ମାନସ ହତ୍ୟା ମାମଲାରେ ସତ ମାନିଲେ ଶର୍ମିଷ୍ଠା : ବଞ୍ଚିଥିଲେ ମତେ ଫସେଇଥା’ନ୍ତା

ଶର୍ମିଷ୍ଠାଙ୍କୁ ୩ ଜିଲା ବୁଲାଇ ପୁଲିସର ସିନ୍‌ ରିକ୍ରେସନ, ଅପହରଣ ପାଇଁ ରାତି ଅନିଦ୍ରା ହୋଇ ଛକି ବସିଥିଲେ ଶର୍ମିଷ୍ଠା

ନିରଞ୍ଜନଙ୍କ ଇଙ୍ଗିତରେ ପ୍ରମାଣ ନଷ୍ଟ ଉଦ୍ୟମ, ଭୁବନେଶ୍ବରରୁ ଗ୍ଲୋବ୍‌ସ, ଅଖା ଓ ରାଜସୁନାଖଳାରୁ ଲୁଣ, ଗଇଁତି କିଣା ହୋଇଥିଲା

prayash

କଟକ/ରଣପୁରଗଡ/ଚାନ୍ଦବାଲି :  କ୍ୟାମେରାମ୍ୟାନ୍‌ ମାନସ ସ୍ବାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ରହସ୍ୟ ଖୋଲିଛି। ଅଭିଯୁକ୍ତମାନଙ୍କ ଜିମା ଅବଧି ସରି ସରି ଆସୁଥିବା ବେଳେ ଶେଷରେ ସତ ମାନି ନେଇଛି ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ମାନସକୁ ଯୋଜନାବଦ୍ଧ ଭାବେ ଅପହରଣ କରାଯାଇଥିଲା। ହତ୍ୟା କରାଯିବା ପରେ ଧରା ନପଡିବା ଲାଗି ସେ ସହଯୋଗୀଙ୍କ ସହ ମିଶି ପୂରା ଯୋଜନା ପ୍ରସ୍ତୁତ କରିଥିଲେ ବୋଲି ଜେରା ବେଳେ କାନ୍ଦି କାନ୍ଦି ତଦନ୍ତକାରୀ ଦଳ ଆଗରେ ସତ ବଖାଣିଛନ୍ତି। ମାନସ ଏକଦା ଆମର ଭଲ ସହଯୋଗୀ ଥିଲା। ମାତ୍ର ସେ ଦୂରେଇ ଯିବା ପରେ ଦିନକୁ ଦିନ ସମସ୍ୟା ବଢାଉଥିଲା। ଅଫିସ୍‌ରୁ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମୋମୋରି ଚିଫ୍‌ରେ ନେଇଯାଇଥିଲା। ବହୁବାର ମାଗିବା ପରେ ମଧ୍ୟ ସେ ଦେଉ ନଥିଲା। ଏହି ସମସ୍ତ ତଥ୍ୟ ପାଇବା ପାଇଁ ତାକୁ ଅପହରଣ କରାଯାଇଥିଲା ବୋଲି ସେ ତଦନ୍ତକାରୀ ଦଳ ଆଗରେ କହିଥିବା ଜଣାପଡିଛି। ଉକ୍ତ ଚିପ୍‌ରେ ଏପରି କେଉଁ ତଥ୍ୟ ରହିଥିଲା ଯାହା ଶର୍ମିଷ୍ଠା ପାଇଁ ଅଡୁଆ ବଢାଇଥାନ୍ତା ଏହାର ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାକୁ ଶୁକ୍ରବାର ସକାଳେ ଚାନ୍ଦବାଲି ସ୍ଥିତ ପଳାଶପୁର, ଭୁବନେଶ୍ବରର ଦୟାଲ ଆଶ୍ରମ ଓ ନୟାଗଡ ରଣପୁରକୁ ନେଇ ସିନ୍‌ ରିକ୍ରେସନ କରାଇଛି। ମାନସକୁ ଅପହରଣ, ଭୁବନେଶ୍ବରରେ ତା’ର ମୃତ୍ୟୁ ଘଟିବା ଓ ରଣପୁରରେ ଯୋଜନାବଦ୍ଧ ଭାବେ ଶବ ପୋତାଯିବା ସଂକ୍ରାନ୍ତରେ ଶର୍ମିଷ୍ଠା ଘଟଣାସ୍ଥଳକୁ ଯାଇ ଡେମୋ କରି ଦେଖାଇଥିଲା। ଆସନ୍ତାକଲି ଅଭିଯୁକ୍ତମାନଙ୍କ ଜିମା ଅବଧି ଶେଷ ହେବାକୁ ଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକରୁ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହରେ ଲାଗିପଡିଛି। ଏହି ଯୋଜନାବଦ୍ଧ ହତ୍ୟାକାଣ୍ଡରେ ଅନ୍ୟ କାହାରି ସମ୍ପୃକ୍ତି ରଖିଛି କି ନାହିଁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଆବଶ୍ୟକ ପଡିଲେ କେତେକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଅଧିକ ସମୟ ଜିମାରେ ନେବା ପାଇଁ ଆବେଦନ କରିପାରେ ବୋଲି ଜଣାପଡିଛି। ​‌
ଜିମା ଅବଧିର ଚତୁର୍ଥ ଦିନରେ ସକାଳୁ ସକାଳୁ ସକ୍ରିୟ ହୋଇ ଉଠିଥିଲା କ୍ରାଇମବ୍ରାଞ୍ଚ ଦଳ। ଦିନ ପ୍ରାୟ ୧୦ଟା ୪୦ ବେଳକୁ କ୍ରାଇମବ୍ରାଞ୍ଚ ଦଳ ଶର୍ମିଷ୍ଠାଙ୍କୁ ଧରି ଚାନ୍ଦବାଲି ସ୍ଥିତ ପଳାଶପୁର ଗାଁରେ ପହଞ୍ଚି ଯାଇଥିଲା। ସେଦିନ ଏହି ଅପହରଣ କେମିତି ହୋଇଥିଲା ତା’ର ଡେମୋ ଦେଖାଇଥିଲେ ଶର୍ମିଷ୍ଠା। ଶର୍ମିଷ୍ଠାଙ୍କୁ ଅଣାଯାଇଥିବା ଜଣାପଡିବା ପରେ ସେଠାରେ ଲୋକଙ୍କ ପ୍ରବଳ ଗହଳି ଲାଗିଥିଲା। ଏଥିଲାଗି ପଳାଶପୁରରେ କଡା ସୁରକ୍ଷା ଗ୍ରହଣ କରାଯାଇଥିଲା। ଭିଡକୁ ନିୟନ୍ତ୍ରଣ କରିବା ଲାଗି ଅତିରିକ୍ତ ପୁଲିସ ବଳ ନିୟୋଜନ କରିବାକୁ ପଡ଼ିଥିଲା। ଶର୍ମିଷ୍ଠାଙ୍କୁ ଗାଡିରୁ ଓହ୍ଲାଇବା ପରେ କ୍ରାଇମବ୍ରାଞ୍ଚ ଅଧିକାରୀ ତାଙ୍କୁ କିଛି ପଚାରିଥିଲେ। ଶର୍ମିଷ୍ଠା ଅପହରଣ ସ୍ଥାନକୁ ଦେଖାଇବା ସହ ତଦନ୍ତକାରୀ ଡିଏସପିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ମାତ୍ର ୩/୪ ମିନିଟ ମଧ୍ୟରେ ଶର୍ମିଷ୍ଠାଙ୍କୁ ପୁଣି ଗାଡିରେ ବସାଇ କ୍ରାଇମବ୍ରାଞ୍ଚ ଦଳ ସେଠାରୁ ଚାଲି ଆସିଥିଲା। ମାତ୍ର ଶର୍ମିଷ୍ଠାଙ୍କୁ ଦେଖି ଗାଁ ଲୋକେ ହୋ-ହଲ୍ଲା କରିଥିଲେ। ସେ ଆମ ଗାଁକୁ ବଦନାମ କରିଛି, ତାକୁ ଫାସୀ ଦିଆଯିବା ଦରକାର ବୋଲି ନାରାବାଜି କରିଥିଲେ।
