ବିପକ୍ଷ ନୁହେଁ,୨୦୧୯ରେ ମୋଦୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ ମୋଦୀ

0

ନୂଆଦିଲ୍ଲୀ: ଆକବର ତାଙ୍କ ସଭାରେ କାଗଜରେ ଅଙ୍କା ଯାଇଥିବା ଏକ ରେଖାକୁ ନଲିଭାଇ କିମ୍ବା ନ କାଟି ଏହାକୁ ଛୋଟ କରିବାକୁ ବୀରବଲଙ୍କୁ ନିର୍ଦେଶ ଦେଇଥିଲେ। ବୀରବଲ କାଗଜରେ ଅଙ୍କା ଯାଇଥିବା ରେଖାର ସମାନ୍ତରାଳରେ ଆଉ ଏକ ବଡ଼ ରେଖା ଆଙ୍କି ଦେଇଥିଲେ। ଫଳରେ ଆକବରଙ୍କ ରେଖା ବୀରବଲଙ୍କ ରେଖାଠାରୁ ଛୋଟ ହୋଇଯାଇ ଥିଲା।
ଅନୁରୂପ ଚ୍ୟାଲେଞ୍ଜ ଆଜି ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିବା ନରେନ୍ଦ୍ର ମୋଦୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୨୦୧୯ ରାଜନୈତିକ ଦୃଷ୍ଟିକୋଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ। ମୋଦୀଙ୍କ ପାଇଁ ୨୦୧୩ଚ୍ୟାଲେଞ୍ଜ ଅପେକ୍ଷା ୨୦୧୯ର ଚ୍ୟାଲେଞ୍ଜ ବେଶ୍‍ କଠିନ। ୨୦୧୩ସେପ୍ଟେମ୍ବରରେ ମୋଦୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଗଲା। ଏହି ଘୋଷଣା ହେବା ପରେ ପ୍ରଚାର ଆରମ୍ଭ ହୋଇଥିଲା। ଭ୍ରଷ୍ଟାଚାର ଅଭିଯୋଗରେ ଜର୍ଜରିତ ୧୦ବର୍ଷର ସରକାରଙ୍କ ବିରୋଧରେ ସ୍ୱପ୍ନ ଦେଖାଉଥିବା ଓ ୩ଡି କାର୍ଯ୍ୟକ୍ରମ ଦ୍ୱାରା ଏକକାଳୀନ ୧୦ଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେଇ ପାରୁଥିବା ଜଣେ ଯାଦୁକର ମୋଦୀ ନାମରେ ଛିଡ଼ା ହୋଇଥିଲେ। ଏହି ଯାଦୁକରଙ୍କ ପାଖରେ ଦେଶର ସବୁ ସମସ୍ୟାର ସମାଧାନ ଥିଲା। ଯାହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଜି ପର୍ଯ୍ୟନ୍ତ ହୋଇ ନାହିଁ ସେ ସବୁକିଛି ଦେଶବାସୀଙ୍କୁ ପ୍ରଦାନ କରିବାର ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯାଦୁକର ମୋଦୀ।
ଯାଦୁକର ମୋଦୀଙ୍କ ପାଖରେ ଥିଲା ଏଭଳି ଆଇନା ଯେଉଁଥିରେ ସବୁକିଛି ସୁନ୍ଦର ଦିଶେ। ଏହି ଆଇନା ଦେଶବାସୀଙ୍କୁ ମୁଗ୍ଧ କରିଥିଲା। ଦେଶର ପରିବର୍ତ୍ତିତ ରୂପରେଖର ସ୍ୱପ୍ନ ଦେଶବାସୀଙ୍କୁ ଉଲ୍ଲସିତ କରିଥିଲା। ଫଳରେ ଦେଶ ମୋଦୀ ପ୍ରବାହରେ ଭାସି ଯାଇଥିଲା।
ରାଜନୈତିକ ନଦୀର ଗୋଟିଏ ପାଶ୍ୱର୍ରେ ୧୦ବର୍ଷର ଶାସନ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଅତିଷ୍ଠତା ଓ ଅନ୍ୟପଟେ ବିକଶିତ ରାଷ୍ଟ୍ରର ସାଜସଜ୍ଜା ଓ ସୁଶାସନର ପ୍ରତିଶ୍ରୁତି ଲୋକଙ୍କୁ ବାଧ୍ୟ କରିଥିଲା ଦେଶର ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ। ‘ଭଲ ଦିନ ଆସୁଛି’ ଏଭଳି ଏକ ସଂକଳ୍ପରେ ରାଜନୈତିକ ସ୍ରୋତରେ ଭାସି ଯାଇଥିଲେ ଜନତା। ପରିଣାମରେ ପ୍ରଥମ ଥର ପାଇଁ ଦେଶରେ ଶକ୍ତିଶାଳୀ ଅଣକଂଗ୍ରେସ ସରକାର ଗଠିତ ହେଲା। ମୋଦୀ ପ୍ରବାହ ଆଗରେ ବଡ଼ବଡ଼ ରାଜନୈତିକ ଗଡ଼ ଧୂଳିସାତ ହେବାରେ ଲାଗିଲା।
୨୦୧୯ର ନବବର୍ଷରେ ମୋଦୀ ପ୍ରବାହରେ ପ୍ରବାହିତ ସାଢେ ୪ବର୍ଷ ବିତିଗଲାଣି। ଭଲ ଦିନ ଆସିବାର ଆଶାରେ ଦେଶର ସମସ୍ତ ନାଗରିକଙ୍କ ଥାଳିରେ ରୋଟି ମିଳିବ ଏଭଳି ଆଶାୟୀ ଜନତାଙ୍କ ଥାଳିରେ କେବଳ ଆକାଶର ଜହ୍ନର ପ୍ରତିଚ୍ଛବି ରୋଟି ବଦଳରେ ଦୃଶ୍ୟମାନ ହେଲା। ମୋଦୀଙ୍କ ଯାଦୁ ବାଡ଼ିର ଶକ୍ତି କ୍ରମଶଃ ହ୍ରାସ ପାଇବାକୁ ଲାଗିଲା।
ପରିଣାମ ସ୍ୱରୂପ ଦକ୍ଷିଣ ଏସିଆରେ ଦେଶର ସ୍ଥିତି ଦୁର୍ବଳ ହେବାରେ ଲାଗିଲା। ବ୍ୟବସାୟ କ୍ଷେତ୍ରରେ ଅନ୍ୟ ଦେଶ ପରିବର୍ତ୍ତେ ଭାରତର ସ୍ଥିତିରେ ସେଭଳି ବଡ଼ ପରିବର୍ତ୍ତନ ଦୃଶ୍ୟମାନ ହେଲା ନାହିଁ। ଅଗଣତି ବିଦେଶ ଭ୍ରମଣ ତୁଳନାରେ ଉପଲବ୍ଧି ଦୃଶ୍ୟମାନ ହେଲା ନାହିଁ। ପାକିସ୍ତାନ ଆଡ଼ୁ ଆକ୍ରମଣ ନା ମୋଦୀଙ୍କ ଭାଷଣ ପରେ କମିଲା, ନା ଚା’ ପାନ କିମ୍ବା ଆଲିଙ୍ଗନରେ କମିଲା ଚୀନ୍‍ର ଦୌରାତ୍ମ୍ୟ।
ଦରବୃଦ୍ଧି ଦେଶର ଆର୍ଥିକ ସମୀକରଣକୁ ଦୋହଲାଇ ଦେଲା। କ୍ରମାଗତ ତୈଳ ଦରବୃଦ୍ଧି ଚାଷୀ ଓ ମଧ୍ୟମ ବର୍ଗଙ୍କୁ ବିଚଳିତ କରିଦେଲା। ଗ୍ରାମାଞ୍ଚଳରେ ମାଗଣା ବିଦ୍ୟୁତ ସଂଯୋଗ ହେଲା; ହେଲେ ଏହାର ମୂଲ୍ୟ ଗ୍ରାମବାସୀଙ୍କ ଅର୍ଥନୀତିକୁ ଦୋହଲାଇ ଦେଲା। ସାର ଓ ମଞ୍ଜି ପାଇଁ ଆଶାୟୀ ଚାଷୀଙ୍କ ଆତ୍ମହତ୍ୟା କମିବା ଅପେକ୍ଷା ବଢିବାକୁ ଲାଗିଲା। କଳାଧନ ଓ ଭ୍ରଷ୍ଟାଚାର ନିୟନ୍ତ୍ରଣ କରିବାକୁ ଯାଇ ମୋଦୀଙ୍କ ଯାଦୁ ଅକାମୀ ପ୍ରମାଣିତ ହେବାରେ ଲାଗିଲା। ରୋଜଗାର ସୃଷ୍ଟି କରିବା ବ୍ୟବସ୍ଥା ପାଇଁ ଉପହାସରେ ପରିଣତ ହେଲା।
