ମଣିପୁର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା : ପୁଲିସ କରୁଛି କ’ଣ ?

କେନ୍ଦ୍ର ଓ ମଣିପୁର ସରକାରଙ୍କଠାରୁ ରିପୋର୍ଟ ତଲବ, ପୀଡ଼ିତଙ୍କ ପ୍ରତି ସମ୍ବେଦନଶୀଳ ହୁଅ, ଘରେ ନ୍ୟାୟ ପହଞ୍ଚାଅ

ନୂଆଦିଲ୍ଲୀ : ମଣିପୁର ହିଂସା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ରାଜ୍ୟ ପୁଲିସକୁ ଭର୍ତ୍ସନା କରିଛନ୍ତି। ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାର ଭିଡିଓ ପ୍ରଘଟ ମାମଲାରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଗତ ପ୍ରାୟ ତିନି ମାସ ଧରି ମଣିପୁରରେ ଲାଗି ରହିଥିବା ଜାତିଗତ ହିଂସାକାଣ୍ଡ ମଧ୍ୟରେ ମହିଳାଙ୍କ ପ୍ରତି ଯୌନ ବ୍ୟଭିଚାର ମାମଲାର ଏହା ଏକମାତ୍ର ଦୃଷ୍ଟାନ୍ତ ନୁହେଁ। କେନ୍ଦ୍ର ସ୍ବରାଷ୍ଟ୍ର ସଚିବଙ୍କ ସତ୍ୟପାଠରୁ ଏହା ସ୍ପଷ୍ଟ। ମେ’ ୪ରେ ଏଭଳି କାଣ୍ଡ ଘଟିଥିଲା ଓ ୧୮ରେ ଏତଲା ଦିଆଯାଇଥିଲା। ଏଭଳି ଅଭୂତପୂର୍ବ ହିଂସାବେଳେ ପୁଲିସ ୧୪ ଦିନ ଧରି କ’ଣ କରୁଥିଲା, ପୁଲିସ କେମିତି ବିସ୍ମୟଜନକ ଭାବେ ପୀଡ଼ିତାଙ୍କୁ ଉଦ୍‌ଭ୍ରାନ୍ତ ଜନତାଙ୍କ ହାତକୁ ବଢ଼ାଇ ଦେଇଥିଲା ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସମ୍ପୃକ୍ତ ପୀଡ଼ିତାମାନେ ସ୍ଥାନୀୟ ଥାନାରେ ରୁଜୁ କରିଥିବା ଏତଲାର ନକଲ ସହ ସର୍ବୋଚ୍ଚ ନ୍ୟାୟାଳୟରେ ସାନି ଆବେଦନ କରିଛନ୍ତି। ଏଥିସହ ମହିଳାମାନେ ନିଜର ପରିଚୟ ଗୋପନ ରଖିବାକୁ ଓ ରାଜ୍ୟ ବାହାରେ ମାମଲାର ଶୁଣାଣି କରିବାକୁ ଅନ୍ୟ ଏକ ଆବେଦନ ମଧ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଏହାକୁ ଗ୍ରହଣ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ଏତଲା ଓ ଏହା ଉପରେ ତଦନ୍ତ ଏବଂ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାରେ ୬ହଜାରରୁ ଅଧିକ ଏତଲା ରୁଜୁ ହୋଇଥିବାବେଳେ ଏସବୁରେ କେଉଁ ପ୍ରକାର ତଥା କେଉଁ ନିର୍ଦ୍ଦିଷ୍ଟ ଅଭିଯୋଗ ରହିଛି, କେତେ ମାମଲା ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତକୁ ପଠାଯାଇଛି, କେତେ ଶୂନ୍ୟ ଏତଲା ରୁଜୁ ହୋଇଛି,
କେତେ ଲୋକ ବିଚାର ବିଭାଗୀୟ ହାଜତରେ ଅଛନ୍ତି, ଯୌନ ବ୍ୟଭିଚାରରେ କେତେ ଜଣ ସମ୍ପୃକ୍ତ, ରାଜ୍ୟରେ ଆଇନ ସେବା ବ୍ୟବସ୍ଥାର ସ୍ଥିତି ଆଦି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। ହିଂସାକାଣ୍ଡରେ ବାସହୀନଙ୍କ ଥଇଥାନ ସମ୍ପର୍କରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଜାଣିବାକୁ ଚାହିଁଛନ୍ତି। ଏସବୁ ସମ୍ପର୍କରେ ଆଟର୍ଣ୍ଣି ଜେନେରାଲଙ୍କଠାରୁ ପ୍ରଧାନ ବିଚାରପତି ନିର୍ଦ୍ଦିଷ୍ଟ ଜବାବ ମାଗିଛନ୍ତି। ନେଡ଼ିଗୁଡ଼ କହୁଣିକୁ ବୋହିଗଲାଣି, ଏବେ ହିଂସା ପ୍ରପୀଡ଼ିତଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଳ ସିବଲ ଦର୍ଶାଇଥିଲେ ଯେ ମଣିପୁର ପୁଲିସ ହିଂସାକାରୀଙ୍କ ସହ ହାତ ମିଳାଇବା ସହ ଉଲଗ୍ନ ମହିଳାଙ୍କୁ ଭିଡ଼ ଭିତରକୁ ନେଇଥିଲା। ପୁଲିସ ଲୋକଙ୍କୁ ସୁରକ୍ଷା ଦେବ ବୋଲି ଭରସା କେଉଁଠୁ ମିଳିବ ବୋଲି ସିବଲ ପ୍ରଶ୍ନ କରିଥିଲେ। ମାମଲାକୁ ବିଭ୍ରାନ୍ତ କରିଦିଆଯାଇଥିବାରୁ ଲୋକେ ସିବିଆଇ ତଦନ୍ତ ଚାହୁଁନାହାନ୍ତି; ବରଂ ଏକ ସ୍ବାଧୀନ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ ବୋଲି ସିବଲ ଦାବି କରିଛନ୍ତି। ଏଥିରେ ସମ୍ମତ ପୀଠ କହିଥିଲେ ଯେ ଏଭଳି ମାମଲାର ତଦନ୍ତ ପାଇଁ ସିବିଆଇ କିମ୍ବା ଏସ୍‌ଆଇଟି ଯଥେଷ୍ଟ ନୁହେଁ। ଏହି ପରିପ୍ରେକ୍ଷୀରେ ପ୍ରଧାନ ବିଚାରପତି କହିଛନ୍ତି ଯେ ହିଂସାପ୍ରବଣ ଅଞ୍ଚଳରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର କୌଶଳ ଅବଲମ୍ବନ କରାଯିବା ଉଚିତ। ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ପୀଠରେ ବିଚାରପତି ଜେ.ବି ପାର୍ଡିୱାଲା ଓ ବିଚାରପତି ମନୋଜ ମିଶ୍ର ସଦସ୍ୟ ଅଛନ୍ତି। ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ ପୀଠ ଚାହିଁଲେ ମାମଲାର ଅଦାଲତ ପରିଚାଳିତ ତଦନ୍ତ ଆଦେଶ ଦେଇପାରିବେ। ସରକାରଙ୍କର ଏଥିରେ କୌଣସି ଆପତ୍ତି ନାହିଁ। ଆଇନଜୀବୀ ବାଂଶୁରୀ ସ୍ବରାଜ ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ମହିଳାଙ୍କ ପ୍ରତି ହିଂସା ପରିମାଣ ଅଧିକ ବୋଲି ଯୁକ୍ତି କରିବାରେ ପୀଠ ଏହାକୁ ମଣିପୁର ଘଟଣା ସହ ତୁଳନା କରାଯାଇପାରିବ ନାହିଁ ଏବଂ ଏହି ପ୍ରସଙ୍ଗ ଉଠାଇ ମଣିପୁରଠାରୁ ନଜର ହଟାଇ ଦେଇ ହେବନାହିଁ ବୋଲି ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ସପ୍ତାହରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ ପୂର୍ବକ ସିବିଆଇ ତଦନ୍ତ ନିର୍ଦେଶ ଦିଆଯାଇଥିବା ଦର୍ଶାଯାଇଥିଲା।

Comments are closed.