କଟକ: କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସ୍ନାତ୍ତକ ଦ୍ଵିତୀୟ ବର୍ଷରେ ଅଧ୍ୟୟନରତ ଛାତ୍ର ଅଜିତ କୁମାର ସେଠି ଆତ୍ମହତ୍ୟା କରିଥିବା ଜଣାପଡିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଶିକ୍ଷା ଶେଷ କଲା ପରେ ସେ ଆଇନ ପାଠ୍ୟକ୍ରମ ଜାରି ରଖିଥିଲେ। ଅଜିତ ନ୍ୟୁ ପିଜି ହଷ୍ଟେଲର ମଧ୍ୟ ସାଧାରଣ ସମ୍ପାଦକ ରହିଥିଲେ।
ମିଳିଥିବା ସୂଚନାରୁ ଜଣାପଡିଛି, ଅଜିତ ଶନିବାର ରାତି ପ୍ରାୟ ୧୦ଟାରେ ଖାଇବା ପରେ ଯୋବ୍ରାସ୍ଥିତ ହଷ୍ଟେଲ ରୁମକୁ ଫେରିଥିଲେ। ତାଙ୍କ ସହପାଠୀ ଘରକୁ ଯାଇଥିବାରୁ ସେ ଏକାକୀ ରହୁଥିଲେ। ବିଳମ୍ବିତ ରାତିରେ ଅନ୍ୟ ରୁମରେ ରହୁଥିବା ଛାତ୍ରମାନେ ସେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରେମ ସମ୍ପର୍କରୁ ଏଭଳି ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଇତି ମଧ୍ୟରେ ଅଜିତଙ୍କ ପିତାମାତା ଅନୁଗୁଳ ପାଲଲହଡାରୁ ଆସି ପହଞ୍ଚିଛନ୍ତି।



