www.samajalive.in
Monday, December 15, 2025
16.1 C
Bhubaneswar

ମହାଲିଙ୍ଗ ମିନି ଷ୍ଟାଡିୟମରୁ ଗଳିତ ଶବଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ ଚିତ୍ର

  • ପ୍ରାଥମିକ ସନ୍ଧାନରୁ ଶବଟି ଜଣେ ମହିଳାଙ୍କର
  • ଧରାପଡିଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ
  • ରାଜ୍ୟ ଗୃହ ମନ୍ତ୍ରୀଙ୍କ ପାଇଁ ବଢିଲା ଅଡୁଆ

ବଲାଙ୍ଗିର/ଟିଟିଲାଗଡ଼:ଟିଟିଲାଗଡ ଉପଖଣ୍ଡ ତୁରେକେଲା ଥାନା ଅନ୍ତର୍ଗତ ଝରନୀ ଗ୍ରାମର ମମିତା ମେହେରଙ୍କ ନିଖୋଜ ଘଟଣାରେ ଏକ ନୂଆ ମୋଡ ଆସିଛି। ଦୁଇ ଦିନ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପରେ ମଙ୍ଗଳବାର ଦିନ ଏକ ଗଳିତ ମୃତଦେହ ଉଦ୍ଧାର ହେବା ଓ ସନ୍ଧ୍ୟାରେ ମୁଖ୍ୟ ଅଭିଯୁକ୍ତ ପୁଲିସ୍ ଦ୍ୱାରା ଗିରଫହେବା ଚର୍ଚ୍ଚାର ବିଷୟ ହୋଇଛି।
ମମିତା ଶିକ୍ଷୟତ୍ରୀ ଭାବରେ କରୁଥିବା କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ମିନି ଷ୍ଟାଡିୟମରେ ଜେସିବି ସାହାଯ୍ୟରେ ପୁଲିସ୍ ଗାତ ଖୋଲିଥିଲା। ପ୍ରାୟ ୮ ଫୁଟ୍ ଗାତ ଖୋଲିବା ପରେ ପୁଲିସ ଏକ ଗଳିତ ଶବର ହାଡ ଖଣ୍ଡ ଜବତ କରିଛି। ଶବ ଚିହ୍ନଟ ପାଇଁ ପୁଲିସ୍ ପରିବାର ଲୋକଙ୍କୁ ସାମିଲ କରିନଥିଲେ ହେଁ ପରିବାର ଲୋକେ ମଙ୍ଗଳବାର ସକାଳୁ ଘଟଣାସ୍ଥଳରେ ପହଞ୍ଚିଯାଇଥିଲେ। ମମିତା ମହାଲିଙ୍ଗର ଘରୋଇ ସନସାଇନ ମହାବିଦ୍ୟାଳୟରେ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଗତ ୮ରେ ସେ ନିଖୋଜ ହେବା ପରେ ତାଙ୍କୁ ଉଦ୍ଧାର ପାଇଁ ଖୋଡତାଳ କରିଥିଲା। ବିଭିନ୍ନ ସ୍ଥାନରେ ନାକାବନ୍ଧି କରିଥିବା ବେଳେ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଘନିଷ୍ଠ ସହଯୋଗୀମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା ପୁଲିସ। ଫଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ  ଶବ ପୋତାଯାଇଥିବା ପୁଲିସ ଜାଲିବାକୁ ପାଇଥିଲା। ଏହା ପରେ ମଙ୍ଗଳବାର ପୁଲିସ ଜେସିବି ମେସିନ ସହାୟତାରେ ଷ୍ଟାଡିୟମର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରାୟ ୮ ଫୁଟ ଗାତ ଖୋଲି ପୋଡି ଯାଇଥିବା ହାଡ ଖଣ୍ଡ ଜବତ କରିଛି। ଏହା ମମିତାଙ୍କ ମୃତଦେହ କି ନୁହେଁ, ସେ ନେଇ ପୁଲିସ ଡିଏନଏ ପରୀକ୍ଷା କରିବ। ଡିଏନଏ ରିପୋର୍ଟ ଆସିଲା ପରେ ତାହା ସ୍ପଷ୍ଟ ହେବ ବଲାଙ୍ଗିରର ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଗଳିତ ଶବ ଜବତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି।

