ପୁରୁଷ ହକି – ସ୍ପେନକୁ ୩-୦ରେ ହରାଇଲା ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍‌ସ ପୁରୁଷ ହକିରେ ଭାରତ ଦ୍ବିତୀୟ ବିଜୟ ହାସଲ କରିଛି। ମଙ୍ଗଳବାର ପୁଲ-ଏ ର ଖେଳାଯାଇଥିବା ତୃତୀୟ ଲିଗ୍‌ ମ୍ୟାଚରେ ରୁପିନ୍ଦର ପାଲ୍‌ ସିଂହଙ୍କ ଦୁଇଟି ଗୋଲ ବଳରେ ଭାରତ ୩-୦ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଭାରତ ୩ଟି ମ୍ୟାଚରୁ ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଗ୍ରୁପ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ୨୯ରେ ଚତୁର୍ଥ ଲିଗ୍‌ ମ୍ୟାଚ ଅଲିମ୍ପିକ୍‌ସ ଚମ୍ପିଆନ ଆର୍ଜେଣ୍ଟିନା ସହିତ ଖେଳିବ।

ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ଶୋଚନୀୟ ପରାଜୟ ବରଣ କରିଥିବା ଭାରତ ସ୍ପେନ ବିପକ୍ଷରେ ଉନ୍ନତମାନର ଖେଳ ପ୍ରଦର୍ଶନ କରିଥିଲା। ଖେଳର ୧୪ ମିନିଟ୍‌ରେ ଭାରତ ପାଇଁ ସିମରନ୍‌ ଜିତ୍‌ ସିଂହ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାର ଏକ ମିନିଟ୍‌ ବ୍ୟବଧାନ ପରେ ଭାରତ ଦ୍ବିତୀୟ ଗୋଲ ସ୍କୋର କରିଥିଲା। ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ରୁପିନ୍ଦର ପାଲ୍‌ ସିଂହ ଗୋଲରେ ପରିଣତ କରିଥିଲେ। ପ୍ରଥମ କ୍ବାର୍ଟର ଖେଳ ଶେଷ ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ସ୍ପେନ ଗୋଲ ବରାବର କରିବା ନେଇ ଆକ୍ରମଣାତ୍ମକ ପନ୍ଥା ଆପଣାଇଥିଲା। ଖେଳର ୧୭ ମିନିଟ୍‌ରେ ସ୍ପେନକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଡେଭିଡ୍‌ ଆଲ୍‌ଗେଙ୍କ ସଟ୍‌କୁ ଭାରତୀୟ ଖେଳାଳି ରୋକିବାରେ ସଫଳ ହୋଇଥିଲେ। ୨୪ ମିନିଟ୍‌ରେ ସ୍ପେନ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବା​ରେ ବିଫଳ ହୋଇଥିଲା। ମଧ୍ୟାନ୍ତର ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ସ୍ପେନ ଓ ଭାରତ ଉଭୟ ଦଳ ଗୋଲ ଦେବା ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ କରି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେବାରେ ସଫଳ ହୋଇନଥିଲେ। ଅନ୍ତିମ କ୍ବାର୍ଟରରେ ମ୍ୟାଚ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ସ୍ପେନ ଗୋଲ ଦେବା ନେଇ ଉଦ୍ୟମ କରୁଥିବା ବେଳେ ଭାରତ ୫୧ ମିନିଟ୍‌ରେ ତୃତୀୟ ଗୋଲ ସ୍କୋର କରିଥିଲା। ଏକ ପେନାଲ୍ଟି କର୍ଣ୍ଣରକୁ ରୁପିନ୍ଦର ପାଲ୍‌ ସିଂହ ଗୋଲରେ ପରିଣତ କରି ଭାରତକୁ ୩-୦ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ମ୍ୟାଚରେ୩-୨ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିବା ବେଳେ ଦ୍ବିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ ନିକଟରୁ ୭-୧ ଗୋଲରେ ପରାଜିତ ହୋଇଥିଲା।

Comments are closed.