ସମାଜ ଡିଜିଟାଲ ଡେସ୍କ: ମାଲକାନଗିରି ଜିଲା ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ାରେ ସାମ୍ବାଦିକଙ୍କୁ ହତ୍ୟା ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଘଟଣା ପରେ ଅଭିଯୁକ୍ତ ହାଇଦ୍ରାବାଦରେ ଲୁଚି ରହିଥିବାବେଳେ ମାଲକାନଗିରି ପୁଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ହାତରେ ଧରାପଡ଼ିଛନ୍ତି। ଦୁଇ ଅଭିଯୁକ୍ତ ହେଉଛନ୍ତି, ମୋଟୁ ଥାନା ସୀମା ଅନ୍ତର୍ଗତ ଉଭୟ ଗ୍ରାମ ଏମଭି-୭୫ର ସୁକୁମାର ରାୟ(୨୫) ଏବଂ ଏମପିଭି-୮୨ର କୋଙ୍କଣ ଜୋର୍ଦାର(୨୧)।
ସୂଚନାଯୋଗ୍ୟ, ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡ଼ା ନିକଟରେ ଜୁଲାଇ ୧୨ ତାରିଖରେ ୱେବ୍ ନ୍ୟୁଜ୍ ଚ୍ୟାନେଲ୍ ସାମ୍ବାଦିକ ସିଏଚ. ନରେଶଙ୍କୁ ହତ୍ୟା କରାଯାଇଥିଲା। ନରେଶ ଏବଂ ତାଙ୍କର ଚାରି ଜଣ ସାଥୀ ଏକ କାରରେ ଯାତ୍ରା କରୁଥିଲେ। ଅଭିଯୁକ୍ତମାନେ ମୁରୁଲିଗୁଡ଼ା ନିକଟରେ ସେମାନଙ୍କ ଗାଡ଼ିକୁ ଅଟକାଇବା ପରେ ଝଗଡ଼ା ହୋଇଥିଲା। ପରେ ନରେଶଙ୍କୁ ଖଣ୍ଡାରେ ନିର୍ମମ ଭାବରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ସାଥୀ ସାମ୍ବାଦିକ ତରୁଣ କୁମାର ଗାଡି ଚାବିକୁ ଜଙ୍ଗଲରେ ଫିଙ୍ଗି ଦେଇ ଖସି ପଳାଇବାରେ ସଫଳ ହୋଇଥିଲେ। କିନ୍ତୁ ଆକ୍ରମଣକାରୀମାନେ ଚାବିକୁ ଖୋଜି ପାଇବା ପରେ ଗାଡ଼ି ନେଇ ପଳାଇ ଯାଇଥିଲେ।



