ବୌଦ୍ଧଜିଲ୍ଲାରେ ଧାନକ୍ରୟ ବିଳମ୍ବ, ଖୋଲୁନି ମଣ୍ଡି, ଧାନର ଅଭାବୀ ବିକ୍ରୀ

ହରଭଙ୍ଗା : କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଖରିଫ ଧାନକ୍ରୟ ବିଳମ୍ବ ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ ଡିସେମ୍ବର ପହିଲାରେ ଧାନକ୍ରୟ ଜିଲ୍ଲାର କଣ୍ଟାମାଳରୁ ଶୁଭାରମ୍ଭ ହୋଇଥାଏ। ମାତ୍ର ବାତ୍ୟା ଜଓାଦ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳରେ ବିଳମ୍ବ ହେବା ଦେଖାଦେଇଛି। ଅନ୍ୟପଟେ ଛୋଟ କିସମର ଧାନ ଅମଳ ହୋଇସାରିଥିଲେ ମଧ୍ୟ ମଣ୍ଡି ଖୋଲୁନ ଥିବାରୁ ଅଭାବୀ ଗରିବ ଚାଷୀ ଶାଗ,ମାଛ ଦରରେ ବେପାରୀକୁ ଧାନ ବିକ୍ରୀକରିବାକୁ ବାଧ୍ୟ ହେଉଛି। ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଅସାଧୁ ବେପାରୀମାନେ ଜିଲ୍ଲାରେ କମ ଦରରେ ଧାନକିଣି ମଣ୍ଡିରେ ନକଲି ଚାଷୀଙ୍କ ନାଁରେ ଧାନ ବିକ୍ରୀ କରିବା ପାଇଁ ସଜବାଜ ହେଉଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ସମବାୟ ସମ୍ପାଦକ ସବୁ ସାମୁହିକ ଛୁଟିରେ ରହିଥିବାରୁ ଚଳିତବର୍ଷ ଜିଲ୍ଲାରେ ଧାନକ୍ରୟ ପ୍ରଭାବିତ ହେବା ମଧ୍ୟ ଆଶଙ୍କା ଦେଖାଦେଇଛି। ପ୍ରକାଶ ଯେ ଚଳିତବର୍ଷ ଖରିଫ ଧାନ ବିକ୍ରୀ ପାଇଁ ଜିଲ୍ଲାରେ ମୋଟ ୩୮ହଜାର ୬୬୫ଜଣ ଚାଷୀ ନିଜ ନାମ ପଞିକରଣ କରିଛନ୍ତି। ସେଥିରୁ ୩୭ହଜାର ୧୮୨ଜଣ ଚାଷୀଙ୍କ ପଞିକରଣ କାୟମ ରହିଥିବା ଜଣାପଡିଛି।

କଂଟାମାଳରେ ସର୍ବାଧିକ ୧୪ହଜାର୩୦ଜଣ, ବୌଦ୍ଧରେ ୧୩ହଜାର୭୮୦ଜଣ,ଏନଏସିରେ ୪୮୩ଜଣ ଏବଂ ହରଭଙ୍ଗାରେ ୮ହଜାର୯୩୪ଜଣ ଚାଷୀ ନାମ ପଞିକରଣ କରିଥିବା ଜଣାପଡିଛି। ଆଧାରନମ୍ବର ନମିଶିବାରୁ ୭୦ଜଣ ଏବଂ ଚାଷ ଜମି ପଡିଆ ଯୋଗୁଁ ୧୪ଶହ ୧୩ଜଣ ଚାଷୀ ପଞିକରଣରୁ ବାଦ ପଡିଥିବା ସୂଚନା ମିଳିଛି। ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ ୪୮ଟି ଧାନ ମଣ୍ଡି ସହ ୬ଗୋଟି ମାର୍କେଟ ୟାର୍ଡର ବ୍ୟବସ୍ଥା କରାଯାଇଛି। ମାର୍କେଟୟାର୍ଡରେ ସୋଲାର ଲାଇଟ ସହ ଡିଜିଟାଲ ଓଜନ ବ୍ୟବସ୍ଥା କରାଯିବା ସହ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଧାନ କିଣାରେ ସ୍ୱଛତା ପାଇଁ ଅନଲାଇନ ପଦ୍ଧତିରେ ଧାନ କ୍ରୟ ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି। ଅନଲାଇନ ଧାନ କ୍ରୟ ସହିତ ଆଇଆରଆଇଏସ ସ୍କାନର ଭଳି ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁକରାଯାଛି। ଏହାଦ୍ୱାରା ମଣ୍ଡିକୁ ଧାନ କ୍ରୟ ପାଇଁ ଆସୁଥିବା ଚାଷୀଙ୍କ ଆଖିକୁ ସ୍କାନ କରାଯିବ।ଯାହାଦ୍ୱାରା ଚାଷୀଙ୍କ ସମସ୍ତ ଠିକଣା ସହିତ ଜମି ପରିମାଣ କେତେ ଧାନ ବିକ୍ରୀ କରିପାରିବେ ତାହାର ସବିଶେଷ ତଥ୍ୟ ଅନଲାଇନରେ ମିଳିପାରିବ। ଏହା ସହିତ ଅନଲାଇନ ଟୋକନ ବ୍ୟବସ୍ଥା ମଧ୍ୟ ଲାଗୁକରାଯାଇଛି। ଏହି ନୂତନ ପଦ୍ଧତି ଦ୍ୱାରା ଧାନବିକ୍ରୀ ପାଇଁ ଚାଷୀଙ୍କୁ ୭ଦିନ ପୂର୍ବରୁ ସେ କେଉଁ ଦିନ କେତେ ପରିମାଣର ଧାନ କେଉଁ ମଣ୍ଡିରେ ବିକ୍ରୀ କରିବେ ଏସବୁ ବିଷୟରେ ସିଧାସଳଖ ମୋବାଇଲ ମାଧ୍ୟମରେ ମେସେଜ ପ୍ରଦାନ କରାଯିବ । ଅନଲାଇନ ଟୋକନ ମିଆଦି ୩୦ ଦିନ ପର୍ଯ୍ୟନ୍ତ ବଳବତର ରହିବ। ଯାହାଦ୍ୱାର ଟୋକନ ବ୍ୟବସ୍ଥା ସଂପୂର୍ଣ୍ଣ ଉଛେଦ କରାଯାଇଛି। ଚଳିତବର୍ଷ ଜଣେ ଚାଷୀ ଗୋଟିଏ ଦିନରେ ସର୍ବାଧିକ ୭୫କ୍ୱିଂଟାଲ ଧାନ ବିକ୍ରୀ ପାଇଁ ଧାର୍ଯ୍ୟ କରାଯାଇଛି । ଏହା ସହିତ ୪୮ଘଂଟାମଧ୍ୟରେ ଧାନ ବିକ୍ରୀ ବାବଦ ଅର୍ଥ ତାଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଜମାକରାଯିବ। ଜଳସେଚିତ ଜମିଥିବା ଚାଷୀ ଏକରକୁ ୧୯କ୍ୱିଂଟାଲ ଏବଂ ଅଣଜଳସେଚିତ ଜମିଥିବା ଚାଷୀ ଏକରକୁ ୧୩ କ୍ୱିଂଟାଲ ଧାନ ବିକ୍ରୀ ପାଇଁ ବ୍ୟବସ୍ଥା ହୋଇଛି। ଏହା ସହିତ ଏଫଏକ୍ବ୍ୟୁ ମାନର ଧାନ କ୍ୱିଂଟାଲପିଛା ୧୯୨୦ଟଙ୍କା ଧାର୍ଯ୍ୟ ହୋଇଛି ଏବଂ ଗ୍ରେଡ (ଏ )ମାନର ଧାନ କ୍ୱିଂଟାଲ ପିଛା ୧୯୬୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଧାନ କିଣା ତଦାରଖ ପାଇଁ ୫ଜଣ ଚାଷୀ,ସମବାୟ ସଂପାଦକ,ସଭାପତି,ରାଜସ୍ୱ ନିରୀକ୍ଷକ,ପଂଚାୟତ ପିଇ.ଓଙ୍କୁ ନେଇ ଏକ କ୍ରୟ କମିଟ ଗଠନ କରାଯିବାକୁ ନିର୍ଦ୍ଦେଶ ରହିଛି। ଧାନ କ୍ରୟ ସମୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାସ୍ତରରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ମଧ୍ୟ ଗଠନ କରାଯାଇଛି । ଏସବୁ ପ୍ରସ୍ତୁତି ସତ୍ୱେ ଏପର୍ଯ୍ୟନ୍ତ ଜିଲ୍ଲାରେ ଧାନ କ୍ରୟ ଶୁଭାରମ୍ଭ ନହେବା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଧାନକ୍ରୟ ଆରମ୍ଭ ଦିଗରେ ବିହିତ ପଦକ୍ଷେପ ପାଇଁ ସାଧାରଣରେ ଦାବୀ ଉଠୁଛି।

Comments are closed.