ମାଲ୍ୟା ପ୍ରସଙ୍ଗରେ ଥେରାସାଙ୍କୁ ମୋଦିଙ୍କ ଜବାବ
ନୂଆଦିଲ୍ଲୀ : ବହୁ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକି ବ୍ରିଟେନ ପଳାୟନ କରିଥିବା ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତ ସରକାର ଆବେଦନ କରିଛନ୍ତି। ଭାରତର ଏହି ଆବେଦନ ଉପରେ ବିଚାର କାଳରେ ବ୍ରିଟେନର ଅଦାଲତ ଭାରତୀୟ ଜେଲ୍ର ସ୍ଥିତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି। ବ୍ରିଟେନ ଅଦାଲତର ଏପରି ପ୍ରଶ୍ନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଜବାବ ଦେଇଛନ୍ତି। ମୋଦି ତାଙ୍କ ବ୍ରିଟେନ ପ୍ରତିପକ୍ଷ ଥେରେସା ମେ’ଙ୍କୁ କହିଛନ୍ତି ଯେ ଏକଦା ବ୍ରିଟିଶ ସରକାର ମହାତ୍ମା ଗାନ୍ଧି ଓ ଜବାହାରଲାଲ ନେହେରୁଙ୍କ ଭଳି ମହାନ ଲୋକଙ୍କୁ ଭାରତୀୟ ଜେଲ୍ରେ ବନ୍ଦୀ ରଖିଥିଲେ। ତେଣୁ ଭାରତୀୟ ଜେଲ୍ରେ ମାଲ୍ୟାଙ୍କୁ ବନ୍ଦୀ କରାଯିବାରେ କୌଣସି ଅସୁବିଧା ନାହିଁ। ଥେରେସା ମେଙ୍କୁ ମୋଦିଙ୍କ ଏପରି ଜବାବ ବାବଦରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସୋମବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ୨୦୧୮ ଏପ୍ରିଲରେ ମୋଦି ରାଜ୍ୟଗୋଷ୍ଠୀ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀ ଅବସରରେ ଥେରେସା ମେଙ୍କୁ ଏପରି ଜବାବ ଦେଇଥିଲେ।