ସମାଜ ଡିଜିଟାଲ ଡେସ୍କ: ଚଙ୍କି ପାଣ୍ଡେଙ୍କ ପୁତୁରା ତଥା ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଭାଇ ଅହାନ ପାଣ୍ଡେଙ୍କ ପ୍ରଥମ ଚଳଚ୍ଚିତ୍ର ‘ସୈୟାରା’ ଏବେ ଚର୍ଚ୍ଚାରେ। ଅନୀତ ପଡ୍ଡାଙ୍କ ସହିତ ତାଙ୍କ ଯୋଡ଼ିକୁ ବେଶ୍ ପ୍ରଶଂସା କରାଯାଉଥିବାବେଳେ ଫିଲ୍ମଟି ସମୀକ୍ଷକ ଏବଂ ଦର୍ଶକଙ୍କଠାରୁ ଆଦୃତି ଲାଭ କରିଛି। ଫିଲ୍ମର ପ୍ରଥମ ଦିନର ଆୟ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ତେବେ ଦ୍ଵିତୀୟ ଦିନର ଆୟ ପ୍ରଥମ ଦିନଠାରୁ ଆହୁରି ଅଧିକ, ଯାହା ଅମିର ଖାନଙ୍କ ପୁଅ ଜୁନୈଦ ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଭୟାପା’ର ମୋଟ୍ ଆୟକୁ ବି ପଛରେ ପକାଇ ଦେଇଛି।
ସୂଚନା ଅନୁସାରେ, ପ୍ରଥମ ଦିନରେ ଫିଲ୍ମ ୨୧ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ ଦ୍ଵିତୀୟ ଦିନରେ ୨୪ କୋଟି ଟଙ୍କା ଆୟ କରିଛି। ଏଥିସହ ଫିଲ୍ମଟି ମାତ୍ର ଦୁଇ ଦିନରେ ୪୫ କୋଟି ଟଙ୍କା ଆୟ କରିଛି। ବିଶ୍ଵସ୍ତରରେ ଏହାର ଆୟ ୫୦ କୋଟି ପାର୍ ହୋଇଛି। ଫଳରେ ‘ସୈୟାରା’ ୨୦୨୫ର ହିଟ୍ ଚଳଚ୍ଚିତ୍ର ତାଲିକାରେ ସାମିଲ ହୋଇଯାଇଛି।
ୟଶରାଜ ସିଇଓ ଅକ୍ଷୟ ବିଧାନୀଙ୍କ ଦ୍ଵାରା ନିର୍ମିତ ଏବଂ ମୋହିତ ସୁରୀ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଅହାନ ପାଣ୍ଡେ ଓ ଅନୀତ ପଡ୍ଡା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବର୍ତ୍ତମାନର ଷ୍ଟାର କିଡ୍ମାନଙ୍କ ମଧ୍ୟରୁ ଏହା ଏପର୍ଯ୍ୟନ୍ତର ସବୁଠୁ ସଫଳ ଡେବ୍ୟୁ ସିନେମା କୁହାଯାଉଛି।



