ମହାରାଷ୍ଟ୍ର ରାଜନୀତିରେ ଅଦାନୀ ଭୂତ

ମୁମ୍ବଇ: ସମ୍ପ୍ରତି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସରଗରମ ପ୍ରଚାର ଚାଲିଥିଲାବେଳେ ୨୦୧୯ ନିର୍ବାଚନର ଭୂତ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ଶିଳ୍ପପତି ଗୌତମ ଅଦାନୀ ଓ ବିଜେପି ମଧ୍ୟରେ ସମ୍ପର୍କ ଏବଂ ୨୦୧୯ରେ ବିଜେପି ସହ ଏନ୍‌ସିପି ମେଣ୍ଟ ପାଇଁ ଅଦାନୀଙ୍କ ମଧ୍ୟସ୍ଥତା ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି। କିଛି ଦିନ ପୂର୍ବେ ଏନ୍‌ସିପି ପ୍ରତିଷ୍ଠାତା ଶରଦ ପୱାର କହିଥିଲେ ଯେ ୨୦୧୯ରେ ଅଦାନୀ ନିଜ ଘରେ ବିଜେପି ଓ ଏନ୍‌ସିପି ନେତାଙ୍କ ମଧ୍ୟରେ ବୈଠକ ଆୟୋଜନ କରିଥିଲେ। ଶରଦଙ୍କ ପୁତୁରା ତଥା ଏବେ ବିଭାଜିତ ଏନ୍‌ସିପି ଗୋଷ୍ଠୀର ନେତା, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାର ମଧ୍ୟ କହିଥିଲେ ଯେ କଥିତ ବୈଠକରେ ଶରଦ ନିଜେ ଉପସ୍ଥିତ ଥିଲେ। ଏହାକୁ ନେଇ ସେ​‌େ​‌ତବେଳେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ପାଞ୍ଚ ବର୍ଷ ପରେ ଏବେ ତାହା ପୁଣି ମୁଣ୍ଡ ଟେକିଛି। ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଏହି ପ୍ରସଙ୍ଗକୁ ଅସ୍ବୀକାର କରିବା ସହ ଅଦାନୀ ବୈଠକ ଆୟୋଜନ କରିନଥିଲେ କିମ୍ବା ସେ ବୈଠକର ଅଂଶୀଦାର ନଥିଲେ ବୋଲି କହିଛନ୍ତି।
ଚର୍ଚ୍ଚାନୁସାରେ, ୨୦୧୯ରେ ଅଦାନୀ ତାଙ୍କର ଦିଲ୍ଲୀ ବାସଭବନରେ ବିଜେପି ଓ ଏନ୍‌ସିପି ନେତାଙ୍କର ବୈଠକ ଆୟୋଜନ କରିଥିଲେ। ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏହି ଖବର ପ୍ରସାରିତ ହେବା ପରେ ବୈଠକରେ ମେଣ୍ଟ ସରକାର ଗଠନ ସମ୍ପର୍କରେ ଆଲୋଚନା ହୋଇଥିବା ଚର୍ଚ୍ଚା ଖବର ପ୍ରକାଶ ପାଇଥିଲା। ଏହା ସଫଳ ହୋଇନଥିଲାଟ୍ଟ କିନ୍ତୁ ଶରଦ ପୱାର ଏନ୍‌ସିପି, କଂଗ୍ରେସ ଓ ଶିବସେନାକୁ ନେଇ ମିଳିତ ସରକାର ଗଠନ କରାଇଥିଲେ। ଅବଶ୍ୟ ପ​‌େ​‌ର ଶିବସେନା ଭାଙ୍ଗି ଯାଇଥିଲା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳାୟିତ ଶରଦଙ୍କ ପୁତୁରା ଅଜିତ ମଧ୍ୟ ଦଳ ଭାଙ୍ଗି ବିଜେପି-ଶିବସେନା ମିଳିତ ସରକାରରେ ସାମିଲ ହୋଇଥିଲେ। ମହାରାଷ୍ଟ୍ର ରାଜନୀତିରେ ଏଭଳି ବିଚିତ୍ର ସ୍ଥିତି ଗତ ୫ ବର୍ଷ ଧରି ଲାଗିରହିଥିବାବେଳେ ଏବେ ଅଦାନୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଶରଦ ପୱାର ଦୁଇ ଦିନ ପୂର୍ବେ ଏକ ସାକ୍ଷାତ୍‌କାରରେ ୨୦୧୯ର ବୈଠକ ପ୍ରସଙ୍ଗ ଉଠାଇଥିଲେ। ଆଲୋଚ୍ୟ ବୈଠକରେ ତାଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଅଜିତ ପୱାର ଓ ଅଦାନୀ ଉପସ୍ଥିତ ଥିବା ସେ କହିଥିଲେ। ତାଙ୍କ କଥାରେ ଆଉ ପଦେ ଜୋଡ଼ି ଅଜିତ କହିଥିଲେ ଯେ ବୈଠକରେ ଫଡ଼ନବିସ୍‌ ଓ ପ୍ରଫୁଲ୍‌ ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଫଡ଼ନବିସ୍‌ ତୁରନ୍ତ ଏହାର ଜବାବ ଦେଇ କହିଛନ୍ତି ଯେ ଅଦାନୀ ବିଜେପିର କୌଣସି ବୈଠକରେ ଯୋଗ ଦେଇନାହାନ୍ତି।
ମଜାର ବିଷୟ ହେଉଛି, ନିର୍ବାଚନ ପରେ ହଠାତ୍‌ ଅତି ଆଶ୍ଚର‌୍ୟ୍ୟଜନକ ଭାବେ ଫଡ଼ନବିସ୍‌ ଓ ଅଜିତ ପୱାର ହାତ ମିଳାଇ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ସେମାନଙ୍କ ସରକାର ମାତ୍ର ୮୦ ଘଣ୍ଟା ତିଷ୍ଠିଥିଲା। ଏହି ସାଢ଼େ ତିନି ଦିନର ନାଟକ ଓ ରାଜ୍ୟପାଳଙ୍କ ଭୂମିକା ବେଶ୍‌ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା। ପରେ ଅଜିତ ମୂଳ ଦଳକୁ ଫେରିଥିଲେ। ୨୦୨୨ ଜୁନ୍‌ରେ ଶିବସେନାରେ ବିଭାଜନ ଘଟ​‌‌ାଇ ବିଜେପି କ୍ଷମତାକୁ ଫେରିଥିଲା। ପରବର୍ତ୍ତୀ ସମୟରେ ଅଜିତ ଏନ୍‌ସିପିରେ ବିଭାଜନ ଘଟାଇ ପୁଣି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଚଳିତ ମାସ ୨୦ରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଅଛି।
ଅନ୍ୟ ଏକ ଘଟଣାକ୍ରମେ ନିକଟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ସମୟରେ ‘ବଟେଙ୍ଗେ ତୋ କଟେ​‌େ​‌ଙ୍ଗ’ (ହିନ୍ଦୁ ବିଭାଜିତ ହେଲେ ଅସୁରକ୍ଷିତ ହୋଇପଡ଼ିବେ) ବୋଲି ଦେଇଥିବା ମନ୍ତବ୍ୟର ତୀବ୍ର ସମାଲୋଚନା କରିଛନ୍ତି ଅଜିତ। ‘ଉତ୍ତର ପ୍ରଦେଶ ପାଇଁ ଏଭଳି ମନ୍ତବ୍ୟ ଯଥାର୍ଥଟ୍ଟ ମହାରାଷ୍ଟ୍ର ପାଇଁ ନୁହେଁ’ ବୋଲି କହି ସେ ଯୋଗୀଙ୍କୁ ସମାଲୋଚନା କରିଛନ୍ତି। ଫଡ଼ନବିସ୍‌ ଏହାର ଜବାବରେ ଅଜିତଙ୍କୁ ସମାଲୋଚନା କରିଥିବାବେଳେ ବିଜେପିର ପଙ୍କଜା ମୁଣ୍ଡେ ଓ ଅଶୋକ ଚଭାନ୍‌ ମଧ୍ୟ ଯୋଗୀଙ୍କ ମନ୍ତବ୍ୟକୁ ଅପସନ୍ଦ କରିଛନ୍ତି। ଅଜିତ ଓ ଅଶୋକ ଭିନ୍ନ ରାଜନୈତିକ ଆଦର୍ଶରୁ ଆସିଛନ୍ତି ବୋଲି ଫଡ଼ନବିସ୍‌ କହିବା ପରେ ମେଣ୍ଟରେ ନୂଆ ବିବାଦ ସୃଷ୍ଟି ହୋଇଛି।

Comments are closed.