www.samajalive.in
Sunday, December 14, 2025
14.1 C
Bhubaneswar

ଜିମସାରର ପ୍ରଥମ ଡାକ୍ତର ପରେଶ କୁମାର ଜଗତୀଙ୍କ ପରଲୋକ

ଆଠଗଡ :  ଆଠଗଡର ସୁନାମଧନ୍ୟ ଚିକିତ୍ସକ ତଥା ଜିମସାରର ପ୍ରତିଷ୍ଠାତା ଚିକିତ୍ସକ ଡାକ୍ତର ପରେଶ କୁମାର ଜଗତୀ(୭୭)ଙ୍କର ଗୁରୁବାର ଦିନ ପ୍ରାୟ ୧ଟା ବେଳେ  ମେଡିକାଲ ରାସ୍ତାସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ଗତ କିଛିଦିନ ହେବ ରୋଗରେ ପୀଡିତ ଡାକ୍ତର ଜଗତୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇ ନିକଟରେ ଆଠଗଡ ବାସଭବନକୁ ଅଣାଯାଇଥିଲା । ୧୯୭୪ ମସିହାରୁ ଚିକିତ୍ସା ସେବାରେ ନିୟୋଜିତ ଡାକ୍ତର ଜଗତୀ ମାଧବପୁରସ୍ଥିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ସଂପୂର୍ଣ୍ଣ ନିର୍ମାଣ ହେବା ପୂର୍ବରୁ ୨୦୦୩ ମସିହାରୁ ସେଠାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଆସୁଥିଲେ। ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଗତ ପ୍ରାୟ ୪ ବର୍ଷ ପୂର୍ବରୁ ଜିମସାରରେ ରୋଗୀସେବା କରିବାରେ ସେ ସକ୍ଷମ ହୋଇନଥିଲେ। ଡାକ୍ତର ଜଗତୀ ଜଣେ ଅତ୍ୟନ୍ତ ସରଳ, ଆମାୟିକ, ସମ୍ବେଦନଶୀଳ ଓ ପରୋପକାରୀ ବ୍ୟକ୍ତି ଭାବେ ଆଠଗଡ ଅଞ୍ଚଳରେ ସମସ୍ତଙ୍କର ବେଶ୍‍ ଆଦରଣୀୟ ଥିଲେ । ସ୍ୱାସ୍ଥ୍ୟସେବା ସହିତ ବିଭିନ୍ନ ସଂଗଠନ ସହ ଜଡିତ ରହି ସମାଜସେବାରେ ନିଜକୁ ନିୟୋଜିତ କରିବା ସହିତ ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ।

ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ତଥା ଆଠଗଡ ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପିକା ସନ୍ଧ୍ୟାରାଣୀ ଜଗତୀ, ପୁଅ ଡାକ୍ତର ସମୀର ଜଗତୀ, ବୋହୂ କସ୍ତୁରୀ ଜଗତୀ, ଝିଅ ତନୁଶ୍ରୀ ରାଉତ, ଜ୍ୱାଇଁ, ଭଣଜା ତଥା ପ୍ରାକ୍ତନ କାଉନସିଲର ସୁରେଶ କୁମାର ଦାସଙ୍କ ସମେତ ପରିବାରର ଅନ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି, ଓଡିଶା ଶାଖା ଅଧ୍ୟକ୍ଷ, ଜିମସାରର ଅଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଶ୍ରୀ ରଥ ଡାକ୍ତର ଜଗତୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆଠଗଡ ମାଟି ଜଣେ ସୁଯୋଗ୍ୟ ଚିକିତ୍ସକ ତଥା ଭଲମଣିଷଙ୍କୁ ହରାଇଲା ବୋଲି ମତବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଆଠଗଡ ବିକାଶ ପରିଷଦର ସଭାପତି ରାମନାରାୟଣ ମହାନ୍ତି, ସମାଜସେବୀ ସୁବାସ ରାଉତ, ପ୍ରାକ୍ତନ ବନବିଭାଗ ଅଧିକାରୀ ପର୍ଶୁରାମ ସାହୁ, ଓକିଲ ସଂଘ ସଂପାଦକ ବନବିହାରୀ ସାହୁ, ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, ଶିଶିର ପ୍ରସାଦ ମାନସିଂହ, ଚାନ୍ଦବାଲିଛକସ୍ଥିତ ହନୁମାନ ଜୀଉ କୃପା ପରିଷଦର ସମସ୍ତ ସଦସ୍ୟଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମେଡିକାଲ ରାସ୍ତାସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ପୁଅ ଡାକ୍ତର ସମୀର ଜଗତୀ ମୁଖାଗ୍ନୀ ଦେଇଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories