶନର ମହାନ ପ୍ରବକ୍ତା ପଦ୍ମଭୂଷଣ ମନୋଜ ଦାସ ଇହଜଗତରେ ଆଉ ନାହାନ୍ତି। ପୁଡ଼ୁଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମସ୍ଥିତ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ଆଠଟାବେଳେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କୁ ୮୭ ବର୍ଷ ହୋଇଥିଲା। ଫକିର ମୋହନ ସେନାପତି ଓ ଗୋପୀନାଥ ମହାନ୍ତିଙ୍କ ପରେ ଓଡ଼ିଆ କଥା ସାହିତ୍ୟର ସମୃଦ୍ଧି ଓ ଅଭିବୃଦ୍ଧିରେ ଯେଉଁ ମହାନ ସାରସ୍ବତ ସ୍ରଷ୍ଟାଙ୍କ ଅନନ୍ୟ ଅବଦାନ ରହିଛି, ସେମାନଙ୍କ ମଧ୍ୟରେ ପ୍ରଫେସର ଦାସଙ୍କ ନାମ ସର୍ବାଗ୍ରେ ସ୍ମରଣ କରାଯାଇଥାଏ। ତାଙ୍କ ନିଧନରେ ଓଡ଼ିଆ ସାହିତ୍ୟର ଗୋଟିଏ ଯୁଗର ଅବସାନ ଘଟିଲା ଏବଂ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ପ୍ରଫେସର ଦାସଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ରାତି ପ୍ରାୟ ଆଠଟା ସମୟରେ ପୁଡ଼ୁଚେରିସ୍ଥିତ ଶ୍ରୀଅରବିନ୍ଦ ଆଶ୍ରମ ନର୍ସିଂହୋମରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ରହି ଚିକିତ୍ସାଧୀନ ଥିଲେ।
ପ୍ରଫେସର ଦାସଙ୍କୁ ସମକାଳର ବିଶ୍ବର ଅନ୍ୟତମ ମହାନ ସାରସ୍ବତ ସ୍ରଷ୍ଟା ଭାବେ ବିବେଚନା କରାଯାଇଥାଏ। ଓଡ଼ିଶାର ଦ୍ବିଭାଷିକ ଲେଖକ ଭାବେ ବିଶ୍ବରେ ସୁପ୍ରସିଦ୍ଧ ଲାଭ କରିଥିବା ଲେଖକଙ୍କ ମଧ୍ୟରେ ସେ ଅସାଧାରଣ। ମିଥ୍ ଓ କିମ୍ବଦନ୍ତୀର ପୁନଃକଥନରେ ତାଙ୍କର ଅସାଧାରଣ କୃତିତ୍ବ ଯୋଗୁଁ ତାଙ୍କୁ ଆଧୁନିକ ଯୁଗର ବିଷ୍ଣୁ ଶର୍ମା ଭାବେ ଅଭିହିତ କରାଯାଇଥାଏ। କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ପରେ ବିଶ୍ବ ସାହିତ୍ୟକୁ ଭାରତୀୟ ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଯଥାର୍ଥ ପ୍ରତିନିଧି ବିବେଚନା କରାଯାଇଥାଏ। କେନ୍ଦ୍ର ସାହିତ୍ୟ ଏକାଡେମୀ, ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ଶାରଳା ପୁରସ୍କାର, ‘ସମାଜ’ ପକ୍ଷରୁ ଗୋପବନ୍ଧୁ ସାରସ୍ବତ ସମ୍ମାନ, ସରସ୍ବତୀ ସମ୍ମାନଠାରୁ ଆରମ୍ଭ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ପ୍ରଭୃତି ବହୁ ପୁରସ୍କାର-ସମ୍ମାନର ଅଧିକାରୀ ସେ। ନିକଟ ଅତୀତରେ ତାଙ୍କର ଗଳ୍ପ ସଙ୍କଳନ ‘ମନୋଜ ଦାସଙ୍କ କଥା ଓ କାହାଣୀ’ ଚୀନ, ଋଷ ଓ ଇଂରାଜୀ ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଛି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ କେବଳ ଦଶଟି ଭାରତୀୟ ଭାଷାରେ ଦଶଜଣ ମହାନ ସାରସ୍ବତ ସ୍ରଷ୍ଟାଙ୍କ ପୁସ୍ତକ ଭିତରେ ପ୍ରଫେସର ଦାସଙ୍କ ଏହି ପୁସ୍ତକ ପ୍ରକାଶ ପାଇଥିବାରୁ ଏହା ନିଶ୍ଚିତ ଭାବେ ଓଡ଼ିଆ ଭାଷା ସାହିତ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ଥିଲା। ଶ୍ରେଷ୍ଠ ଦଶଜଣ ଭାରତୀୟ କୃତି ମଧ୍ୟରେ ମନୋଜଙ୍କ କୃତି ଅନୁଦିତ ହୋଇଥିବାରୁ ଏହା ତାଙ୍କ ପାଇଁ ଏକ ବିରଳ ସ୍ବୀକୃତି ଥିଲା ।
ମନୋଜ ଦାସଙ୍କ ଜନ୍ମ ୧୯୩୪ ଫେବୃଆରୀ ୨୭ରେ ବାଲେଶ୍ୱର ଜିଲା ସୀମାନ୍ତବର୍ତ୍ତୀ ସମୁଦ୍ରକୂଳସ୍ଥ ଭୋଗରାଇ ବ୍ଲକର ଶଙ୍ଖାରି ଗ୍ରାମରେ ହୋଇଥିଲା। ପିତା ମଧୁସୂଦନ ଦାସ ଓ ମାତା କାଦମ୍ବିନୀ ଦେବୀ। ୧୯୪୯ରେ ତାଙ୍କର ପ୍ରଥମ କବିତା ସଙ୍କଳନ ‘ଶତାବ୍ଦୀର ଆର୍ତ୍ତନାଦ’ ପ୍ରକାଶିତ ହେଇଥିଲା। ୧୯୫୦ରେ ‘ଦିଗନ୍ତ’ ପତ୍ରିକାର ସମ୍ପାଦନା ହାତକୁ ନେଇଥିଲେ। ୧୯୫୨ରେ ପ୍ରଥମ ଗଳ୍ପ ସଙ୍କଳନ “ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା। ୧୯୬୩ରୁ ସେ ପୁଡୁଚେରୀରେ ଅବସ୍ଥାନ କରିଆସୁଥିଲେ। ୧୯୬୫ରେ “ଆରଣ୍ୟକ’ ଗଳ୍ପ ସଙ୍କଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର। ୧୯୭୨ରେ “କଥା ଓ କାହାଣୀ’ ଗଳ୍ପ ସଙ୍କଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ୧୯୮୫-୮୯ ବିଖ୍ୟାତ ଇଂରାଜୀ ମାସିକ ସାହିତ୍ୟ-ସଂସ୍କୃତି ପତ୍ରିକା “ଦ ହେରିଟେଜ’ର ସମ୍ପାଦନା କରିଥିଲେ। ୨୦୦୧ରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଦ୍ୱାରା ‘ପଦ୍ମଶ୍ରୀ’ ସମ୍ମାନ, କେକେ ବିରଳା ଫାଉଣ୍ଡେସନ ପକ୍ଷରୁ “ଅମୃତଫଳ’ ଉପନ୍ୟାସ ପାଇଁ “ସରସ୍ୱତୀ ପୁରସ୍କାର’, ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ “ଉତ୍କଳରତ୍ନ’ ଉପାଧିରେ ଭୂଷିତ। ୨୦୦୬ରେ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଫେଲୋସିପ୍’ ଲାଭ କରିଥିଲେ। ୨୦୧୩ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ଓ ଅମୃତକୀର୍ତ୍ତି ପୁରସ୍କାର, ବେଦବ୍ୟାସ ସମ୍ମାନ ଲାଭ କରିଥିଲେ। ୨୦୨୦ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ମନୋଜ ଦାସଙ୍କ ପରଲୋକରେ ଆନ୍ଧ୍ର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ଲୋକ ସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ରାଜକୁମାର, ଉପସଭାପତି ନିରଞ୍ଜନ ରଥ, ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି।
Comments are closed.