ପିଲାଙ୍କ ଦୁର୍ବଳତାକୁ ହାଲ୍କା ଭାବେ ନିଅନ୍ତୁନି
ପିଲାମାନେ ସେମାନଙ୍କ ହାତ ତଥା ପାଦରେ ଦୁର୍ବଳତା ଅନୁଭବ କରୁଥିବା ବେଳେବେଳେ କହିଥାନ୍ତି। ତେବେ ସେମାନଙ୍କର ଏହି ଅଭିଯୋଗକୁ ହାଲୁକା ଭାବେ ଗ୍ରହଣ କରନ୍ତୁନି। ଏହା ସାଧାରଣ ହୋଇପାରେ। ବେଳେବେଳେ ଚିନ୍ତାଜନକ ବି ହୋଇପାରେ। ଜନ୍ମରୁ ଦୁର୍ବଳ ପିଲା କୌଣସି ଆନୁବଂଶିକ ରୋଗର ଶିକାର ହୋଇପାରିଥାନ୍ତି ବା ଗର୍ଭାବସ୍ଥା ବେଳେ କୌଣସି ବିକାର ଦ୍ୱାରା ଆକ୍ରାନ୍ତ ହୋଇପାରିଥାନ୍ତି। ଡ଼ାଉନ ସିନ୍ଡ଼୍ରୋମ୍, ମସ୍କ୍ୟୁଲାର ଡ଼ିଷ୍ଟ୍ରଫି ଆଦିରେ ଆକ୍ରାନ୍ତ ପିଲାମାନେ ସାଧାରଣ ପିଲାଙ୍କ ଠାରୁ ଅନେକ କ୍ଷେତ୍ରରେ ପଛୁଆ ରହିଥାନ୍ତି।
କୌଣସି ରୋଗ ବେଶୀ ଦିନ ରହିବା ବା ହରମୋନରେ ଅସନ୍ତୁଳନ ଯୋଗୁଁ ପିଲାମାନଙ୍କଠାରେ ଦୁର୍ବଳତା ଅଧିକ ସମୟ ଧରି ରହିଥାଏ। ପିଲାଙ୍କୁ ଟିବି, ଯକୃତ୍ରେ ଦୁର୍ବଳତା, ଥାଏରଏଡ଼ ଦୁର୍ବଳତା ଭଳି କିଛି ରୋଗର ଲକ୍ଷଣ ସାଧାରଣ ଦୁର୍ବଳତା ରୂପରେ ସାମ୍ନାକୁ ଆସିଥାଏ। ଠିକ୍ ସମୟରେ ଡାକ୍ତରଙ୍କ ପରାମର୍ଶ ପିଲାଙ୍କୁ ଏହାଠାରୁ ମୁକ୍ତି ଦେଇପାରେ।
ପୁଷ୍ଟିହୀନତା ମଧ୍ୟ ପିଲାକୁ ଅଧିକରୁ ଅଧିକ ରୋଗାକ୍ରାନ୍ତ କରିଥାଏ। କିଛି ପୋଷକ ତତ୍ତ୍ୱ ଯେପରି କ୍ୟାଲସିୟମ୍, ଫସଫରସ୍ ବା ଭିଟାମିନ୍ ସି ଓ ଡ଼ି’ର ଅଭାବ ଯୋଗୁ ପିଲା ଦୁର୍ବଳତା ଅନୁଭବ କରିଥାଏ। ଏହାର ଅଭାବରେ ପିଲାର ଗୋଡ଼ ଚାଲିବା ବେଳେ ବଙ୍କା ପଡ଼ିଥାଏ ବା ସେ ବାରମ୍ବାର ଖସି ପଡ଼ିଥାଏ। ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପିଲାଙ୍କ ପାଇଁ ମଝିରେ ମଝିରେ ସନ୍ତୁଳିତ ଭୋଜନର ବ୍ୟବସ୍ଥା କରାଇବା ଦରକାର। ଏହାଦ୍ୱାରା ପିଲାକୁ ଯେ କୌଣସି ପ୍ରକାର ଦୁର୍ବଳତାଠାରୁ ଦୂରେଇ ରଖାଯାଇପାରିବ। ଜନ୍ମରୁ ଦୁର୍ବଳ ପିଲାର ଆଂଶିକ ଉପଚାର ମଧ୍ୟ କରାଯାଇପାରିବ। ପିଲାଙ୍କ କ୍ଷେତ୍ରରେ ‘ଗୁଲେନ ବାର ସନ୍ଡ଼୍ରୋମ୍ ଏଭଳି ଏକ ରୋଗ ଯେଉଁଥିରେ ଦୁର୍ବଳତା ପାଦରୁ ଆରମ୍ଭ ହୋଇ ହାତ, ଛାତି ଦେଇ ଗାଲ ପର୍ଯ୍ୟନ୍ତ ଆସିଯାଇଥାଏ। ଠିକ୍ ସମୟରେ ଠିକ୍ ଉପଚାର କଲେ ଏହି ଭୟାନକ ରୋଗରୁ ପିଲାକୁ ମୁକ୍ତ ରଖାଯାଇପାରିବ।
ଡ଼ାକ୍ତରଙ୍କ ସାମାନ୍ୟ ଭୁଲ୍ ମଧ୍ୟ ଆପଣଙ୍କ ପିଲାଙ୍କୁ ସବୁଦିନ ପାଇଁ ଅକ୍ଷମ କରାଇପାରେ। କୌଣସିଠାରେ ଆଘାତ ଯୋଗୁ ପିଲାକୁ ଯଦି କୌଣସି ଭୁଲ ଇଞ୍ଜେକସନ ଦିଆଯାଏ ଏହାଦ୍ୱାରା ସେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇପାରେ। ତେଣୁ ପିଲା କେବେ ବି ଦୁର୍ବଳତା ଅନୁଭବ କରୁଥିବା କହୁଥିଲେ ତାକୁ ନଜରଅନ୍ଦାଜ କରନ୍ତୁ ନାହିଁ।