ଗାତରୁ ପାଉଁଜି ମିଳିଥିବା ବେଳେ ଉଦ୍ଧାର ଗଳିତ ଶବ ଜଣେ ମହିଳାଙ୍କର ବୋଲି ପ୍ରାଥମିକ ଭାବେ ଚିହ୍ନଟ ହୋଇଥିବା ଜଣାପଡିଛି। ହଜାର ହଜାର ଲୋକେ ସମବେତ ହୋଇ ରାଜ୍ୟ ଗୃହ ମନ୍ତ୍ରୀଙ୍କ ବିରୁଦ୍ଧରେ ନାରା ଦେଉଥିବା ଦେଖାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ମମିତାଙ୍କ ବଡାବାପା କୌଶିକ ମେହେର ଆମ ପ୍ରତି ଅନ୍ୟାୟ ହୋଇଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ଭଙ୍ଗା ହାଡଖଣ୍ଡ ସହ ପଡିଥିବା ସୁନା ଚେନ, ବ୍ରାସଲେଟ ପୁଲିସ ଜବତ କରିଛି। ମମିତା ଅପହରଣ ଘଟଣାରେ ତାଙ୍କ ପରିବାରଙ୍କ ପକ୍ଷରୁ ସିନେ୍ଧକେଲା ଥାନାରେ ଲିଖିତ ଭାବେ ଅଭିଯୋଗରେ ଚିହ୍ନିତ ସନସାଇ କଲେଜ ମାଲିକ ଗୋବିନ୍ଦ ସାହୁ ଏହି ଷ୍ଟାଡିୟମ ନିର୍ମାଣ କରୁଥିଲେ। ଷ୍ଟାଡୟିମରେ ନୂଆ ମାଟି ପକାଯାଇଥିବା ନେଇ ପୁଲିସର ସନ୍ଦେହ ଦୃଢୀଭୁତ ହୋଇଥିଲା। ଗତ ରାତ୍ରୀରେ ବଲାଙ୍ଗିର ଜିଲାରୁ ଦୁଇ ବରିଷ୍ଠ ପୁଲିସ ଅଧିକାରୀ ଉକ୍ତ ଷ୍ଟାଡିୟମରେ ପହଞ୍ଚିଥିଲେ। ସେଠାରୁ ଜଣକୁ କାବୁ କରି ଖୋଜଖବର ନେବା ପରେ ସତ୍ୟ ପଦାକୁ ଆସିଥିଲା। ଏ ନେଇ ମଙ୍ଗଳବାର ସକାଳୁ ବଲାଙ୍ଗିର ଜିଲା ମୁଖ୍ୟାଳୟ ଡିଏସପି ତଥା ମାମାଲର ନୂଆ ତଦନ୍ତ ଅଧିକାରୀ ବଟକୃଷ୍ଣ ମିଶ୍ର, ଭବାନୀପାଟଣା ଏଏସପି ବିକେ ନନ୍ଦ, ସଦର ଏସଡିପିଓ ନାରାୟଣ ନାୟକ, କେଗାଁ ଥାନା ଅଧିକାରୀ ଡି ବରଗା, ଏସଆଇ ଗୁରୁଦେବ କର୍ମି, ଏସଆଇ ବିକେ ରାଓ ତଥା ଭାରପ୍ରାପ୍ତ ମାଜିଷ୍ଟ୍ରେଟ ପ୍ରଭାସ ବୁଦାୟକଙ୍କ ତତ୍ତ୍ୱାବଧାନରେ ବିରାଟ ଷ୍ଟାଡିୟମର ନିର୍ଦ୍ଦିଷ୍ଟ ସ୍ଥାନରେ ପୁଲିସ ଖୋଦେଇ ଆରମ୍ଭ କରିଥିଲା। ପ୍ରାୟ ୮ ଫୁଟ ଗାତ ଖୋଲିବା ପରେ ମୃତଦେହଟି ଟାୟାର, ବେଞ୍ଚ, ଟେବୁଲ ପଟା ଆଦିରେ ପୋଡା ଅବସ୍ଥାରେ ଖଣ୍ଡଖଣ୍ଡ ହାଡ ମିଳିଥିଲା। ଏନେଇ ପ୍ରଥମେ ହତ୍ୟା କରି ଗାତ ଖୋଳି ପୋତାଯାଇଥିବା ପୁଲିସ ସନ୍ଦେହ କରିଛି। ଏହାପରେ ପଡିଆ ସାରା ମାଟି ପକାଇ ସମସ୍ତ ପ୍ରମାଣ ନଷ୍ଟ ଉଦ୍ୟମ କରାଯାଇଛି। ଦୁଇ ଦିନ ପୂର୍ବରୁ ଟିଟିଲାଗଡ ଥାନାରେ ଅଟକ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲେ। ମହାଲିଙ୍ଗ ତଥା କେଗାଁ ଥାନା ଅଞ୍ଚଳରେ ଗୋବିନ୍ଦଙ୍କ ବେଶ କାଟତି ଥିବା ଜଣାପଡିଛି। ଏପରିକି ଠିକାଦାର ଭାବରେ ଉପରକୁ ଉଠିଥିବା ଗୋବିନ୍ଦ ପୁଲିସ ନେତାଙ୍କୁ ଉଠବସ କରୁଥିବା ଆଳୋଚନା ଜୋର ଧରିଛି। କଂଗ୍ରେସ ଦଳ ନେତା ହୁଅନ୍ତୁ ବା ବିଜେଡି ନେତା ସଭିଙ୍କ ସହ ତାଙ୍କ ସମ୍ପର୍କ ଅତି ନିବଡ ରହିଥିଲା। ନବୀନ ସରକାରଙ୍କ ମନ୍ତ୍ରୀ ଗୋବିନ୍ଦଙ୍କ ଘରୋଇ ବିଦ୍ୟାଳୟକୁ ହେଲିକେପ୍ଟର ଭଡା କରି ଆସୁଥିଲେ। ଏପରିକି ମନ୍ତ୍ରୀ ପ୍ରତାପ ଜେନା ଏହି ଘରୋଇ ସ୍କୁଲ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ରହିଥିବା ବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଥିଲେ। ରେଭେନ୍ସା କଲେଜ କଟକ ସହ ଫେରାର ଅଭିଯୁକ୍ତ ଗୋବିନ୍ଦଙ୍କ କଲେଜର ତୁଳନା କରିବାକୁ ମନ୍ତ୍ରୀ ପଛାଇନଥିବା ଭିଡିଓ ଭାଇରାଲ ହେବା ପରେ ବୁଦ୍ଧିଜୀବୀ ମହଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅପରପକ୍ଷରେ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବାରମ୍ବାର ବିଦ୍ୟାଳୟକୁ ଆସୁଥିବା ନିଖୋଜ ଶିକ୍ଷୟତ୍ରୀଙ୍କ ବାପା ଗଣମାଧ୍ୟରେ ଅଭିଯୋଗ କରିଛନ୍ତି। ସନସାଇନ କଲେଜରେ ଅନୈତିକ କାରବାର ଚାଳିଥିବା ପରିବାର ପକ୍ଷରୁ ଖୋଲାଖୋଲି ଅଭିଯୋଗ କରାଯାଇଛି। ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ଦେବାର ସର୍ତ୍ତରେ ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ମମିତାଙ୍କ ପରିବାର ଅଭିଯୋଗ କଲରିଛନ୍ତି। ଏଭଳି ଅନେକ ଅନୈତିକ କାର୍ଯ୍ୟର ମାଷ୍ଟରମାଇଣ୍ଡ ସାଜିଥିବା ଗୋବିନ୍ଦଙ୍କ ସବୁ ଜିନିଷ ପର୍ଦ୍ଦାଫାଶ କରିବାକୁ ଧମକ ଦେଇଥିବା ତାଙ୍କର ଜଣେ ସାଙ୍ଗ ସମ୍ପର୍କୀୟଙ୍କୁ କହୁଥିବା ଅଡିଓରୁ ଭାଇରାଲ ହୋଇଛି। କେବଳ ସେତିକି ନୁହେଁ ପୁଲିସ୍ ଆଗରେ ମୁହଁ ନଖୋଲିବା ପାଇଁ ମମିତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ଓ ରାଜ୍ୟ ଗୃହମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟାଶଙ୍କର ମିଶ୍ର ସହ କଥା ହୋଇଥିବା ଅଡିଓ ମନ୍ତ୍ରୀଙ୍କ ପାଇଁ ଆହୁରି ଅଡୁଆ ସୃଷ୍ଟି ହୋଇଛି।

