ମୋବାଇଲ୍‌ ଫାଟି ଘରେ ଲାଗିଲା ନିଆଁ: ୪ ଶିଶୁ ମୃତ, ଦମ୍ପତି ଗୁରୁତର

ମେରଠ: ମେରଠସ୍ଥିତ ମୋଦୀପୁରମର ଜନତା କଲୋନୀରେ ଭଡ଼ାଘରେ ରହୁଥିବା ଏକ ଶ୍ରମିକ ପରିବାରରେ ମୋବାଇଲ୍‌ ବିସ୍ଫୋରଣ ଘଟି ଘରେ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିଥିବା କୋଠରୀରେ ଥିବା ୪ ଜଣ ଶିଶୁ ନିଆଁରେ ପୋଡ଼ିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ପିଲାମାନଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ବାମୀ-ସ୍ତ୍ରୀ ମଧ୍ୟ ନିଆଁରେ ଜଳି ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ ଏବଂ ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ପୁଲିସ ପ୍ରଥମେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା, ଯେଉଁଠାରେ ଚିକିତ୍ସା ସମୟରେ ୪ ପିଲାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ଦମ୍ପତିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

prayash

ସୂଚନା ଅନୁସାରେ, ମୁଜଫରନଗର ଜିଲାର ସିଖେଡ଼ା ନିବାସୀ ଜନୀ(୪୧) ଜଣେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ସେ ତାଙ୍କ ପତ୍ନୀ ବବିତା(୩୭) ଏବଂ ୪ ସନ୍ତାନ ସାରିକା(୧୦), ନିହାରିକା(୮), ଗୋଲୁ(୬) ଓ କଲ୍ଲୁ(୫) ଙ୍କ ସହ ମୋଦୀପୁରମର ଜନତା କଲୋନୀରେ ଏକ ଘରେ ଭଡ଼ା ଘରେ ରୁହନ୍ତି। ଶନିବାର ସନ୍ଧ୍ୟାରେ ପିଲାମାନେ କୋଠରୀରେ ଖେଳୁଥିଲେ। କୋଠରୀରେ ବିଛଣା ଉପରେ ତାରଗୁଡ଼ିକ ଖେଳାଇ ହୋଇଥିଲା ଏବଂ ପିଲାମାନେ ମୋବାଇଲ୍ ଚାର୍ଜର୍ ଇଲେକ୍ଟ୍ରିକ୍‌ ବୋର୍ଡରେ ଲଗାଉଥିଲେ। ଚାର୍ଜର ଲଗାଇବା ସମୟରେ ସର୍ଟ ସର୍କିଟ ହୋଇଥିଲା। ତାରଗୁଡ଼ିକରେ ନିଆଁ ଲାଗିବା କାରଣରୁ ମୋବାଇଲ୍ ଫୋନ୍ ବିସ୍ଫୋରଣ ହୋଇ ଶଯ୍ୟାରେ ନିଆଁ ଲାଗିଯାଇଥିଲା। ନିଆଁ ଘେରରେ ଥିବା ପିଲାମାନେ ଚିତ୍କାର କରିବାକୁ ଲାଗିଲେ। ବିସ୍ଫୋରଣ ଏବଂ ପିଲାମାନଙ୍କର ଚିତ୍କାର ଶୁଣି ଜନୀ ଏବଂ ବବିତା ରୋଷେଇ ଘରରୁ କୋଠରୀ ଆଡକୁ ଦୌଡ଼ିଗଲେ। ଦୁହେଁ ପିଲାମାନଙ୍କୁ ଜଳିଯାଇଥିବା ଅବସ୍ଥାରେ ଉଦ୍ଧାର କରି ବାହାରକୁ ଆଣିଥିଲେ। ପିଲାମାନଙ୍କୁ ଉଦ୍ଧାର କରିବା ସମୟରେ ବବିତା ଓ ଜନୀଙ୍କ ଦେହରେ ମଧ୍ୟ ନିଆଁ ଲାଗି ସେମାନେ ଗୁରୁତର ଆହତ ହୋଇଥିଲେ। ଜନୀଙ୍କ ଘରୁ ଚିତ୍କାର ଶୁଣି ପଡ଼ୋଶୀ ସେଠାରେ ପହଞ୍ଚିଥିଲେ।

ଥାନା ଅଧିକାରୀ ମନ୍ନେଶ କୁମାର କହିଛନ୍ତି ଯେ, ଚିକିତ୍ସାଧୀନ ଅବସ୍ଥାରେ ସାରିକା ଏବଂ କଲ୍ଲୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପରିବାର ସଦସ୍ୟ ପୂର୍ବରୁ ବ୍ୟବଚ୍ଛେଦ ପାଇଁ ମନା କରୁଥିଲେ କିନ୍ତୁ ବର୍ତ୍ତମାନ ଶବ ବ୍ୟବଚ୍ଛେଦ କରାଯାଉଛତ। ପିତା ଜନୀ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ମାଆ ବବିତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି।

 

Comments are closed.