ସାମିଲ ହେବେ ଛତିଶଗଡ଼ର ୨୨ ଗାଁର ଚାଷୀ
ଅଭିଯାନ ରାଜନୈତିକ ଗଣ୍ଡି ଭିତରେ ସୀମିତ ରହିବ ନାହିଁ
ଭୁବନେଶ୍ୱର : ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାକୁ ଜଳ ପ୍ରବାହ ବହୁ ମାତ୍ରରେ ହ୍ରାସ ପାଇଛି। ପାନୀୟଜଳ, ଜଳସେଚନ ଓ ଶକ୍ତି ପ୍ରଭାବିତ ହୋଇଛି। ଜଳ ବିବାଦରେ ସମାଧାନ ପାଇଁ ଟ୍ରାଇବୁନାଲ ଗଠନ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଜାଣିଶୁଣି ପ୍ରକ୍ରିୟା ବିଳମ୍ବିତ କରୁଛନ୍ତି। ମହାନଦୀର ସୁରକ୍ଷା ପାଇଁ ବିଜେଡି ଆସନ୍ତା ୧୬ ତାରିଖରୁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିବ। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଅବହେଳାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଜନଜାଗରଣ ସୃଷ୍ଟି କରାଯିବ। କେବଳ ଓଡ଼ିଶା ନୁହେଁ ଛତିଶଗଡ଼ର ୨୨ ଖଣ୍ଡ ଗାଁର ଚାଷୀ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଛତିଶଗଡ଼ ସରକାର ନଦୀକୁ ଶିଳ୍ପପତିଙ୍କ ପାଖରେ ବନ୍ଧା ପକାଇ ଦେଇଛି। ଫଳରେ ସେମାନେ ପାଣି ପାଇପାରୁ ନାହାନ୍ତି। ଏହି ଗ୍ରାମବାସୀମାନେ ତୀବ୍ର୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆନ୍ଦୋଳନରେ ସେମାନେ ସାମିଲ ହେବେ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜୟକୁମାର ଦାସବର୍ମା ସୂଚନା ଦେଇଛନ୍ତି।
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସବର୍ମା ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ‘ଜୀବନ ଥିବା ପର୍ଯ୍ୟନ୍ତ ମହାନଦୀ ପାଇଁ ଲଢ଼େଇ ଜାରି ରଖିବି’ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଉକ୍ତି ରଖି ମହାନଦୀ ପାଇଁ ନିଜର ଆବେଗ ଓ ପ୍ରତିବଦ୍ଧତାକୁ ଆହୁରି ସ୍ପଷ୍ଟ କରିଛନ୍ତି। ମହାନଦୀ ପାଇଁ ଆରମ୍ଭ କରାଯାଇଥିବା ମହାସଂଗ୍ରାମରେ ଓଡ଼ିଶାର ଦାବି ସମ୍ପୂର୍ଣ୍ଣ ଭାବେ ହାସଲ ନହେବା ପର୍ଯ୍ୟନ୍ତ ଜନଜାଗରଣ ପାଇଁ ଆହ୍ୱାନ ଦେଇଛନ୍ତି। ଦାବି ହାସଲ ନହେବା ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସହ ମିଶି ସଂଗ୍ରାମରୁ ବିରତ ହେବ ନାହିଁ ବୋଲି ସେ କହିଛନ୍ତି। ଅଭିଯାନ କୌଣସି ରାଜନୈତିକ ଗଣ୍ଡି ଭିତରେ ସୀମିତ ରହିବ ନାହିଁ। ଏହି ସଚେତନତା ଅଭିଯାନ୧୫ ଜିଲାର ୧୫୬୦ କିମି ଅତିକ୍ରମ କରିବ।
ଆସନ୍ତା ୧୬ ତାରିଖ ଦିନ ଓଡ଼ିଶାରେ ମହାନଦୀ ପ୍ରବେଶ ସ୍ଥଳର ଉଭୟ ପାର୍ଶ୍ବ ଝାରସୁଗୁଡାର ସୁଖାସୋଡାରେ ପୂର୍ବାହ୍ନ ୯ଟା ବେଳେ ଏବଂ ବରଗଡ ଜିଲା ଚିଖିଲିରେ ୧୦ଟା ବେଳେ ଏହି ଅଭିଯାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଗ୍ରାମବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଏହି ଅଭିଯାନରେ ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୋଳ, ଢ଼େଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଜଗତସିଂହପୁର ଜିଲାର ନିର୍ଦ୍ଧାରିତ ରୁଟରେ ପଥପ୍ରାନ୍ତ ସଭା, ସାଧାରଣ ସଭା, ବୁଦ୍ଧିଜୀବୀ ସମ୍ମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କରାଯିବା ସହ ମହାନଦୀ ସମସ୍ୟା ସମ୍ପର୍କରେ ପୁସ୍ତିକା ଓ ପ୍ରଚାରପତ୍ର ବଣ୍ଟନ କରାଯିବ। ମହାନଦୀ ଅବବାହିକା ନିକଟସ୍ଥ ଅନ୍ୟ ଜିଲା ବ୍ଲକରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯିବ। ଉଭୟ ପାର୍ଶ୍ବରୁ ଯାଉଥିବା ଅଭିଯାନକାରୀ ଦଳ ୧୭ ତାରିଖରେ ସମଲେଶ୍ୱରୀଙ୍କ ପୀଠରେ ଏକାଠି ହୋଇ ଜଳ ଆଳତି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାସହ ମହାନଦୀ ଅବବାହିକାର ଉଭୟ ପାର୍ଶ୍ବରେ ଥିବା ପୁରାତନ ଦେବଦେବୀ ପୀଠଗୁଡ଼ିକରେ ସମୂହ ଦୀପଦାନ କରାଯିବା କାର୍ଯ୍ୟକ୍ରମ ରହିଛି। କଟକର ଗଡ଼ଗଡ଼େଶ୍ୱରଙ୍କ ପୀଠରେ ଜଳ ଆଳତି କରାଯିବ।
ପାରାଦ୍ୱୀପରେ ୩୦ ତାରିଖରେ କାର୍ଯ୍ୟକ୍ରମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇ ଥିବାବେଳେ ଜଗତସିଂହପୁରରେ ଅଭିଯାନ ପହଞ୍ଚିବା ପରେ କେଉଁ ଦିନ ଶେଷ ହେବ ତାହା ସ୍ଥିିର ହେବ ବୋଲି ସେ କହିଛନ୍ତି। ଓଡିଶାର ନ୍ୟାଯ୍ୟ ଦାବି ପୂରଣ ଓ ମହାନଦୀର ସୁରକ୍ଷା ପାଇଁ ଏହି ଜନଜାଗରଣ ଆନ୍ଦୋଳନର ମହାସଂଗ୍ରାମରେ ରାଜ୍ୟର ଛାତ୍ର, ଯୁବକ, କୃଷକ, ମତ୍ସ୍ୟଜୀବୀ, ମହିଳା, ବୁଦ୍ଧିଜୀବୀ, ସମସ୍ତ ସାମାଜିକ ସଙ୍ଗଠନ, ସବୁ ରାଜନୈତିକ ଗୋଷ୍ଠୀ ଓ ଜନସାଧାରଣ ସାମିଲ ହେବା ପାଇଁ ବିଜେଡି ପକ୍ଷରୁ ନିବେଦନ କରାଯାଇଛି।
ଅଭିଯାନରେ ଦଳର ସମସ୍ତ ବରିଷ୍ଠ ନେତା, ଜିଲାର ନେତା ଓ କର୍ମୀ ଯୋଗଦେବେ ବୋଲି କଟକ ଜିଲା ସଭାପତି ତଥା ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସାଧାରଣ ସମ୍ପାଦକ ଅତନୁ ସବ୍ୟସାଚୀ ନାୟକ ଓ ସମ୍ପାଦକ ବିଜୟ ନାୟକ ଉପସ୍ଥିତ ଥିଲେ।