- Advertisement -

ଅପରପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗତ ୧୭ ତାରିଖ ରାତ୍ରୀ ପ୍ରାୟ ୮ଟାରେ ଟିଟିଲାଗଡ ଥାନା ବ୍ୟାରେକରୁ ଚମ୍ପଟ ମାରିଥିଲା। ଗତ ଦୁଇ ଦିନ ହେଲା ପୁଲିସ୍ ଆଖିରୁ ନିଦ ହଜେଇ ଦେଇଥିବା ବେଳେ ପୁଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ହେଲେ ଦୀର୍ଘ ୪୮ ଘଣ୍ଟା ପରେ ପୁଲିସ୍ ଜାଳରେ ପଡିଛି ଗୋବିନ୍ଦ। ମଙ୍ଗଳବାର ସନ୍ଧ୍ୟାରେ ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲପଞ୍ଚାୟତ ବୁଢୀପଦର ଗାଁରୁ ପୁଲିସ୍ କାବୁ କରିଥିବା ଜଣାପଡିଛି। ତାଙ୍କ ଜଣେ ଘନିଷ୍ଠଙ୍କ ସହାୟତାରେ ସ୍ଥାନୀୟ ଏକ ଆଖୁ କିଆରି ଭିତରେ ଲୁଚି ରହିଥିଲେ। ହେଲେ ପୁଲିସର ତନାଘନା ପରେ ଗୋବିନ୍ଦ ଶେଷରେ ଗିରଫ ହୋଇଛନ୍ତି। ବଲାଙ୍ଗିର ଜିଲା ପୁଲିସ ଅଧୀକ୍ଷକ ନିତିନ କୁଶଲକର ରାତି ତମାମ ବିଭିନ୍ନ ସ୍ଥାନରେ ଚଢଉର ନିଜେ ଉପସ୍ଥିତ ରହି ସମୀକ୍ଷା କରିଥିବା ବେଳେ ମଙ୍ଗଳବାର ଉତ୍ତରାଞ୍ଚଳ ଡିଆଜି ଡ.ଦୀପକ କୁମାର ବଲାଙ୍ଗିରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋବିନ୍ଦଙ୍କୁ କାବୁ ପରେ ପୁଲିସ୍ ଅଧିକ ତଦନ୍ତ ପାଇଁ ଏକ ଅଜ୍ଞାତ ସ୍ଥାନକୁ ନେଇଥିବା ଜଣାପଡିଛି।
ଫେରାର ଗୋବିନ୍ଦ ଲୁଚିଥିବା ସନ୍ଦେହ କରି ଥାନା ବାରାକ ନିକଟସ୍ଥ ଜଣେ ସାମ୍ବାଦିକଙ୍କ ଘର ପରିସରର ସମେତ ଅନେକ ଘରେ ପୁଲିସ ରାତିରେ ଖୋଜାଖୋଜି କରିଥିଲା। ସେ ସମୟରେ ପୁରୀ ଅଭିମୁଖେ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରେ ରେଳ ସୁରକ୍ଷା ବଳ, ରେଲବାଇ ପୁଲିସ ସହାୟତାରେ ରାଜ୍ୟ ପୁଲିସ ବରଗଡ ପର୍ଯ୍ୟନ୍ତ ସମସ୍ତ ବଗିକୁ ଯାଞ୍ଚ କରିଥିଲା। ଟିଟିଲାଗଡ ଠାରେ ଏଲୋପି ଏକ୍ସପ୍ରେସରେ ବ୍ୟାପକ ଚେକିଂ ହୋଇଥିଲା। ରାତ୍ରୀ ସାରା ସହର ବିଭିନ୍ନ ମାର୍ଗକୁ ନାକାବନ୍ଦି କରାଯାଇଥିଲା। ସୂଚନା ଯୋଗ୍ୟ ଯେ,ଏନେଇ ଅଭିଯୁକ୍ତ ଗୋବିନ୍ଦଙ୍କୁ ବଲାଙ୍ଗିର ଏସପି ମୋଷ୍ଟ ୱାଣ୍ଟେଡ ଘୋଷଣା କରିଥିଲେ।

Hot this week

ବହିଷ୍କୃତ ହେବା ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories