ମୁମ୍ବଇ: କରୋନା ଟିକା କୋଭିଶିଲ୍ଡ ପ୍ରସ୍ତୁତ କରୁଥିବା ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)ର ଟର୍ମିନାଲ-୧ରେ ଥିବା ନୂଆ ପ୍ଲାଣ୍ଟରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିବାବେଳେ ୮ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ। ତେବେ ଟିକା ଗଚ୍ଛିତ ରହିଥିବା ଷ୍ଟୋରେଜ୍ ନିଆଁ ଲାଗି ନ ଥିବା ସୂଚନା ମିଳିଛି।
୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସେରମ ଇନ୍ଷ୍ଟିଚ୍ୟୁଟ୍ର ୫ ମହଲା ବିଶିଷ୍ଟ ଏହି ନୂଆ ପ୍ଲାଣ୍ଟରେ ଅଧିକ ପରିମାଣର କରୋନା ଟିକା କୋଭିଶିଲ୍ଡ ଉତ୍ପାଦନ କରାଯିବାର ଯୋଜନା ରହିଥିଲା। ଗତବର୍ଷ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହାର ଉଦ୍ଘାଟନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଏହି ପ୍ଲାଣ୍ଟରେ ଟିକା ଉତ୍ପାଦନ ଆରମ୍ଭ ହୋଇ ନ ଥିଲା।
ଅପରାହ୍ନ ସାଢ଼େ ୩ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରି ନ ଥିବା ସୂଚନା ମିଳିଛି। ଟର୍ମିନାଲରେ ନିଆଁରେ ଫସିଥିବା ୪ ଜଣଙ୍କୁ ବାହାରକୁ ବାହାର କରାଯାଇଛି।



