ଡେସ୍କ: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ପରିଚାଳିତ ଅପରେସନ ସିନ୍ଦୂରକୁ ଦଳୀୟ ସ୍ତରରୁ ଉପରକୁ ଉଠି ନେତାମାନେ ପ୍ରଶଂସା କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଅପରେସନ ସିନ୍ଦୁର ହେଉଛି ପହଲଗାମରେ ଦେଶର ନିରୀହ ଭାଇମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯିବାର ଜବାବ। ସେ କହିଛନ୍ତି, ଭାରତର ଜନସାଧାରଣଙ୍କ ଉପରେ ଯେ କୌଣସି ଆକ୍ରମଣର ଉଚିତ ଜବାବ ଦେବାକୁ ମୋଦି ସରକାର ସଂକଳ୍ପ ନେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ଆତଙ୍କବାଦକୁ ମୂଳରୁ ହଟାଇବା ପାଇଁ ଭାରତ ଦୃଢ଼ ପ୍ରତିଶ୍ରୁତିବଦ୍ଧ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଭାରତୀୟ ସଶସ୍ତ୍ର ବାହିନୀକୁ ପ୍ରଶଂସା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର କହିଛନ୍ତି, ଆତଙ୍କବାଦ ପ୍ରତି ବିଶ୍ୱ ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିବା ଦରକାର। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ଆତଙ୍କବାଦକୁ ମୂଳରୁ ଉଚ୍ଛେଦ କରିବା ପାଇଁ ଭାରତ ସକ୍ଷମ ଏବଂ ସଂକଳ୍ପବଦ୍ଧ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ସେ ଗର୍ବିତ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ପାକିସ୍ତାନ ଏବଂ ପିଓକେରୁ ଉତ୍ପନ୍ନ ହେଉଥିବା ସମସ୍ତ ପ୍ରକାର ଆତଙ୍କବାଦ ବିରୋଧରେ ଭାରତର ଏକ ଅତୁଟ ଜାତୀୟ ନୀତି ରହିଛି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଶ୍ରୀ ଖଡଗେ କହିଛନ୍ତି, ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିବା ଭାରତୀୟ ସଶସ୍ତ୍ର ବାହିନୀ ଉପରେ ଦେଶ ଅତ୍ୟନ୍ତ ଗର୍ବିତ। ସେମାନଙ୍କ ଦୃଢ଼ ସଂକଳ୍ପ ଓ ସାହସକୁ ସେ ପ୍ରଶଂସା କରିଥିଲେ। ଶ୍ରୀ ଖଡଗେ କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଦିନଠାରୁ ଭାରତୀୟ ଜାତୀୟ କଂଗ୍ରେସ ସୀମାପାର ଆତଙ୍କବାଦ ବିରୋଧରେ ଯେକୌଣସି ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଶସ୍ତ୍ର ବାହିନୀ ଏବଂ ସରକାରଙ୍କ ସହ ସ୍ପଷ୍ଟ ଭାବରେ ଛିଡ଼ା ହୋଇଛି।
ଡିଏମକେ ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି, ଆତଙ୍କବାଦ ବିରୋଧରେ ତାମିଲନାଡୁ ଭାରତୀୟ ସେନା ସହ ଛିଡ଼ା ହୋଇଛି। ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଆରଜେଡିର ତେଜସ୍ୱୀ ଯାଦବ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ସଶସ୍ତ୍ର ବାହିନୀର କାର୍ଯ୍ୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ଭାରତୀୟ ସେନାର ସାହସ ପ୍ରତ୍ୟେକ ନାଗରିକଙ୍କ ବିଶ୍ୱାସ। ବରିଷ୍ଠ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ସମଗ୍ର ଦେଶ ଏକଜୁଟ ଏବଂ ଭାରତୀୟ ସେନାର ସାହସ ଏବଂ ବୀରତ୍ୱ ପାଇଁ ଗର୍ବିତ। ଅନ୍ୟ କେତେକ ଦଳ ମଧ୍ୟ ଏହି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି କହିଛନ୍ତି ଯେ ସେମାନେ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଗର୍ବିତ।