ମୋଦୀ ଯାଦୁ ସମ୍ପୂର୍ଣ୍ଣ ଭାବେ ଅକାମୀ ହୋଇଛି ତାହା ନୁହେଁ। ମୋଦୀଙ୍କ ନିଷ୍ଠାପରତା, ସ୍ୱଚ୍ଛ ରାଜନୈତିକ ଶୈଳୀ ଓ ସଂସ୍କାରମୁଖୀ ଆଭିମୁଖ୍ୟ ଓ ଜୀବନ ଧାରଣର ଉନ୍ନତି ପ୍ରତି ପ୍ରତିଶ୍ରୁତିବଦ୍ଧତା ତାଙ୍କୁ ପ୍ରଶଂସାଭାଜନ କରିଛି। ଅପରପକ୍ଷରେ ବାସ୍ତବାତଠାରୁ ସ୍ୱପ୍ନର ଶବ୍ଦ ଭାରି ପଡ଼ିବାରୁ ଶ୍ରେୟର ଛାପ ଲୁଚିଗଲା। ଏହାର ପ୍ରଭାବରେ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ଓ ଦିଲ୍ଲୀ ପରି ରାଜ୍ୟରେ ମୋଦୀ ଯାଦୁ ପ୍ରତ୍ୟାଖ୍ୟାତ ହେଲା। ୨୦୧୩ରେ ଯେଉଁ ବ୍ୟକ୍ତିତ୍ୱକୁ ସମାଲୋଚନା କରିବା ଆକାଶକୁ ଆଇନା ଦେଖାଇବା ସଦୃଶ୍ୟ ଥିଲା ଆଜି ସେହି ବ୍ୟକ୍ତିତ୍ୱକୁ ବିରୋଧୀ ତ’ ଦୂର କଥା ନିଜ ସହଯୋଗୀ ରାଜନୈତିକ ଦଳ ସହ ଆପୋସ ବୁଝାମଣା କରି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପଡ଼ୁଛି।
ବିଗତ ନିର୍ବାଚନରେ ମୋଦୀଙ୍କ ପାଖରେ ଜନସାଧାରଣଙ୍କୁ ଦେଖାଇବା ପାଇଁ ସ୍ୱପ୍ନ ଥିଲା। ଏବେ ଜନତାଙ୍କୁ ମୋଦୀ ଦେଖାଇବେ କାର୍ଯ୍ୟକାଳର ଉପଲବ୍ଧି। କ’ଣ କରିଛନ୍ତି ତାହା ଭାଷଣରେ ନୁହେଁ, ବାସ୍ତବ କ୍ଷେତ୍ରରେ ଉପଲବ୍ଧି ପରେ ଜନତା ବିଶ୍ୱାସ କରିବେ ନିଶ୍ଚିତ। ତେଣୁ ୨୦୧୩ରେ ମୋଦୀ ଦେଖାଇଥିବା ସ୍ୱପ୍ନର ବାସ୍ତବ ରୂପ କେତେ ତାହା ୨୦୧୯ରେ ପ୍ରତିଫଳିତ ହେବ ନିଶ୍ଚିତ। ସେଗୁଡ଼ିକ ମଧ୍ୟରୁ ସନ୍ତୁଷ୍ଟ ଜନତା ଓ ଅସନ୍ତୁଷ୍ଟ ଜନତା ହିଁ ୨୦୧୯ରେ ମୋଦୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏସବୁକୁ ଦେଖିବାକୁ ଗଲେ ୨୦୧୯ ନିର୍ବାଚନରେ ମୋଦୀଙ୍କ ପାଇଁ କଡ଼ା ଚ୍ୟାଲେଞ୍ଜ ବିରୋଧୀ ନୁହେଁ ବରଂ ଖୋଦ୍‍ ମୋଦୀ ହିଁ ନିଜ ପାଇଁ ନିଜେ ଚ୍ୟାଲେଞ୍ଜରେ ପରିଣତ ହୋଇଛନ୍ତି କହିଲେ ଭୁଲ ହେବ ନାହିଁ।

Leave A Reply