ମାନସକୁ ଅପହରଣ କରିବା ଲାଗି ୬ତାରିଖ ସନ୍ଧ୍ୟାରେ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀମାନେ ଚାନ୍ଦବାଲି ଅଭିମୁଖେ ଯାଇଥିଲେ। ମାନସ ସେଠାରେ ବାହାଘର କାର୍ଯ୍ୟକ୍ରମରେ ଫଟୋ ଉଠାଉଥିଲେ। ତେଣୁ ତାଙ୍କର କାମ ଶେଷ ହେବାରେ ବିଳମ୍ବ ହୋଇଥିଲା। ଶର୍ମିଷ୍ଠା ଓ ସହଯୋଗୀମାନେ ପୂରା ରାତି ଗାଡି ରଖି ମାନସକୁ ଅପେକ୍ଷା କରି ରହିଥିଲେ। ୭ତାରିଖ ସକାଳୁ ମାନସ କାମସାରି ବାହାରିବା ପରେ ଅଭିଯୁକ୍ତ ରଞ୍ଜନ ତା ପାଖକୁ ଯାଇ ଗାଡି ନିକଟକୁ ଆସିବାକୁ କହିଥିଲା ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। କେତେକ ଗ୍ରାମବାସୀ କହନ୍ତି, ସେଦିନ ସକାଳୁ ଅପହରଣ ବେଳେ ମାନସ ପ୍ରତିବାଦ କରିନଥିଲେ। ଜଣେ ମହିଳା ତାଙ୍କୁ ଗାଡିରୁ ଓହ୍ଲାଇ ଦୁଇ ଚାପୁଡା ମାରିଥିଲେ ଓ ତାଙ୍କୁ ଗାଡିରେ ବସାଇ ନେଇ ଯାଇଥିଲେ। ମାନସ ଯଦି ପ୍ରତିବାଦ କରିଥା’ନ୍ତେ ତେବେ ଗ୍ରାମବାସୀ ନିଶ୍ଚିତ ବାହାରି ଗାଡିଟିକୁ ଅଟକାଇ ଥା’ନ୍ତେ। ଯେହେତୁ ଗାଁକୁ ବରଯାତ୍ରୀ ଆସିଛନ୍ତି, ଏମାନେ ବରଘରର କେହି ହୋଇଥିବେ ଭାବି ଆମେ ଅଧିକ ମୁଣ୍ଡ ଖେଳାଇନଥିଲୁ ବୋଲି ସେମାନେ କହିଛନ୍ତି।ଅପରପକ୍ଷେ ଶର୍ମିଷ୍ଠାଙ୍କୁ ଚନ୍ଦବାଲିରୁ ଅଣାଯିବା ପରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ତାଙ୍କୁ ଭୁବନେଶ୍ବରର ଦୟାଲ ଆଶ୍ରମକୁ ନିଆଯାଇଥିଲା। ସେଠାରେ ତାଙ୍କୁ ୨୦ ମିନିଟ୍‌ ରଖାଯିବା ସହ ଯେଉଁ ଘରେ ମାନସକୁ ବନ୍ଧାଯାଇଥିଲା ଶର୍ମିଷ୍ଠା ଆଙ୍ଗୁଠି ଦେଖାଇ ସେ ସବୁର ସ୍ଥାନ ଚିହ୍ନଟ କରିଥିଲେ। ମୃତଦେହକୁ ପୋତି ଦେଇ ପ୍ରମାଣନଷ୍ଟ କରିବା ଲାଗି ତାଙ୍କୁ ନିରଞ୍ଜନ ସେଠୀ ନିର୍ଦେଶ ଦେଇଥିଲେ। ତାଙ୍କ ଇଙ୍ଗିତରେ ସବୁ କିଛି କରାଯାଇଥିଲା ବୋଲି ସେ କହିଥିଲେ। ଏପରି କି ଦୟାଲ ଆଶ୍ରମକୁ ଦେଖିବା ପରେ ସେ କାନ୍ଦି କାନ୍ଦି ଭୁଲ ହୋଇଗଲା ବୋଲି ଆନୁତାପ କରୁଥିବା ଦେଖିବାକୁ ମିଳିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଦଳ ତାଙ୍କୁ ନୟାଗଡ ଜିଲା ରଶପୁରକୁ ନେଇଯାଇଥିଲା। ଯେଉଁଠାରେ ମାନସକୁ ପୋତାଯାଇଥିଲା ସେ ସ୍ଥାନକୁ ଶର୍ମିଷ୍ଠା ଚିହ୍ନଟ କରିଥିଲେ। ରଣପୁର ନିକଟ ବଧିପାଟଣା ଗ୍ରାମର ଅନ୍ୟତମ ଅଭିଯୁକ୍ତ ଭାଗ୍ୟଧର ନାୟକ ଏଥିଲାଗି ସମସ୍ତ ସୁବିଧା ଯୋଗାଇ ଦେଇଥିଲେ ବୋଲି ଶର୍ମିଷ୍ଠା କହିଥିଲେ। ଏହାପରେ ସେଠାରୁ ମାନସର ଚପଲ, ଇୟର ଫୋନ୍‌, ଗାତ ଖେଳାରେ ବ୍ୟବହୃତ ଗଇଁତି ଓ ଫାଉଡା, ଶାଢି ଓ ଅଖାକୁ ଚଣ୍ଡୀଖୋଲଠାରୁ ୨ କିଲୋମିଟର ଦୂର ଦୈତାରୀ ରାଜପଥ ନିକଟ ବଣୁଆସ୍ଥାନରେ ଫିଙ୍ଗଦେଇଥିଲେ ବୋଲି ଶର୍ମିଷ୍ଠା କହିଥିଲେ। ତେବେ ମାନସର ମୃତଦେହକୁ ନଷ୍ଟ କରିବା ଲାଗି ନୟାଗଡ ଆଣିବା ଲାଗି ଯୋଜନା କରାଯିବା ପରେ ଅଭିଯୁକ୍ତ ଝୁନା ଭୋଇ ଭୁବନେଶ୍ବରର ଏକ ନମ୍ବର ମାର୍କେଟକୁ ଯାଇ ସେଠାରୁ ହାତ ଗ୍ଲୋବସ, ଝୋଟ ଅଖା, ବାଣି କିଣି ଆଣିଥିଲେ। ପରେ ନୟାଗଡର ରାଜସୁନାଖଳା ବଜାରରୁ ରଞ୍ଜନ ଓ ଭାଗ୍ୟଧର ୧୨କିଲୋ ଗୋଡାଲୁଣ, ଗଇଁତି ଓ ଫାଉଡା କିଣିଥିଲେ ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କର ଜିମା ଅବଧି ଶେଷ ହେବାକୁ ଥିବା ବେଳେ ମାନସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିପାରେ ବୋଲି ଅନୁମାନ କରାଯାଉଛି।
ମାନସକୁ କଲବଲ କରି ମାରିଛନ୍ତି : ମା’
ମାନସର ମା’ ଜୟନ୍ତୀ ସ୍ୱାଇଁ ଓ ସ୍ତ୍ରୀ ଯମୁନା ସ୍ୱାଇଁ ଅପରାଧିକ ଶାଖା ତଦନ୍ତରେ ଅସନ୍ତୋଷ ପ୍ରକଟ କରିଛନ୍ତି। ଜୟନ୍ତୀଙ୍କ କହିବା ଅନୁଯାୟୀ ମେମୋରି ଚିପ୍ ଭିତରେ କ’ଣ ରହିଛି ତାହା ବାହାର କରାଯାଉ। ଯାହା ପାଇଁ ମୋ ପୁଅକୁ ମରାଯାଇଛି। ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ବ୍ୟତୀତ ଅନ୍ୟ ବିଶିଷ୍ଟ ଲୋକଙ୍କ ବିରୋଧରେ ତଥ୍ୟ ରହିଥିବାରୁ ମାନସକୁ ହତ୍ୟା କରାଯାଇଥିଲା। ତାକୁ କ୍ରାଇମ୍‌ବ୍ରାଞ୍ଚ ଜବତ କରି ସେଥିରେ ଥିବା ତଥ୍ୟ ଲୋକଲୋଚନକୁ ଆଣୁ। କିଛି ନେତା ଓ ମନ୍ତ୍ରୀ ଏଥିରେ ଥିବାରୁ ପ୍ରଘଟ ହେବା ଆଶଙ୍କାରେ ମେମୋରି ଚିପ୍‌କୁ ଚାପି ଦିଆଯାଉଛି। ମାନସକୁ ଯେଉଁଭଳି କଲବଲ କରି ମାରିଛନ୍ତି ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଉ। ଯାହାଫଳରେ ମାନସର ଆତ୍ମା ଶାନ୍ତି ପାଇବ ବୋଲି ମା’ କହିଛନ୍ତି।

kalyan agarbati

Comments are closed.