www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ଧୁକ ଛାଡ଼ି ହଳଲଙ୍ଗଳ ଧରିଲେ ୪ ମାଓ ନେତା

ମାଲକାନଗିରି : ଘଞ୍ଚ ଜଙ୍ଗଲରେ ବନ୍ଧୁକ ଧରି ଲାଲ୍‍ ସଂଗଠନକୁ ସୁଦୃଢ଼ କରିବା ସହ ବିପ୍ଲବର ନାରା ଦେଉଥିବା ଚାରିଜଣ ମାଓ କମାଣ୍ଡର ବନ୍ଧୁକ ଛାଡ଼ି ଚାଷକୁ ଆପଣାଇଛନ୍ତି। ହିଂସା ପରିତ୍ୟାଗ କରି ଅହିଂସା ମାର୍ଗର ଯାତ୍ରୀ ସାଜିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ପ୍ରଶାସନ ମାଓବାଦୀଙ୍କୁ ଆହ୍ୱାନ ଦେଇଥିବା ବେଳେ ଏମାନେ ସମାଜ ପାଇଁ ଏକପ୍ରକାର ଆଦର୍ଶ ହୋଇଛନ୍ତି। ଏହି ମାଓନେତା ହେଲେ କାଲିମେଳା ମାଓ ସଂଗଠନର ପୂର୍ବତନ ମାଓ ନେତା ଶୁକଦେବ, ସୂର୍ଯ୍ୟ, ରଘୁ ଓ ଦିନେଶ। ଚାଷ କରି ସ୍ୱାବଲମ୍ବୀ ହେବାକୁ ଏମାନଙ୍କୁ ସହଯୋଗ କରିଛନ୍ତି ଶୁକଦେବଙ୍କ ପତ୍ନୀ ତଥା ପୂର୍ବତନ ମାଓ କମାଣ୍ଡର ରୁକ୍ମଣୀ ଓ ରଘୁଙ୍କ ପତ୍ନୀ ରାଧା।
ମାଲକାନଗିରି ସହର ଗୌଡ଼ଗୁଡ଼ା ଗ୍ରାମରେ ପ୍ରାୟ ୧୫ ଏକର ଜମିକୁ ଏମାନେ ଭାଗ ଚାଷ କରୁଛନ୍ତି। ପୂର୍ବର ମାଓ ଆଦର୍ଶ ଆଉ ନଥିବା ଏବଂ ଲାଲବାହିନୀ ଆଦିବାସୀଙ୍କ ହକ୍‍ ନାମରେ ଲୋକଙ୍କୁ
ନିର୍ଯାତନା ଦେଉଥିବାରୁ ସେମାନେ ସଂଗଠନ ଛାଡ଼ିଥିବା କହିଛନ୍ତି। ସ୍ୱାଭିମାନର ସହ ବଞ୍ଚିବା ପାଇଁ ସେମାନେ ଚାଷ କରୁଥିବା କହିଛନ୍ତି। ଜଙ୍ଗଲରେ ସଂଗ୍ରାମ ସମୟରେ ହାତରେ ଏକେ ୪୭ ଧରି ଆତଙ୍କ ଖେଳାଉଥିବା ଏହି ଦୁର୍ଦାନ୍ତ ମାଓ ନେତାମାନେ ତିନି ରାଜ୍ୟ ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡ଼ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲେ। ଏମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପରେ ବନ୍ଧୁକ ଟ୍ରିଗର ବଦଳରେ ହାତରେ ହଳ ଲଙ୍ଗଳ ଧରିଛନ୍ତି। ଦିନେ ଘଞ୍ଚ ଜଙ୍ଗଲ ତାଙ୍କ ଠିକଣା ଥିବା ବେଳେ ଏବେ ଚାଷ କ୍ଷେତରେ ଏମାନଙ୍କ ଦିନ କଟୁଛି। ଏବେ ଫସଲ ଅମଳର ସମୟ ଥିବାରୁ ଖୁସିରେ ନିଜ ଚାଷ ଜମିରେ କାମ କରୁଛନ୍ତି। ଏମାନଙ୍କ ବନ୍ଧୁକର ଟ୍ରିଗର ମୂନ ଯେତେବେଳେ କଥା କହୁଥିଲା ସେତେବେଳେ ଗାଁ ଗଣ୍ଡା ଥରି ଉଠୁଥିଲା। ପ୍ରତି ମୁହୂର୍ତ୍ତରେ ଚାଲିଥିଲା ରକ୍ତର ହୋଲି। ପଥଭ୍ରଷ୍ଟ ହୋଇ ଜଳ, ଜଙ୍ଗଲ ଅଧିକାର ପାଇଁ ଏମାନେ ଲଢ଼େଇ କରୁଥିଲେ। ଏଥିପାଇଁ ହାତରେ ବନ୍ଧୁକ ଧରିଥିବାବେଳେ ଏବେ ସବୁ କିଛି ବଦଳି ଯାଇଛି। ସକାଳୁ ସଞ୍ଜ ଯାଏ ପରିବାର ସହ ଚାଷ ଜମିରେ ଖଟୁଛନ୍ତି। ସୁନାର ଫସଲ ଅମଳ କରୁଛନ୍ତି। ଅନ୍ୟମାନଙ୍କ ଭଳି ହଳ ଲଙ୍ଗଲରେ ଚାଷ କରୁଛନ୍ତି।
ଫସଲ କାଟିବା ବେଳାରେ ହାତରେ ଦାଆ ଧରି ଧାନ କାଟିବାରେ ବ୍ୟସ୍ତ ରହୁଛନ୍ତି। ଏହି ପୂର୍ବତନ ମାଓ କମାଣ୍ଡରମାନେ ମାଓବାଦୀଙ୍କ ଅସଲ ମୁଖା ଚିହ୍ନି ପାରି ରେଡ କରିଡରରୁ ମୁହଁ ଫେରାଇଛନ୍ତି ବୋଲି କହିଛନ୍ତି। ଶୁକଦେବ ଓ ତାଙ୍କ ପତ୍ନୀ ରୁକ୍ମଣୀ, ରଘୁ ଓ ରାଧାଙ୍କ ସହ ଅନ୍ୟମାନେ ଏବେ ବେଶ୍‍ ଖୁସିରେ ଥିବା କହିଛନ୍ତି। ଶୁକଦେବ ଦିନେ ତିନି ରାଜ୍ୟ ପାଇଁ ମୋଷ୍ଟ ୱାଣ୍ଟେଡ ମାଓ ନେତା ଥିଲେ। ତାଙ୍କ ଇଙ୍ଗିତରେ ତିନି ରାଜ୍ୟରେ ଘଟୁଥିଲା ହିଂସାକାଣ୍ଡ। ପରେ ସେ ଆତ୍ମସମର୍ପଣ କରିବା ସହ ସୂର୍ଯ୍ୟ, ରଘୁ, ରାଧା ଓ ଦିନେଶଙ୍କୁ ମଧ୍ୟ ଆତ୍ମସମର୍ପଣ କରାଇପାରିଥିଲେ। ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇ ପାରିବ ନାହିଁ ବରଂ ଅହିଂସା ଓ ସରକାରଙ୍କୁ ସାହାଯ୍ୟ କରିବା ଦ୍ୱାରା ନିଜର ହକ୍‍ ହାସଲ କରିହେବ। ଆଗାମୀ ଦିନରେ ପରିଶ୍ରମ କରି ପଥଭ୍ରଷ୍ଟ ଯୁବକଙ୍କୁ ହିଂସା ବିରୋଧରେ କାର୍ଯ୍ୟ କରି ପ୍ରବର୍ତ୍ତାଇବାକୁ ଏହି ପୂର୍ବତନ ମାଓନେତାମାନେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories