ମାଲକାନଗିରି: ମାଓ ଗଡ଼ରେ ପ୍ରବେଶ କରିଛି ମହାମାରୀ। ଏଭଳି ମହାମାରୀର ଶିକାର ହୋଇଛନ୍ତି ୧୦ ମାଓବାଦୀ କରୋନାରେ ଶତାଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ କରୋନା ସଂକ୍ରମଣରେ ଓ ଖାଦ୍ୟ ବିଷକ୍ରିୟାରେ ୧୦ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ବସ୍ତର ଡିଆଇଜି ପି.ସୁନ୍ଦର ରାଜ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗତ କିଛିଦିନ ପୂର୍ବେ ସୀମାନ୍ତବର୍ତ୍ତୀ ବିଜାପୁରରେ ମାଓବାଦୀଙ୍କ ଏକ ବଡ଼ ଧରଣର ବୈଠକରେ ଚାରିଟି ରାଜ୍ୟ ଓଡିଶା, ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରର ପ୍ରାୟ ୫୦୦ରୁ ଅଧିକ ମାଓବାଦୀ ଯୋଗ ଦେଇଥିଲେ। ବୈଠକରେ ବହୁ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ସୁବିଧା ନ ପାଇ ଜଙ୍ଗଲ ନିକଟସ୍ଥ ଆଦିବାସୀ ଗ୍ରାମ ଗୁଡ଼ିକରେ ରହିଥିବାବେଳେ ସେଠାରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ଡିଆଇଜି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ସମୟ ଅଛି ମାଓବାଦୀ ମାନେ ଘଞ୍ଚ ଜଙ୍ଗଲ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କଲେ ସେମାନଙ୍କ ଜୀବନ ବଞ୍ଚିବା ସହ ସେମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟସେବା ମଧ୍ୟ ମିଳିବ।
ବର୍ତ୍ତମାନ ମଧ୍ୟ ବସ୍ତର ଜଙ୍ଗଲରେ ୧୦୦ରୁ ଊର୍ଦ୍ଧ୍ବ ମାଓବାଦୀ କରୋନାରେ ଆକ୍ରାନ୍ତ ହୋଇ ରହିଥିବା ସେ ସୂଚନା ଦେଇଛନ୍ତି। ଏମାନଙ୍କ ଦ୍ୱାରା ଅନ୍ୟ ନିରୀହି ଆଦିବାସୀଙ୍କୁ ସଂକ୍ରମଣ ହେବାର ଆଶଙ୍କା ଉପୁଜିଥିବା ବେଳେ ମାଓବାଦୀଙ୍କ ଠାରୁ ଗ୍ରାମବାସୀ ଯେଭଳି ସାମାଜିକ ଦୂରତା ରକ୍ଷା କରିବେ ଏବଂ ଗ୍ରାମ ମଧ୍ୟକୁ ପ୍ରବେଶ କରାଇ ଦେବେନାହିଁ ସେ ଦିଗରେ ଆଦିବାସୀ ଯତ୍ନବାନ ହେବା ଉଚିତ୍। ନଚେତ୍ ନିରୀହ ଲୋକମାନେ ମଧ୍ୟ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ଡିଆଇଜି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଏ ନେଇ ମାଓବାଦୀଙ୍କ ପକ୍ଷରୁ କୌଣସି ଅଡିଓ ଟେପ କିମ୍ବା ବିଜ୍ଞପ୍ତି ଜାରି କରାଯାଇ ନାହିଁ।


