ଭୁବନେଶ୍ବର : ଏପ୍ରିଲ ୧୧ ତାରିଖରେ ରାଜ୍ୟର ୪ଟି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନରେ ନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହେଉଛି। ଏଥିପାଇଁ ସାରା ରାଜ୍ୟରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ବିଭିନ୍ନ ଦଳର ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ଗହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରୁଛନ୍ତି। ତେବେ ଦୋଳ ପୁର୍ଣ୍ଣିମା,ହୋଲି ଏବଂ ଅନ୍ୟାନ୍ୟ ଛୁଟି ଯୋଗୁଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରେ ବିଳମ୍ବ ଘଟିଛି । ଅନେକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁ ମଧ୍ୟ ନାମାଙ୍କନ ପ୍ରକ୍ରିୟା ବିଳମ୍ବିତ ହୋଇଛି। ତେଣୁ ଆଜି ଅଧିକ ଭିଡ଼ର ସମ୍ଭାବନା ରହିଛି।
ରାଜ୍ୟର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ଆସନ ପାଇଁ ଆସନ୍ତା ୧୧ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
କଳାହାଣ୍ଡି ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଏବଂ ନର୍ଲା ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହିପରି ନବରଙ୍ଗପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ପଟାଙ୍ଗୀ, ମାଲକାନାଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନରେ ସେହିଦିନ ମତଦାନ କରାଯିବ। ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି ବିଧାନସଭା ଆସନରେ ଏପ୍ରିଲ ୧୧ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ କୋରାପୁଟ ଲୋକସଭା ଆସନ ଏବଂ ଏହା ଅଧିନସ୍ଥ ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ କୋରାପୁଟ ବିଧାନସଭା ଆସନରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ।
ମଙ୍ଗଳବାର ପ୍ରାର୍ଥୀ ପତ୍ର ଯାଞ୍ଚ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୨୮ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି। ସମସ୍ତ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ମେ’ ୨୩ ତାରିଖରେ ଭୋଟ ଗଣନା କରାଯିବ।



